ଭୁବନେଶ୍ୱର : ନିର୍ବାଚନ ପାଇଁ ହଜିଛି ବିଜେପିର ନିଦ । କେନ୍ଦ୍ରରେ ଶାସନ ଭାର ସମ୍ଭାଳିବା ପରେ ଏବେ ଆଞ୍ଚଳିକ ଦଳକୁ ଟାର୍ଗେଟ କରୁଛି ବିଜେପି । ଦିଲ୍ଲୀ ରେ ମିଶନ ଲୋଟସ ବିଫଳ ହେବ ପରେ ଓଡିଶାରେ ପଦ୍ମ ଫୁଟେଇବାକୁ ନଜର ରଖିଛି ବିଜେପି। ଆଗକୁ ଆସୁଛି ୨୦୨୪ ସାଧାରଣ ନିର୍ବାଚନ । ଯାହା ପାଇଁ ବିଭିନ୍ନ ରାଜନୈତିକ ଦଳ ଏବେଠାରୁ ପ୍ରସ୍ତୁତି ପର୍ବ ଆରମ୍ଭ କରିସାରିଛନ୍ତି । ବିଶେଷ କରି ଏ କ୍ଷେତ୍ରରେ ବିଜେପି ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛି । ଏବେ ବିଜେପି ଫୋକସ୍ ରେ ଓଡ଼ିଶା । ବିଜେଡି ଗଡ଼କୁ ଭାଙ୍ଗିବା ପାଇଁ ମାଷ୍ଟ୍ରର ପ୍ଲାନ କରୁଛି ବିଜେପି ।
ଗତ କିଛିଦିନ ତଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ବିଜେପିର ରାଜ୍ୟ ପ୍ରଭାରୀ ସୁନୀଲ ବଂଶଲ ଓଡ଼ିଶା ଆସି ଦଳୀୟ ନେତାମାନଙ୍କୁ ସଂଗଠନ ମଜଭୁତ କରିବା ନିମନ୍ତେ ଗୁରୁମନ୍ତ୍ର ଦେଇଯାଇଥିଲା ବେଳେ ଓଡ଼ିଶା ଗସ୍ତରେ ଆସିଛନ୍ତି ୭ ଜଣ କେନ୍ଦ୍ରମନ୍ତ୍ରୀ । ଶୁକ୍ରବାର ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶେଶ୍ୱର ଟୁଡୁ ଆସିଥିବାବେଳେ ଶନିବାର କେନ୍ଦ୍ରମନ୍ତ୍ରୀ ନିଶୀଥ ପରମାଣିକ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରତି କେନ୍ଦ୍ର ମନ୍ତ୍ରୀ ଗୋଟିଏ ଗୋଟିଏ ଜିଲ୍ଲା ପରିଦର୍ଶନ ରେ ଯାଇଁ ଜିଲ୍ଲାର ସ୍ଥିତି ସମୀକ୍ଷା କରିବେ । ଗତକାଲି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯାଜପୁର ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିଥିବା ବେଳେ କଟକରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଦଳୀୟ ସଂଗଠନର ସମୀକ୍ଷା କରିଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ, ଭୂପେନ୍ଦ୍ର ଯାଦବ ଓ ବିଶ୍ୱେଶର ଟୁଡୁ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି । ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଛି ଯେ, ଏହି ମନ୍ତ୍ରୀମାନେ କେନ୍ଦ୍ରରୁ ବିଭିନ୍ନ ଯୋଜନା ମାଧ୍ୟମରେ ଆସିଥିବା ଅର୍ଥର ସମୀକ୍ଷା କରିବେ ।
ତେବେ ଏକାଥରକେ ୭ ଜଣ ମନ୍ତ୍ରୀ ଓଡ଼ିଶା ଆସୁଥିବାରୁ ଏହାକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି ।ତେବେ ଏହାକୁ ନେଇ ବିଜେଡ଼ି ଓ କଂଗ୍ରେସ ପ୍ରଶ୍ନ ଉଠାଇଛନ୍ତି । ବିଜେଡ଼ି ପକ୍ଷରୁ କୁହାଯାଇଛି ଯେ, ଏବେ କେନ୍ଦ୍ର ସରକାର ଓଡ଼ିଶା ପ୍ରତି ଯେଉଁଭଳି ଅତ୍ୟଧିକ ଆଗ୍ରହ ଦେଖାଉଛନ୍ତି ତାହା ଓଡ଼ିଶାବାସୀଙ୍କ ମନରେ ସନ୍ଦେହ ଭରି ଦେଇଛି । ଯଦି ସେମାନେ ବିକାଶ ପାଇଁ ଆସୁଥିବେ ତାହା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ । କିନ୍ତୁ କୌଣସି ରାଜନୈତିକ ଉଦ୍ଦେଶ୍ୟ ନେଇ ଆସିଥିବେ ତେବେ ସେମାନେ ନିରାଶ ହେବା ନିଶ୍ଚିତ । ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ, ଦରଦାମ ବୃଦ୍ଧି ନେଇ ବିଜେପି କେବେ ବି ଓଡ଼ିଶାବାସୀଙ୍କ ଆସ୍ଥା ଭାଜନ ହୋଇପାରିବ ନାହିଁ ।