fbpx

ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବା ପାଇଁ ସେମାନଙ୍କ ସ୍ତ୍ରୀମାନଙ୍କ ସହ ଯୋଗାଯୋଗ କରୁଛନ୍ତି ଉଦ୍ଧବଙ୍କ ସ୍ତ୍ରୀ ରଶ୍ମି

ମୁମ୍ବାଇ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଏକ ରୋଚକ ଖବର ସାମ୍ନାକୁ ଆସିଛି। ଆସାମର ଗୁଆହାଟିରେ ଥିବା ବିଦ୍ରୋହୀ ବିଧାୟକମାନଙ୍କୁ ମନାଇବେ ସେମାନଙ୍କ ସ୍ତ୍ରୀ। ଖବର ମୁତାବକ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସ୍ତ୍ରୀ ରଶ୍ମି ଠାକରେ ବିଦ୍ରୋହୀ ବିଧାୟକମାନଙ୍କ ସହ କଥା ହେବାକୁ ସେମାନଙ୍କ ସ୍ତ୍ରୀଙ୍କ ସହ କଥା ହୋଇ ସେମାନଙ୍କୁ ମନାଉଛନ୍ତି। ସେହିପରି ସୁତ୍ର ମୁତାବକ ଉଦ୍ଧବ ଠାକରେ ନିଜେ କିଛି ବିଧାୟକଙ୍କୁ ମଧ୍ୟ ମେସେଜ୍ କରିଥିବା ସୂଚନା ମିଳିଛି।

ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶିବସେନାର ନେତାମାନଙ୍କ ସହ ଏକ ରାଷ୍ଟ୍ରୀୟ କାର୍ଯ୍ୟକାରୀଣି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଅଣେକ ସଂକଳ୍ପ ପାରିତ କରିଛନ୍ତି। ଏହି ବୈଠକରେ ଅନ୍ୟ କୌଣସି ସଂଗଠନକୁ ଶିବସେନା କିମ୍ବା ଏହାର ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବଙ୍କ ନାମ ବ୍ୟବହାର କରିବାକୁ ବାରଣକରିବାକୁ ନିର୍ଵାଚନ କମିଶନଙ୍କୁ ଅପିଲ୍ କରିଥିଲେ।

ଏକନାଥ ସିନ୍ଧେ ମହାରାଷ୍ଟ୍ରରେ ଆରମ୍ଭ କରିଥିବା ରାଜନୈତିକ ସଂଙ୍କଟ ଏବେ ଶିବସେନାକୁ ଭାଙ୍ଗିବା ଦିଗରେ ଅଗ୍ରସର ହେଉଛି। ତେବେ ବର୍ତ୍ତମାନ ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ଶିବସେନାର ୩୬ ଏବଂ କିଛି ସ୍ୱାଧିନ ବିଧାୟକଙ୍କ ସମେତ ପାଖାପାଖି ୫୦ ବିଧାୟକ ଉଦ୍ଧବ ସରକାରଙ୍କ ବିରୋଧରେ ଏକଜୁଟ୍ ହୋଇଛନ୍ତି। ଏହି କାରଣରୁ ମହାରାଷ୍ଟ୍ରରେ ଏବେ ରାଜନୈତିକ ସଙ୍କଟ ଦେଖାଯାଇଛି।

ଶିବସେନାର ବିଦ୍ରୋହୀ ବିଧାୟକ ଦୀପକ କେସରକର ଶନିବାର କହିଛନ୍ତି ଯେ ବିଧାନସଭାରେ ବିଦ୍ରୋହୀ ଦଳର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ରହିଛି। ସେମାନେ ମହାରାଷ୍ଟ୍ରର ବରିଷ୍ଠ ମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସେମାନଙ୍କର ନେତା ଭାବରେ ବାଛିଛନ୍ତି। ଆମେ ତାଙ୍କ ଆଦର୍ଶରେ ବିଶ୍ୱାସ କରୁଥିବାରୁ ଆମେ ଆମର ଗୋଷ୍ଠୀ ଶିବସେନା (ବାଲାସାହେବ) ନାମକରଣ କରିବାକୁ ନିଷ୍ପତ୍ତି ନେଇଛୁ। ସେ କହିଛନ୍ତି ଯେ ଆମେ ଶିବସେନା ଛାଡି ନାହୁଁ।

ମହାରାଷ୍ଟ୍ର ବିଧାନସଭାର ମୋଟ ଶକ୍ତି ହେଉଛି ୨୮୭ ଏବଂ ସଂଖ୍ୟାଗରିଷ୍ଠତା ୧୪୪ ଅଟେ। ଶିବସେନା, ଏନସିପି ଏବଂ କଂଗ୍ରେସ ପାଖରେ ୧୬୯ ଟି ଆସନ ଅଛି। ଯଦି ସିନ୍ଦେ ନେତୃତ୍ୱାଧୀନ ବିଧାୟକମାନେ ଇସ୍ତଫା ଦିଅନ୍ତି, ତେବେ ମହା ବିକାଶ ଆଗାଡି ବହୁମତ ହରାଇବ ଏବଂ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାରର ପତନ ଘଟିବ।

Get real time updates directly on you device, subscribe now.