fbpx

ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ମିଳିଲା ସନ୍ଧାନ, ବ୍ରହ୍ମପୁରରୁ ଭୁବନେଶ୍ୱର ଫେରୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ନିଖୋଜ ଥିବା ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କୁ ନେଇ ନୂଆ ଅପଡେଟ୍ ଆସିଛି । ସରୋଜଙ୍କୁ ଉଦ୍ଧାର କରିଛି କମିଶନରେଟ୍ ପୋଲିସ । ପୂର୍ବତନ ବିଧାୟକଙ୍କୁ ବ୍ରହ୍ମପୁରରୁ ଉଦ୍ଧାର କରିଛି ପୋଲିସ । ସରୋଜ ରାମେଶ୍ୱରମରୁ ଆସି ବ୍ରହ୍ମପୁରରେ ପହଞ୍ଚିବା ପରେ ଏବେ ତାଙ୍କୁ ଭୁବନେଶ୍ୱର ଅଣାଯାଉଛି । ସରୋଜଙ୍କ ସନ୍ଧାନ ମିଳିଥିବା ନେଇ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

ଗତ ୧୨ ତାରିଖ ସକାଳେ ସରୋଜ ୟୁନିଟ-୬ ସୂର୍ଯ୍ୟନଗରସ୍ଥିତ ବାସଭବନରୁ କୁଆଡ଼େ ବାହାରି ଯାଇଥିଲେ । ତା’ପରଠାରୁ ତାଙ୍କର ଆଉ କିଛି ଖୋଜ ଖବର ମିଳିନଥିଲା । ଏନେଇ ସରୋଜଙ୍କ ପୁଅ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲେ । ସନ୍ଧ୍ୟା ପର୍ଯ୍ୟନ୍ତ ସରୋଜଙ୍କର ଫୋନ୍ ସୁଇଚ୍ ଅଫ୍ ଥିବାରୁ ତାଙ୍କର ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ । ଗତକିଛି ଦିନ ହେଲା ସରୋଜଙ୍କ ନିକଟକୁ କିଛି ସନ୍ଦେହଜନକ ଫୋନ୍ ଆସୁଥିବା ତାଙ୍କ ପୁଅ କହିଥିଲେ ।

ଗତ ୧୪ ରାତି ପାଖାପାଖି ୯ଟା ସମୟରେ ରେ ସରୋଜଙ୍କ ପୁଅଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ବାପାଙ୍କ କଣ୍ଠସ୍ୱର ଶୁଣିବା ପରେ ପୁଅ ଖୁସି ହୋଇଯାଇଥିବା ବେଳେ ସରୋଜ ତାମିଲନାଡ଼ୁର ରାମେଶ୍ୱରମରେ ଥିବା କହିଥିଲେ । ତେବେ ପରବର୍ତ୍ତୀ ସମୟରେ ସରୋଜ ଘରକୁ ନ ଫେରିବାରୁ ତାଙ୍କର ପରିବାରବର୍ଗ ପୁଣି ଥରେ ବିବ୍ରତ ହୋଇପଡ଼ିଥିଲେ । ସୂଚନାଯୋଗ୍ୟ ଯେ, ସରୋଜ ଗତ ୨୦୦୪ ମସିହାରେ ଆସିକାରୁ ସ୍ୱାଧିନ ପ୍ରାର୍ଥୀ ଭାବେ ବିଧାୟକ ହୋଇଥିଲେ । ୨୦୧୪ରେ ସେ ନିର୍ବାଚନ ଲଢ଼ିଥିଲେ ଓ ୨୦୧୯ରେ କଂଗ୍ରେସ ଛାଡ଼ି ଦେଇଥିଲେ ।

Get real time updates directly on you device, subscribe now.