fbpx

ଥାନାରେ କୁକୁଡ଼ା ଅଟକ; ଅନ୍ୟର ଦୋଷ ପାଇଁ ସଜା କାଟୁଛନ୍ତି ୪ କୁକୁଡ଼ା

ବାଲେଶ୍ୱର: ଥାନରେ ୪ଟି କୁକୁଡ଼ା ଅଟକ ରହିଛନ୍ତି । ଆମେ ସର୍ବଦା ଦୋଷୀମାନେ ଥାନାରେ ଅଟକ ରହିଥିବା କଥା ତ ଶୁଣିଥାଉ କିନ୍ତୁୁୁ ଥାନାରେ କୁକୁଡ଼ା ଅଟକ ରହିଥିବା କଥା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ତେବେ ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନାରୁ ସାମ୍ନାକୁ ଆସିଛି । ୫ଦିନ ହେବ ବନ୍ଦୀ ଭାବରେ ଥାନା ହାଜତ ଚାରି କାନ୍ଥ ଭିତରେ ଦିନ କାଟୁଛନ୍ତି ୪ଟି କୁକୁଡ଼ା । ଅନ୍ୟର ଦୋଷ ପାଇଁ ସଜା ଭୋଗୁଛନ୍ତି ୪ଟି କୁକୁଡ଼ା । ଗତକାଲି ୪ଟି କୁକୁଡ଼ାଙ୍କ ସିମୁଳିଆ ପ୍ରାଣୀ ଚିକିତ୍ସାଳୟରେ ଚିକିତ୍ସା କରାଇଥିବା ଜଣା ପଡ଼ିଛିି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ମୁରୁଣା ପଞ୍ଚାୟତ ମଞ୍ଜୁରୀପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଜାଗାରେ ପ୍ରତ୍ୟେକ ପାର୍ବପର୍ବାଣିରେ କୁକୁଡ଼ା ଲଢ଼େଇ ହୋଇଥାଏ । ତେବେ ଗତ ଡିସେମ୍ବର ୨୫ ତାରିଖ ବଡ଼ଦିନ ହୋଇଥିବାରୁ ବିଭିନ୍ନ ଅଞ୍ଚଳରୁ ଲଢ଼ୁଆ ଗଞ୍ଜା ନେଇ ଲଢ଼େଇ ଚାଲୁଥିବା ବେଳେ ସିମୁଳିଆ ପୋଲିସ ଅଚାନକ ଚଢ଼ାଉ କରିଥିଲା । ଯାହା ଫଳରେ ଆୟୋଜକ ମାନେ ସେ ସ୍ଥାନ ଛାଡ଼ି ପଳାଇଥିଲେ । ପୋଲିସ ୪ଟି କୁକୁଡ଼ା ସହିତ ୪ ଜଣକୁ ଥାନାକୁ ଆଣିଥିଲା । କିନ୍ତୁ ପୋଲିସ ୪ଜଣ ନାମରେ ୩୪୧/୨୨ ଆଧାରରେ କେଶ ରୁଜୁ କରି ତାଙ୍କୁ ଛାଡି ଦେଇଥିବା ଜଣା ପଡ଼ିଛି । ଅନ୍ୟପଟେ ବର୍ତ୍ତମାନ ମଧ୍ୟ ୪ଟି କୁକୁଡ଼ା ଥାନାରେ ଥିବା ସୂଚନା ମିଳିଛି । ତେବେ ୪ଟି କୁକୁଡ଼ାଙ୍କୁ ଜେଲ୍ କୁ ପଠା ଯିବ କି ଛାଡି ଦିଆ ଯିବ ସେ ନେଇ ପୋଲିସ ପକ୍ଷରୁ କୌଣସି ସୂଚନା ମିଳି ନାହିଁ । ଏହି ସମସ୍ତ ପ୍ରକ୍ରିୟାରେ ପୋଲିସ ପକ୍ଷରୁ ୫ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ମଧ୍ୟ କୁହାଯାଉଛି ।

Get real time updates directly on you device, subscribe now.