ନୂଆଦିଲ୍ଲୀ: ଦୀପକ ହୁଡ୍ଡା ଏବଂ ସଞ୍ଜୁ ସାମସନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ମଙ୍ଗଳବାର ଖେଳାଯାଇଥିବା ଦ୍ଵିତୀୟ ଟି-୨୦ ମ୍ୟାଚରେ ଆୟରଲାଣ୍ଡକୁ ହରାଇ ସିରିଜ୍ ଜିତିଛି। ଦ୍ଵିତୀୟ ଟି-୨୦ ମ୍ୟାଚରେ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୭୬ ରନର ଭାଗିଦାରୀ ଯୋଡିଛନ୍ତି ଦୀପକ ହୁଡ୍ଡା ଏବଂ ସଞ୍ଜୁ ସାମସନ। ଏହି ଭାଗିଦାରୀ ସହିତ ଦୁଇ ବ୍ୟାଟସମ୍ୟାନ ଏକ ବଡ ବିଶ୍ଵ ରେକର୍ଡ ଭାଙ୍ଗିଛନ୍ତି। ଟି-୨୦ ଅନ୍ତର୍ଜାତୀୟରେ ଦ୍ଵିତୀୟ ଓ୍ଵିକେଟରେ ସବୁଠୁ ବଡ ଭାଗିଦାରୀର ବିଶ୍ଵ ରେକର୍ଡ ଏହି ଦୁଇ ଖେଳାଳିଙ୍କ ନାମରେ ହୋଇ ଯାଇଛି।
ଏହା ପୂର୍ବରୁ ଏହି ରେକର୍ଡ ଜୋସ୍ ବଟଲର ଏବଂ ଡେଭିଡ୍ ମଲାନଙ୍କ ଯୋଡି ନାମରେ ଥିଲା। ବଟଲର ଏବଂ ମଲାନ ୨୦୨୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅବିଭାଜିତ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୬୭ ରନ ଯୋଡିଥିଲେ। ହୁଡ୍ଡା ଏବଂ ସାମସନ ଆଉ ଏକ ମାମଲାରେ ରୋହିତ ଶର୍ମା ଏବଂ କେଏଲ ରାହୁଲଙ୍କ ଯୋଡିକୁ ମଧ୍ୟ ପଛରେ ପକାଇଛନ୍ତି।
ଟି-୨୦ ଅନ୍ତର୍ଜାତୀୟରେ ଭାରତ ପକ୍ଷରୁ କୌଣସି ବି ଓ୍ଵିକେଟ୍ ପାଇଁ ସବୁଠୁ ବଡ ଭାଗିଦାରୀର ରେକର୍ଡ ରୋହିତ ଶର୍ମା ଏବଂ କେଏଲ ରାହୁଲ ଯୋଡିଙ୍କ ନାମରେ ଥିଲା। ଉଭୟ ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ୧୬୫ ରନ ଯୋଡିଥିଲୈ। ଏବେ ଭାରତ ପକ୍ଷରଜୁ କୌଣସି ଓ୍ଵିକେଟ୍ ପାଇଁ ବଡ ଭାଗିଦାରୀର ରେକର୍ଡ ହୁଡ୍ଡା ଏବଂ ସାମସନଙ୍କ ନାମରେ ହୋଇ ଯାଇଛି। ହୁଡ୍ଡା ୧୦୪ ରନ କରିଥିବା ବେଳେ ସାମସନ ୭୭ ରନର ଦମଦାର ଇନିଂସ ଖେଳିଛନ୍ତି। ଦୁଇ ବ୍ୟାଟସମ୍ୟାନଙ୍କ ଦମରେ ଭାରତ ୭ ଓ୍ଵିକେଟ୍ ହରାଇ ୨୨୫ ରନ କରିଥିଲା। ଜବାବରେ ଘରୋଇ ଆୟରଲାଣ୍ଡ ପାଞ୍ଚ ଓ୍ଵିକେଟ୍ ହରାଇ ୨୨୧ ରନ କରି ପାରିଥିଲା। ଭାରତ ଉକ୍ତ ମ୍ୟାଚ୍ ଜିତି ସିରିଜ ୨-୦ରେ ଜିତି ନେଇଛି.