fbpx

ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉଦାହରଣରେ ରଖି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ କଲା ବିଜେଡି

ଓଡିଶା ଭାସ୍କର; ରାଜ୍ୟରେ ଗଣତନ୍ତ୍ର ଶାସନକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଥିବାବେଳେ ତାଙ୍କୁ ପ୍ରତିଜବାବ ଦେଇଛି ବିଜେଡି । ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଉଦାହରଣରେ ରଖି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ବିଜେଡିରୁ ବହିଷ୍କୃତ ନେତା ପ୍ରଶାନ୍ତ ଜଗଦ୍ଦେବଙ୍କ କଥା ଉଠାଇ ସାଂସଦ ସସ୍ମିତ ପାତ୍ର କହିଛନ୍ତି, ପ୍ରଶାନ୍ତ ଜଗଦ୍ଦେବ ହେଉଛନ୍ତି ବର୍ତ୍ତମାନ ବିଜେପିର ଗେଲ୍ହା ପୁଅ । ସେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଶ୍ରିବାଦ କ୍ରମେ କାମ କରୁଛନ୍ତି । ଜଣେ ବ୍ୟକ୍ତି ଗୁଣ୍ଡାଗିରି ଏବଂ ଗୁଣ୍ଡାଗର୍ଦ୍ଦି ପାଇଁ ବିଜେଡିରୁ ବହିଷ୍କୃତ ହୋଇଥିଲାବେଳେ ତାଙ୍କୁ ବିଜେପି କାହିଁକି ଗ୍ରହଣ କରୁଛି? ଆପଣ ଓଡିଶାର ଲୋକଙ୍କୁ କିପରି ସାମ୍ନା କରିବେ? ଗଣତନ୍ତ୍ର ବିଷୟରେ ଧର୍ମେନ୍ଦ୍ର ପ୍ରଧାନଙ୍କର ସମସ୍ତ କଥା କେବଳ ଲୋକ ଦେଖାଣିଆ ବୋଲି ଓଡିଶାବାସୀ ଜାଣିଥିବା କହିଛନ୍ତି ସସ୍ମିତ ।

୨୦୨୧ ସେପ୍ଟେମ୍ବର ୮ତାରିଖରେ ଚିଲିକାର ତତ୍କାଳୀନ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ବିଜେପିର ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠୀଙ୍କୁ ବାଲୁଗାଁଠାରେ ଆକ୍ରମଣ କରିଥିଲେ । ଏହା ମୁଖ୍ୟମନ୍ତ୍ରୀ ଜାଣିବା ମାତ୍ରେ ହିଁ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ତୁରନ୍ତ ଦଳରୁ ନିଲମ୍ବିତ କରିଥିଲେ । ପରେ ତାଙ୍କୁ ଦଳରୁ ମୁଖ୍ୟମନ୍ତ୍ରୀ ବହିଷ୍କାର ମଧ୍ୟ କରିଥିଲେ । କାରଣ ଶ୍ରୀ ନବୀନ ପଟ୍ଟନାୟକ ଗୁଣ୍ଡାଗର୍ଦ୍ଦି ଉପରେ ବିଶ୍ୱାସ କରନ୍ତି ନାହିଁ । ବର୍ତ୍ତମାନ ସେହି ପ୍ରଶାନ୍ତ ଜଗଦ୍ଦେବଙ୍କୁ ଫୁଲମାଳ ପିନ୍ଧାଇ ଦଳରେ ସାମିଲ କରିବାକୁ ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ । ଏ କ୍ଷେତ୍ରରେ ଆପଣ ଓଡ଼ିଶାର ଲୋକମାନଙ୍କ ପାଇଁ କେଉଁ ଉଦାହରଣ ସୃଷ୍ଟି କରୁଛନ୍ତି ଏବଂ ଆପଣ ଓଡ଼ିଶାର ଲୋକଙ୍କୁ କି ବାର୍ତ୍ତା ଦେବାକୁ ଚାହାନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନ କରିଛନ୍ତି ସସ୍ମିତ ।

ବିଜେଡି ସାଧାରଣ ଜୀବନରେ କୌଣସି ପ୍ରକାର ହିଂସା କିମ୍ବା ବାଧା ସୃଷ୍ଟି ଉପରେ ବିଶ୍ୱାସ କରେ ନାହିଁ । ଆମ ସୂଚନା ଅନୁଯାୟୀ ସେଭଳି(ଅପରାଜିତା ଷଡ଼ଙ୍ଗୀଙ୍କ କ୍ଷେତ୍ରରେ) କୌଣସି ଅଘଟଣ ଘଟି ନଥିଲା । ଯଦି ଏହା ଘଟିଥାନ୍ତା ତେବେ ଦଳ ଭିତରେ ପ୍ରଥମେ ବିଜେଡି ବିଜେଡି ଦଳ ଏହାକୁ ନିନ୍ଦା କରିଥାନ୍ତା ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର ।

Get real time updates directly on you device, subscribe now.