fbpx

ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇ ପାରନ୍ତି ମହିନ୍ଦା ରାଜପକ୍ଷ

କଲୋମ୍ବୋ: ଦେଶରେ ଗମ୍ଭୀର ଆର୍ଥିକ ସଙ୍କଟ ମଧ୍ୟରେ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷ ସୋମବାର ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି। ବିରୋଧୀଙ୍କ ଅନ୍ତରୀଣ ସରକାର ଗଠନ ଦାବି ଆଗରେ ମୁଣ୍ଡ ନୁଆଁଇ ଏମିତି ପଦକ୍ଷେପ ନେଇ ପାରନ୍ତି ରାଜପକ୍ଷ।

ରାଜନୈତିକ ସୂତ୍ର ଅନୁଯାୟୀ, ପ୍ରଧାନମନ୍ତ୍ରୀ ରାଜପକ୍ଷଙ୍କ ଛୋଟ ଭାଇ ତଥା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷଙ୍କ ନେତୃତ୍ଵାଧୀନ ସରକାରଙ୍କ ଉପରେ ବିରୋଧୀଙ୍କ ପକ୍ଷରୁ କ୍ରମାଗତ ଚାପ ବଢିବାରେ ଲାଗିଛି। ୭୫ ବର୍ଷୀୟ ମହିନ୍ଦା ରାଜପକ୍ଷଙ୍କୁ ମଧ୍ୟ ନିଜ ପାର୍ଟି ଭିତରେ ଇସ୍ତଫା ଦେବା ପାଇଁ ଚାପର ସମ୍ମୁଖୀନ ହେବାକୁ ପଡୁଛି।

କଲୋମ୍ବୋ ପେଜର ରିପୋର୍ଟ ଅନୁଯାୟୀ, ଗୋଟବାୟା ରାଜପକ୍ଷଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନରେ ଏକ ସ୍ଵତନ୍ତ୍ର କ୍ୟାବିନେଟ୍ ବୈଠକରେ ମହିନ୍ଦା ରାଜପକ୍ଷ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉପରେ ସହମତି ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମହିନ୍ଦା ଏହା ପୂର୍ବରୁ ମଧ୍ୟ କହିଥିଲେ ଯେ, ସେ ଆବଶ୍ୟକ ପଡିଲେ ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି।

ମହିନ୍ଦା ରାଜପକ୍ଷଙ୍କ ଇସ୍ତଫା ନିଷ୍ପତ୍ତିରେ ଶ୍ରୀଲଙ୍କାର କ୍ୟାବିନେଟ୍ ମନ୍ତ୍ରୀ ପ୍ରସନ୍ନା ରଣତୁଙ୍ଗା, ନାଲକା ଗୋଡାହେଓ୍ଵା ଏବଂ ରମେଶ ପଥିରାନା ସହମତ ପ୍ରକାଶ କରିଛନ୍ତି। ସୋମବାର ଏକ ବିଶେଷ ବୟାନ ଜାରି କରି ରାଜପକ୍ଷ ନିଜ ପଦରୁ ଇସ୍ତଫା ଦେଇ ପାରନ୍ତି। ଏହା ପରେ ଆସନ୍ତା ସପ୍ତାହରେ କ୍ୟାବିନେଟରେ ଅଦଳ ବଦଳ କରାଯାଇପାରେ।

Get real time updates directly on you device, subscribe now.