ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ତାଲିମ୍: Group-D ଠାରୁ Group-A ପର୍ଯ୍ୟନ୍ତ ନିର୍ଦ୍ଧାରିତ ହେବ ପାଠ୍ୟକ୍ରମ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଇଁ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କୁ ଦିଆଯିବ ତାଲିମ୍ । ଏହି ତାଲିମ୍ ପାଇଁ ପାଠ୍ୟକ୍ରମ ବିକଶିତ ହେବ । ଏନେଇ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ମନ୍ତ୍ରୀ ପରିଷଦ ପକ୍ଷରୁ ଏନେଇ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ସମ୍ବନ୍ଧୀୟ ଟ୍ରେନିଂ ପ୍ରଦାନ କରାଯିବ ।
ଏହି ନିଷ୍ପତ୍ତି ଅନୁଯାୟୀ, ବିପର୍ଯ୍ୟୟ ଓ ମହାମାରୀ ପରିଚାଳନା ପାଇଁ ଏହି ସମ୍ବନ୍ଧିତ ପାଠ୍ୟକ୍ରମ ବିକଶିତ କରାଯାଉଛି । ଗ୍ରୁପ-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ କୋର୍ସ ନିର୍ଦ୍ଧାରିତ ହେବ, ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ-ଏ ସ୍ତରର କର୍ମଚାରୀମାନେ ଉକ୍ତ କୋର୍ସକୁ ସମାପ୍ତ କରିବେ । ଏଥିପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଓଏସଡିଏମଏ), ଓଡ଼ିଶା ରାଜ୍ୟ ମୁଖ୍ୟ ବିଶ୍ୱବିଦ୍ୟାଳୟ (ଓସୋ) ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି ।
ଓଡ଼ିଶା ରାଜ୍ୟ ମୁଖ୍ୟ ବିଶ୍ୱବିଦ୍ୟାଳୟ ଏଥିପାଇଁ ବୈଷୟିକ ସହାୟତା ଯୋଗାଇବା ସହିତ ତାଲିମ, ଦକ୍ଷତା ବୃଦ୍ଧି ଓ ପାଠ୍ୟକ୍ରମ ପ୍ରସ୍ତୁତ କରିବ । ଗ୍ରୁପ-ଏ, ଗ୍ରୁପ-ବି, ଗ୍ରୁପ-ସି ଓ ଗ୍ରୁପ-ଡି କର୍ମଚାରୀଙ୍କର ଦକ୍ଷତା ବୃଦ୍ଧି କରାଇବା ଏହି ମିଳିତ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ । ଏହି ପାଠ୍ୟକ୍ରମକୁ ମୁକ୍ତ ଓ ଦୂର ଶିକ୍ଷା ନିମନ୍ତେ ଶିକ୍ଷଣ ପରିଚାଳନା ବ୍ୟବସ୍ଥା ପ୍ଲାଟଫର୍ମରେ ଅନଲାଇନ ମାଧ୍ୟମରେ ଡିଜାଇନ୍ ଓ ବିକାଶ କରାଯାଇଛି । ପାଠ୍ୟକ୍ରମ ସରିବା ପରେ ଶିକ୍ଷାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବ । ବିପର୍ଯ୍ୟୟ ପରିଚାଳନା ପାଠ୍ୟକ୍ରମର ଆବଶ୍ୟକତାଭିତ୍ତିକ ମୂଲ୍ୟାୟନ ପାଇଁ ଅଧିକାରୀଙ୍କର ମୂଲ୍ୟାଙ୍କନ, ପ୍ରମାଣପତ୍ର ଓ ଅଧ୍ୟୟନ ରିପୋର୍ଟ ପ୍ରସ୍ତୁତ କରାଯିବ । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦକ୍ଷତା, ଅଭିଜ୍ଞତା ଥିବା ଶିକ୍ଷକ ଓ ଅଭିଜ୍ଞତାସମ୍ପନ୍ନ ବ୍ୟକ୍ତିଙ୍କୁ ଏଥିପାଇଁ ଚୟନ କରାଯାଇଛି ।
ଏହି ବୁଝାମଣାପତ୍ର ସ୍ୱାକ୍ଷର ଅବସରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ, ଉଚ୍ଚଶିକ୍ଷା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରେଜ କୁମାର ସାମଲ, ଓସୋ କୁଳପତି ପ୍ରଫେସର ଅର୍କ କୁମାର ଦାସମହାପାତ୍ର, ଓସଡମା ଏମଡି ଡ. ଜ୍ଞାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।