fbpx

ଆସନ୍ତା ୨୧ରେ ଭାରତ ଆସିବେ ବ୍ରିଟେନ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆସନ୍ତା ୨୧ ତାରିଖରେ ଭାରତରେ ପହଞ୍ଚିବେ । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ଜନସନ ଭାରତ ଗସ୍ତରେ ଆସୁଛନ୍ତି । ଜନସନ ଭାରତ ଆସିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ନିମନ୍ତ୍ରଣ କରିଥିଲେ । ଜନସନଙ୍କ ଭାରତ ଗସ୍ତ ଅବସରରେ ଦ୍ୱିପାକ୍ଷିକ ବାଣିଜ୍ୟ ଉପରେ ଆଲୋଚନା ହୋଇପାରେ ।

ଜନସନ ଭାରତ ଗସ୍ତ ଅବସରରେ ଗୁଜୁରାଟ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ଗତ ବର୍ଷ ନଭେମ୍ବରରେ ଗ୍ଲାସଗୋ ସମ୍ମିଳନୀରେ ମୋଦୀ-ଜନସନ ଭେଟ ହୋଇଥିଲା । ପୂର୍ବରୁ ଜନସନ ଭାରତ ଗସ୍ତ ନେଇ ସ୍ଥିରୀକୃତ ହୋଇଥିଲେ ହେଁ ତାହା ଦୁଇ ଦୁଇ ଥର ରଦ୍ଦ ହୋଇଥିଲା । ଗତ ଜାନୁଆରୀ ମାସ ଗଣତନ୍ତ୍ର ଦିବସ ଅବସରରେ ଜନସନ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର ଥିଲା । ମାତ୍ର ସେ କୋଭିଡରେ ସଂକ୍ରମିତ ହେବାରେ ତାହା ସମ୍ଭବ ହୋଇନଥିଲା ।

ଜନସନ ଜି-୭ର ଅଧ୍ୟକ୍ଷ ହୋଇଥିବାରୁ ମୋଦୀଙ୍କୁ ଉକ୍ତ ସମ୍ମିଳନୀରେ ଯୋଗଦେବା ନେଇ ନିମନ୍ତ୍ରଣ କରିଥିଲେ । ମାତ୍ର କୋଭିଡ କାରଣରୁ ମୋଦୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ । ଗତ ୨୦୨୧ ମେ ମାସରେ ଦୁଇ ନେତାଙ୍କ ମଧ୍ୟରେ ଭର୍ଚୁଆଲ ମୋଡ଼ରେ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଆସନ୍ତା ୨୦୩୦ର ରୋଡମ୍ୟାପ ଉପରେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଭାରତ-ବ୍ରିଟେନ ମଧ୍ୟରେ ୨୩ ବିଲିୟନ ପାଉଣ୍ଡର ବାଣିଜ୍ୟ କାରବାର ହେଉଛି ।

Get real time updates directly on you device, subscribe now.