fbpx

କରୋନା ମୁକାବିଲା ପାଇଁ ଆଇ.ଏ.ଏସ ଓ ଆଇ.ପି.ଏସଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ

ଭୁବନେଶ୍ୱର:୨୬ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ତଥା ରାଜ୍ୟ ବାହାରେ ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଥିବାବେଳେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବିଭିନ୍ନ ଦାୟିତ୍ୱ ବଣ୍ଟନ କରାଯାଇଛି । ରାଜ୍ୟର ଶାସନକଳ ସଂପୂର୍ଣ୍ଣଭାବେ କରୋନା ମୁକାବିଲାରେ ଲାଗିପଡ଼ିଛି । ରାଜ୍ୟବାସୀଙ୍କୁ ସଠିକ୍ ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାବେଳେ ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବାକୁ ରବିବାର ୨ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ତେବେ କରୋନା ମୁକାବିଲା ପାଇଁ ବିଭିନ୍ନ କ୍ଷେତ୍ରର କାର୍ଯ୍ୟଧାରାକୁ ସରଳ, ସୁଗମ, ଲୋକାଭିମୁଖୀ ଓ ଉତ୍ତରଦାୟୀ କରିବା ପାଇଁ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରତ୍ୟେହ କରୋନା ସ୍ଥିତିକୁ ସମୀକ୍ଷା କରୁଥିବାବେଳେ ରାଜ୍ୟବାସୀଙ୍କୁ ମହାମାରୀ ସମୟରେ ସଠିକ୍ ସେବା ଯୋଗାଇବାକୁ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗଙ୍କୁ ରାଜ୍ୟରେ କୋଭିଡ୍ ହସ୍ପିଟାଲ ସ୍ଥାପନ କରିବାର ଦାୟିତ୍ୱ ଦିଆଯାଇଥିବାବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପିକେ ମହାପାତ୍ରଙ୍କୁ ସାମାଜିକ ଦୂରତା ଗାଇଡ୍‌ଲାଇନ୍ ବଜାୟ ରଖିବା ନେଇ ଆଇନ କାର୍ଯ୍ୟକାରୀତାର ତଦାରଖ ଦାୟିତ୍ୱ ଦିଆଯାଇଛି । ସେହପରି ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ସମସ୍ୟାର ସମାଧାନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଗୃହବିଭାଗର ଶାସନ ସଚିବ ସଞ୍ଜିବ ଚୋପ୍ରାଙ୍କୁ ଦାୟିତ୍ୱ ଦିଆଯାଇଛି । ଶ୍ରମ ଓ ମହିଳା ଶିଶୁ, ବିକାଶ ବିଭାଗର ଶାସନ ସଚିବ ଅନୁ ଗର୍ଗଙ୍କୁ କୋଭିଡ୍ ୧୯ ସମ୍ବନ୍ଧୀୟ ଟ୍ରେନିଂ ଦାୟିତ୍ୱ, ପୂର୍ତ୍ତ ସଚିବ ଡଃ କ୍ରୀଷନ କୁମାରଙ୍କୁ ପ୍ରତ୍ୟାବର୍ତ୍ତନ କରିବାକୁ ଥିବା ଓଡ଼ିଆଙ୍କ ପଂଜିକରଣ, ଜଳସଂପଦ ବିଭାଗର ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ମେଡ଼ିକାଲ ସରଞ୍ଜାମ ଆମଦାନି ଓ ବଣ୍ଟନ ଦାୟିତ୍ୱ, କ୍ରୀଡ଼ା ଓ ପର୍ଯ୍ୟଟନ ସଚିବ ବିଶାଳ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ୍ ଆର୍ ଯାଦବଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଓଏସ୍‌ଡି ଦାୟିତ୍ୱ ଦିଆଯାଇଛି । ସେହିପରି କ୍ରୀଡା ନିର୍ଦ୍ଦେଶକ ଆର୍ ଭିନିଲ୍ କ୍ରୀଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରୀଷ୍ଣନଙ୍କ ଓଏସ୍‌ଡି ଦାୟିତ୍ୱ ଦିଆଯାଇଥିବାବେଳେ ଅରବିନ୍ଦ ଅଗ୍ରୱାଲ, ବି.ଏସ୍‌.ପୁନିଆ, ସୋମେଶ କେ. ଉପାଧ୍ୟାୟ, ପି. ଅନ୍ୱେଷା ରେଡ୍ଡି, ହେମକାନ୍ତ ସାଏ, ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ, ଜୟନାରାୟଣ ପଙ୍କଜ ଓ ଅନିରୁଦ୍ଧ କୁମାର ସିଂଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ସଂଲଗ୍ନ ହୋଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭିନ୍ନ ରାଜ୍ୟରେ ପ୍ରବାସୀ ଓଡ଼ିଆମାନେ ଫସି ରହିଥିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବାକୁ ଉଦ୍ଦିଷ୍ଟ ହେଲ୍ପ ଲାଇନ୍‌, କଲ୍ ସେଣ୍ଟର ଓ ବିଦେଶ ଫେରନ୍ତା ପ୍ରବାସୀଙ୍କୁ ରେଜିଷ୍ଟ୍ରେସନ ଦାୟିତ୍ୱରେ ୬ଜଣ ଅଧିକାରୀଙ୍କୁ ନ୍ୟସ୍ତ କରାଯାଇଛି । ବରିଷ୍ଠ ଆଇପିଏସ୍ ଅଧିକାରୀ ଅମିତାଭ ଠାକୁର, ସଂଜୀବ ପଣ୍ଡା, ସାର୍ଥକ ଷଡ଼ଙ୍ଗୀ, ଆଇଏଫ୍‌ଏସ୍ ଅଧିକାରୀ ଜି. ରେଘୁ, ଆଇଏଏସ୍ ଅଧିକାରୀ ଦିବାକର ପିଏସ୍ ଓ ଆଶିଷ ପାଟିଲଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ସେହିପରି ବିଭିନ୍ନ ରାଜ୍ୟ ସହ ଯୋଗାଯୋଗରେ ରହିବାକୁ ବରିଷ୍ଠ ଆଇଏଏସ୍ ଓ ଆଇପିଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ତେଲେଙ୍ଗାନା ପାଇଁ ୱାଇ ବିଜୟ, ଆନ୍ଧ୍ରପ୍ରଦେଶ ପାଇଁ ବି ପରମେଶ୍ୱରନ, ପଶ୍ଚିମବଙ୍ଗ ପାଇଁ ଭାସ୍କରଜ୍ୟୋତି ଶର୍ମା, ଗୁଜୁରାଟ ପାଇଁ ନିତୀନ ଭାନୁଦାସ ଜୱାଲେ, ମହାରାଷ୍ଟ୍ର ପାଇଁ ରାଜେଶ ପ୍ରଭାକର ପାଟିଲ, ତାମିଲନାଡୁ ପାଇଁ ଚିତ୍ରା ଆରୁମୃଗମ୍‌, ବିହାର ଓ ଝାରଖଣ୍ଡ ପାଇଁ ମହମ୍ମଦ ସିଦ୍ଦିକ ଆଲମ୍‌, କେରଳ ପାଇଁ ଏମ୍‌. ମୁଥୁକୁମାର, ନୂଆଦିଲ୍ଲୀ ପାଇଁ ସଞ୍ଜିବ ମିଶ୍ରାଙ୍କୁ ଦାୟିତ୍ୱ ଦିଆଯାଇଥିôବାବେଳେ ଅନ୍ୟ ସମସ୍ତ ରାଜ୍ୟ ପାଇଁ ଅମିତାଭ ଠାକୁରଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ଜିଲ୍ଲାସ୍ତରରେ କୋଭିଡ ୧୯ ସଂପର୍କିତ ସ୍ଥିତି ସମୀକ୍ଷା କରିବାକୁ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ଜିଲ୍ଲାୱାରୀ ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱର ସହର ପାଇଁ ଅନୁ ଗର୍ଗ ଓ ଏନ ତିରୁମାଲା ନାଏକଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ବାଲେଶ୍ୱର ଓ ଭଦ୍ରକ ପାଇଁ ମଧୁସୂଦନ ପାଢୀ, ରତ୍ନାକର ରାଉତଙ୍କୁ ଦାୟିତ୍ୱ ଦିଆଯାଇଛି । କଟକ ଜିଲ୍ଲା ଦାୟିତ୍ୱରେ ସୌରଭ ଗର୍ଗ ଓ ସୁଶାନ୍ତ ମହାପାତ୍ର ଥିବାବେଳେ ମୟୁରଭଞ୍ଜ ଓ କେନ୍ଦୁଝର ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ଦାୟିତ୍ୱ ଦିଆଯାଇଛି । ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଜି ମାଥିଭାଥନନ ଓ ଡଃ କ୍ରୀଷନ କୁମାରଙ୍କୁ ଦାୟିତ୍ୱ ଦିଆଯାଇଛି । ଯାଜପୁର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ପାଇଁ ହେମନ୍ତ କୁମାର ଶର୍ମା ଓ ଡଃ ସୁରେଶ ଚନ୍ଦ୍ର ଦଳାଇ, ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ପାଇଁ ଏସ୍‌.କେ. ଲୋହାନୀ ଓ ବେଣୁଧର ବେହେରା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଦ ପାଇଁ ଶାଶ୍ୱତ ମିଶ୍ର ଓ ବିଷ୍ଣୁପ୍ରସାଦ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ କୋରାପୁଟ, ମାଲକାନାଗିରି, ରାୟଗଡ଼ା ଓ ନବରଙ୍ଗପୁର ପାଇଁ ବୀରବିକ୍ରମ ଯାଦବ ଓ ରସିଦ ଖାନ, ନୟାଗଡ଼, ପୁରୀ, କଟକ (ଗ୍ରାମାଞ୍ଚଳ), ଖୋର୍ଦ୍ଧା (ଗ୍ରାମାଞ୍ଚଳ) ପାଇଁ ଅନିଲ୍ କୁମାର ସାମଲ ଓ ସମ୍ବଲପୁର, ସୋନପୁର, ଝାରସୁଗୁଡା ଓ ସୁନ୍ଦରଗଡ଼ ପାଇଁ ନିରଞ୍ଜନ ସାହୁଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ନିକୁଞ୍ଜ କୁମାର ଧଳ ପୂର୍ବପରି ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟ ତୁଲାଇବେ ବୋଲି ଜାରି ବିଜ୍ଞପ୍ତିରେ ଦର୍ଶାଯାଇଛି । ଏହି ଅଧିକାରୀମାନେ ଭାରତ ସରକାର ଓ ବିଭିନ୍ନ ରାଜ୍ୟର ସରକାରଙ୍କ ସହ ଯୋଗାଯୋଗ ସ୍ଥାପନ କରି କାର୍ଯ୍ୟ ତୁଲାଇବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.