ମିଲେଟ୍‍ର ପ୍ରସାର ପାଇଁ ସୁନ୍ଦରଗଡ଼ ଜିଲ୍ଲାର ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତକୁ ଗଣତନ୍ତ୍ରର ଜନନୀ ରୂପେ ଅଭିହିତ କରିବା ସହ ଗଣତନ୍ତ୍ର ଭାରତୀୟଙ୍କ ଶିରାପ୍ରଶିରା ଏବଂ ସଂସ୍କୃତିରେ ରହିଛି ବୋଲି ମତବ୍ୟକ୍ତ କରିଛନ୍ତି। ଆକାଶବାଣୀରେ ମନ୍‍ କି ବାତ୍‍ କାର୍ଯ୍ୟକ୍ରମର ୯୭ତମ ସଂସ୍କରଣରେ ଦେଶବାସୀଙ୍କ ସହ ଭାବ ବିନିମୟ କରିବା ସମୟରେ ସେ ଏହା କହିଛନ୍ତି। ଶ୍ରୀ ମୋଦି କହିଛନ୍ତି ଭାରତ ହେଉଛି ବିଶ୍ୱର ସର୍ବବୃହତ୍‍ ଗଣତାନ୍ତ୍ରିକ ଦେଶ ଏବଂ ଏଠାରେ ଏକ ସୁସ୍ଥ ଗଣତାନ୍ତ୍ରିକ ସମାଜ ପ୍ରତିଷ୍ଠା ହୋଇପାରିଛି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜିର ମନ୍‍ କି ବାତ୍‍ କାର୍ଯ୍ୟକ୍ରମରେ ଓଡ଼ିଶାର ମିଲେଟ୍ସ ଉଦ୍ୟୋଗୀଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ସୁନ୍ଦରଗଡ ଜିଲ୍ଲାରେ ଓଡ଼ିଶା ମିଲେଟ୍ସ ମିଶନର ସହଯୋଗରେ କାର୍ଯ୍ୟ କରୁଥିବା ପ୍ରାୟ ୧୫ଶହ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି। ସେହିଭଳି ଭାରତର ଅଧ୍ୟକ୍ଷତାରେ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଚାଲିଥିବା ଜି-୨୦ ସମ୍ମିଳନୀରେ ମିଲେଟ୍ସରୁ ପ୍ରସ୍ତୁତ ବିଭିନ୍ନ ସୁସ୍ୱାଦୁ ବ୍ୟଞ୍ଜନ ପରସା ଯାଉଥିବାରୁ ଶ୍ରୀ ମୋଦି ସନ୍ତୋଷବ୍ୟକ୍ତ କରିଛନ୍ତି।

ଶ୍ରୀ ମୋଦି ଆନ୍ତର୍ଜାତିକ ଯୋଗ ଦିବସ ଏବଂ ମିଲେଟ୍ସ ମଧ୍ୟରେ ଥିବା ସାମଞ୍ଜସ୍ୟ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଭାରତ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ମିଳିତ ଜାତିସଂଘ ଉଭୟ ଆନ୍ତର୍ଜାତିକ ଯୋଗ ଦିବସ ଏବଂ ଆନ୍ତର୍ଜାତିକ ମିଲେଟ୍ସ ବର୍ଷ ପାଳନ କରିବାକୁ ନିଷ୍ପତ୍ତି ନେଇଛି। ସେହିଭଳି ଉଭୟ ଯୋଗ ଓ ମିଲେଟ୍ସ ସ୍ୱାସ୍ଥ୍ୟ ପ୍ରସଙ୍ଗ ସହିତ ଜଡିତ। ଏହାଛଡା ଉଭୟ ଅଭିଯାନରେ ଜନ ଭାଗିଦାରୀ ମଧ୍ୟ ଅନ୍ୟ ଏକ ସାମଞ୍ଜସ୍ୟ। ଦେଶବାସୀ ମିଲେଟ୍ସକୁ ବହୁଳ ମାତ୍ରାରେ ଆପଣାଇବା ସହ ନିଜ ଖାଦ୍ୟରୂପେ ମଧ୍ୟ ଗ୍ରହଣ କରୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷବ୍ୟକ୍ତ କରିଛନ୍ତି।