fbpx

ଗର୍ଭବତୀଙ୍କୁ ୩ ଥର ଅଲଟ୍ରାସାଉଣ୍ଡ ମାଗଣା: ସରକାରୀ ମେଡିକାଲ ଓ ଘରୋଇ କ୍ଲିନିକରେ ମିଳିବ ସୁବିଧା, ସରକାର ଜାରି କଲେ ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତୃମୃତ୍ୟୁ ହାରକୁ ରୋକିବା ପାଇଁ ସରକାର ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଗର୍ଭବତୀଙ୍କ ୩ ଥର ଅଲଟ୍ରାସାଉଣ୍ଡ ମାଗଣାରେ କରାଯିବ । ଗଞ୍ଜାମ ଜିଲ୍ଲାପାଳ ଏପରି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ସରକାରୀ ମେଡିକାଲରୁ ରେଫର ହୋଇଥିବା ଗର୍ଭବତୀଙ୍କୁ ଘରୋଇ କ୍ଲିନିକରେ ମାଗଣାରେ ଅଲଟ୍ରାସାଉଣ୍ଡ କରିବାର ସୁବିଧା ମିଳିବ ।
ଏହି ଯୋଜନାର ନାମ ‘ସୁରକ୍ଷିତ ଜନନୀ ସହାୟତା’ ରଖାଯାଇଛି । ଏହା ମାଧ୍ୟମରେ ଜଣେ ଗର୍ଭବତୀ ମାଗଣାରେ ୩ ଥର ଅଲଟ୍ରାସାଉଣ୍ଡ କରିବାର ସୁଯୋଗ ପାଇବେ । ଏହାଫଳରେ ଗର୍ଭବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ଜାଣିହେବ ଓ ତା’ର ରିପୋର୍ଟକୁ ଆଧାର କରି ଡାକ୍ତର ଚିକିତ୍ସା କରିବେ । ଏନେଇ ସମସ୍ତ ଖର୍ଚ୍ଚ ପ୍ରଶାସନ ଗ୍ରହଣ କରିବ । ଜିଲ୍ଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଏଥିପାଇଁ ୧୮ଟି ଘରୋଇ ଡାଇଗ୍ଲୋଷ୍ଟିକ୍ ସେଣ୍ଟର ସହ ଏମଓୟୁ ସ୍ୱାକ୍ଷର କରାଯାଇଛି । ଏହାଛଡ଼ା ବ୍ରହ୍ମପୁର ସ୍ଥିତ ସିଟି ହସ୍ପିଟାଲ ଓ ଭଞ୍ଜାନଗର ଉପଖଣ୍ଡ ଚିକିତ୍ସାଳୟରେ ଗର୍ଭବତୀମାନେ ମାଗଣାରେ ୩ ଥର ଅଲଟ୍ରାସାଉଣ୍ଡ କରିପାରିବେ । ଡାଇଗ୍ଲୋଷ୍ଟିକ୍ ସେଣ୍ଟର ସହ ନିକଟରେ ଥିବା ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର, ମେଡିକାଲ ଓ ହସ୍ପିଟାଲକୁ ଟ୍ୟାଗ୍ କରାଯାଇଛି । ଏହାଦ୍ୱାରା ଗର୍ଭବତୀମାନେ ମେଡିକାଲରେ ଚିକିତ୍ସିତ ହୋଇ ନିକଟସ୍ଥ ସେଣ୍ଟକୁ ଯାଇ ଅଲଟ୍ରାସାଉଣ୍ଡ କରାଇ ପାରିବେ ।

Get real time updates directly on you device, subscribe now.