fbpx

ପୁଣି ବଜ୍ରପାତ ସାଜିଲା କାଳ: ମାଡ଼ି ଆସିଲା କାଳବୈଶାଖୀ, ଆଖି ବୁଜିଲେ ୨୦ଟି ଗାଈ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଜ୍ରପାତର ଭୟଙ୍କର ତାଣ୍ଡବକୁ କେହି ବର୍ତ୍ତିପାରୁ ନାହାନ୍ତି ନା ମଣିଷ ନା ଗୃହପାଳିତ ପଶୁ । ଭୟଙ୍କର ବଜ୍ରପାତରେ ଗୋଟିଏ କି ଦୁଇଟି ନୁହେଁ ଏକସଙ୍ଗେ ୧୯ଟି ଗାଈଙ୍କର ମୃତ୍ୟୁ ଘଟିଛି । ଗତକାଲି ଅପରାହ୍ଣରେ ଅଚାନକ ମାଡ଼ି ଆସିଥିଲା କାଳବୈଶାଖୀ । ପାଗ ବଦଳିବା ସହିତ ଭୀଷଣ ବର୍ଷା ସହ ଘଡ଼ଘଡ଼ି, ବିଜୁଳି ମାରିଥିଲା । ଫଳରେ ଝଡ଼ବର୍ଷାରୁ ରକ୍ଷା ପାଇବା ପାଇଁ ଗୃହପାଳିତ ପଶୁମାନେ ଗଛମୂଳେ ଆଶ୍ରୟ ନେଇଥିଲେ ।

ହେଲେ ବିଧିର ବିଧାନ ଥିଲା ବିଚିତ୍ର । ଗାଈମାନେ ଗଛ ତଳେ ଆଶ୍ରୟ ନେଇଥିବା ସମୟରେ ସେହି ସ୍ଥାନରେ ମଧ୍ୟ ବଜ୍ରପାତ ମାରିଥିଲା । ଫଳରେ ୨୦ଟି ଗାଈଙ୍କର ଜୀବନ କ୍ଷଣିକ ମଧ୍ୟରେ ଚାଲିଯାଇଥିଲା । ଗଞ୍ଜାମ ଜିଲ୍ଲା ଭଞ୍ଜନଗରର ଦବାଙ୍ଗ ଗାଁରୁ ଆସିଛି ଏଭଳି ଏକ ଦୁଃଖଦ ତଥା ଛାତି ଥରାଇଦେବା ଭଳି ଘଟଣା । ଏହି ଘଟଣାକୁ ନେଇ ଗାଈ ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଅନ୍ୟପକ୍ଷେ ଏକସଙ୍ଗେ ଏତେସଂଖ୍ୟକ ଗାଈଙ୍କ ମୃତ୍ୟୁ ଖବର ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୮ ତାରିଖରେ ମଧ୍ୟ ଅନୁରୂପ ଏକ ବଡ଼ ଘଟଣା ଘଟିଥିଲା । ବଜ୍ରପାତ କାରଣରୁ ୨୧ଟି ଗୋରୁ ସହିତ ୩ଟି ଛେଳିଙ୍କର ମୃତ୍ୟୁ ଘଟିଥିଲା । କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ରାଙ୍ଗିନିଗୁଡ଼ା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ୬ ଜଣ ଗାଈ ଚରାଳି ମଧ୍ୟ ଗୁରୁତର ହୋଇଥିଲେ । ନିକଟସ୍ଥ ଜଙ୍ଗଲକୁ ଗାଈ ଓ ଛେଳିଙ୍କୁ ଚରାଇବାକୁ ନିଆଯାଇଥିବା ବେଳେ ହଠାତ୍ ଘଡ଼ଘଡ଼ି ଓ ବିଜୁଳି ମାରିଥିଲା । ଏହା ପୂର୍ବରୁ ଗତ ୨୦ ତାରିଖରେ ମଧ୍ୟ ରାୟଗଡ଼ା ଜିଲ୍ଲାର ଗୁଣୁପୁରରେ ବଜ୍ରପାତ କାରଣରୁ ୨୩ଟି ଗୃହପାଳିତ ପଶୁଙ୍କର ମୃତ୍ୟୁ ଘଟିଥିଲା ।

Get real time updates directly on you device, subscribe now.