ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ କ୍ରିକେଟ୍ ଦଳ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ଵ କପ୍ ପୂର୍ବରୁ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ଦଳ ଭାରତ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳିବ। ଅଷ୍ଟ୍ରେଲିଆ ନିଜ ଦେଶରେ ଅଗଷ୍ଟ-ସେପ୍ଟେମ୍ବରରେ ଜିମ୍ବାଓ୍ଵେ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଦିନିକିଆ ସିରିଜ୍ ଖେଳିବ। ଏହା ପରେ ତିନି ମ୍ୟାଚର ଟି-୨୦ ସିରିଜ୍ ଖେଳିବା ପାଇଁ କଙ୍ଗାରୁ ଦଳ ସେପ୍ଟେମ୍ବର ମାସରେ ଭାରତ ଗସ୍ତରେ ଆସିବ। ମ୍ୟାଚର ତାରିଖର ଘୋଷଣା ପରେ କରାଯିବ। ଫକ୍ସ ସ୍ପୋର୍ଟ୍ସର ରିପୋର୍ଟ ଅନୁଯାୟୀ, କଙ୍ଗାରୁ ଦଳ ଏହି ସିରିଜ୍ ସହ ଟି-୨୦ ବିଶ୍ଵ କପ୍ ପାଇଁ ନିଜର ପ୍ରସ୍ତୁତି ଶେଷ କରିବ। ଟି-୨୦ ବିଶ୍ଵ କପ୍ ଆୟୋଜନ ଚଳିତ ବର୍ଷ ଅକ୍ଟୋବର ୧୬ରୁ ନଭେମ୍ବର ୧୩ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆରେ ହେବ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦୨୩ରେ ୪ ମ୍ୟାଚର ଟେଷ୍ଟ ସିରିଜ୍
୨୦୨୨ରେ ଟି-୨୦ ସିରିଜ୍ ଖେଳିବା ପରେ ଅଷ୍ଟ୍ରେଲିଆ ଦଳ ୨୦୨୩ରେ ଚାରି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତ କରିବ। ଏହି ଟେଷ୍ଟ ଶୃଙ୍ଖଳା ଫେବୃଆରୀ ଏବଂ ମାର୍ଚ୍ଚରେ ଖେଳାଯିବ। ଏହି ଟେଷ୍ଟ ସିରିଜ୍ ବିଶ୍ଵ ଟେଷ୍ଟ ଚାମ୍ପିଅନସିପ ଅନ୍ତର୍ଗତରେ ଖେଳାଯିବ। ଅଷ୍ଟ୍ରେଲିଆ ଗତ ଥର ୨୦୧୭ରେ ଟେଷ୍ଟ ସିରିଜ୍ ପାଇଁ ଭାରତ ଗସ୍ତ କରିଥିଲା। ଉକ୍ତ ସିରିଜରେ କଙ୍ଗାରୁ ଦଳକୁ ପରାଜୟର ମୁହଁ ଦେଖିବାକୁ ପଡିଥିଲା।
ସୂଚନାଯୋଗ୍ୟ, ଆଇପିଏଲ ୨୦୨୨ ସରିବା ପରେ ଭାରତ ଘରୋଇ ମାଟିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚର ଟି-୨୦ ସିରିଜ୍ ଖେଳିବ। ଏହି ସିରିଜ ଜୁନ ୯ ରୁ ୧୯ ତାରିଖ ମଧ୍ୟରେ ଖେଳାଯିବ। ଏହାପରେ ଦୁଇ ମ୍ୟାଚର ଟି-୨୦ ସିରିଜ ପାଇଁ ଭାରତ ଆୟରଲାଣ୍ଡ ଗସ୍ତରେ ଯିବ। ଟି-୨୦ ସିରିଜ୍ ପରେ ରୋହିତ ଶର୍ମାଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ସିଧାସଳଖ ଟେଷ୍ଟ ସିରିଜ୍ ଖେଳିବ।