ଜାମ୍ମୁ କାଶ୍ମୀର : ଅମରନାଥ ଯାତ୍ରା ସମୟରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳାଙ୍କ ଉପରେ ପଥର ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ତେବେ ଜାମ୍ମୁ କାଶ୍ମୀର ପୋଲିସର ମାଉଣ୍ଟେନ୍ ରେସ୍କ୍ୟୁ ଟିମର ଦୁଇ ଯବାନ ମହିଳାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଆହତ ହୋଇଛନ୍ତି । ଆହତ କର୍ମଚାରୀଙ୍କୁ ସେଠାରେ ନିୟୋଜିତ ଥିବା ହେଲିକ୍ୟାପ୍ଟର ସାହାଯ୍ୟରେ ସୁରକ୍ଷିତ ଭାବରେ ସ୍ଥାନାନ୍ତର କରାଯାଇଛି ।
ତେବେ ମୃତ ମହିଳା ଜଣଙ୍କର ନାମ ଉର୍ମିଳା ବେନ ଓ ବୟଷ ୫୩ ବର୍ଷ । ସେ ଅମରନାଥ ଯାତ୍ରା କରୁଥିବା ବେଳେ ପାହାଡ ଉପରୁ ଏକ ବଡ ପଥର ଖସି ଆସି ତାଙ୍କ ଉପରେ ପଡିଥିଲା, ଯେଉଁଥିରେ ତାଙ୍କର ମୃତ୍ୟୁ ଘଟିଛି ।ଏହି ଘଟଣା ପରେ ଜାମ୍ମୁ କାଶ୍ମୀର ପୋଲିସର ମାଉଣ୍ଟେନ ରେସ୍କ୍ୟୁ ଟିମର ଯବାନମାନେ ମହିଳାଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିଲେ । କିନ୍ତୁ ଉଦ୍ଧାର କାର୍ଯ୍ୟ ସମୟରେ ଦୁଇ ଜଣ ଯବାନ ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଯବାନ ଆହତଙ୍କ ନାମ ମହମ୍ମଦ ସଲେମ ଓ ମହମ୍ମଦ ୟାସିନ । ସେମାନଙ୍କୁୁ ହେଲିକ୍ୟାପ୍ଟରରେ ହସ୍ପିଟାଲ ନିଆଯିବା ସହ ସେଠାରେ ତାଙ୍କର ଚିକିତ୍ସା କରାଯାଉଛି ।
ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରର ଅମରନାଥ ଯାତ୍ରା ଜୁଲାଇ ୧ରୁ ଆରମ୍ଭ ହୋଇଥିବା ବେଳେ ଏହା ଅଗଷ୍ଟ ୩୧ରେ ଶେଷ ହେବ ।