(Video) ଭୁବନେଶ୍ୱର ବିମାନବନ୍ଦରରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ, ଆଦିବାସୀ ନୃତ୍ୟରେ ଅଭିନନ୍ଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏମସିଏଲ ଗେଷ୍ଟ ହାଉସରୁ କଡ଼ା ସୁରକ୍ଷାରେ ସେ ବିମାନବନ୍ଦରରେ ପହଞ୍ଚିଛନ୍ତି । ୯ଟା ୪୦ରେ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ଦ୍ରୌପଦୀ । ବିମାନବନ୍ଦରରେ ବନ୍ଧୁ, ଶୁଭେଚ୍ଛୁ ଓ ସମର୍ଥକଙ୍କ ଭିଡ଼ ଦେଖିବାକୁ ମିଳିଛି । ଆଦିବାସୀଙ୍କ ନାଚଗୀତରେ ଦୁଲୁକିଛି ବିମାନବନ୍ଦର ପରିସର ।

ଦିଲ୍ଲୀ ଯାତ୍ରା ପୂର୍ବରୁ ସଂକ୍ଷିପ୍ତ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ସହଯୋଗ କାମନା କରିଛନ୍ତି ଦ୍ରୌପଦୀ । ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଦ୍ରୌପଦୀ । ଦ୍ରୌପଦୀ ମୁର୍ମୁଙ୍କ ସହ ଦିଲ୍ଲୀ ଯିବେ ୬ବିଧାୟକ ।

ଭୁବନେଶ୍ବରରୁ ବିମାନ ‌ଯୋଗେ ଦିଲ୍ଲୀରେ ପହଂଚିବା ପରେ ସେଠାରୁ ସେ ସିଧାସଳଖ ଓଡ଼ିଶା ଭବନ ଆସିବେ। ଓଡ଼ିଶା ଭବନରେ ସେ ରହିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସେ ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ । ନାମାଙ୍କନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ବିଜେପି ରାଷ୍ଟ୍ରୀୟ ସଭାପତି ଉପସ୍ଥିତ ରହିବେ । ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଜେଡି । ଅନ୍ୟପଟେ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ଏକପ୍ରକାର ନିଶ୍ଚିତ ହୋଇଛି ।

ତେବେ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଯୋଗାଇ ଦିଆଯାଇଛି ଜେଡ୍‌ ପ୍ଲସ୍‌ ସୁରକ୍ଷା । କେନ୍ଦ୍ର ସରକାର ତାଙ୍କ ସୁରକ୍ଷାକୁ ବଢ଼ାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଶ୍ରୀମତୀ ମୁର୍ମୁ ନାମାଙ୍କନ ଦାଖଲ ପର୍ଯ୍ୟନ୍ତ ତଥା ଦୁଇ ଦିନ ଓଡ଼ିଶା ଭବନରେ ରହିବେ। ନାମାଙ୍କନପତ୍ର ଦାଖଲ କରି ସାରିବା ପରେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ସମ୍ଭାବନା ରହିଛି । ହେଲେ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏଥି ପୂର୍ବରୁ ଆଜି ଓଡ଼ିଶା ଭବନରେ ଶ୍ରୀମତୀ ମୁର୍ମୁ ରହିବା ବ୍ୟବସ୍ଥାର ତଦାରଖ କରିବା ପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷନ ରେଡ୍ଡି ଓ କିଛି ବରିଷ୍ଠ ଅଧିକାରୀ ଓଡ଼ିଶା ଭବନରେ ଆସି ପହଞ୍ଚିଛନ୍ତି। ଓଡ଼ିଶା ଭବନରେ ରହିବା ପାଇଁ କି ଭଳି ବ୍ୟବସ୍ଥା ରହିଛି ସେ ନେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡି ଓଡ଼ି‌‌ଶା ଭବନ ଅଧିକାରୀମାନଙ୍କ ଆଲୋଚନା କରିଛନ୍ତି।