ଏହି ୩ଟି ଜିନିଷ ସେବନ କରୁଥିଲେ ସାବଧାନ ! ଦୁର୍ବଳ ହୋଇଥାଏ ହାଡ଼

ସନ୍ତୁଳିତ ଆହାର ଏବଂ ସୁସ୍ଥ ଜୀବନଶୈଳୀ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ । ଆମ ଶରୀରର ସମ୍ପୂର୍ଣ୍ଣ ଆଧାର ହାଡ଼ ଉପରେ ନିର୍ଭର କରିଥାଏ । ଜନ୍ମରୁ ଯୁବାବସ୍ଥା ଯାଏଁ ଆମ ଶରୀରରେ ଅସ୍ଥି ଗଠନ ହୋଇଥାଏ । କିନ୍ତୁ ୨୦ ବର୍ଷ ପାଖାପାଖି ନୂଆ ଅସ୍ଥି ଗଠନ ହେବା ବନ୍ଦ ହୋଇଯାଏ । ତେଣୁ ଶରୀରର ହାଡ଼ ମଜବୁତ କରିବା ପାଇଁ ଭିଟାମିନ୍ ‘ଡି’, କ୍ୟାଲସିୟମ, ମ୍ୟାଗନେସିୟମ, ମାଙ୍ଗାନିଜ୍ ଭଳି ଅନେକ ପୋଷକ ତତ୍ୱ ଆବଶ୍ୟକ ହୋଇଥାଏ । ଏହି ସବୁ ପୋଷକ ତତ୍ୱର ଅଭାବ ହେତୁ ହାଡ଼ରୁ କ୍ୟାଲସିୟମ କମିବା ଆରମ୍ଭ ହୋଇଥାଏ । ଏହା ଦ୍ୱାରା ହାଡ଼ ଦୁର୍ବଳ ହେବା ସହ ବୋନ୍ ଫ୍ରାକ୍‌ଚରର ଆଶଙ୍କା ବୃଦ୍ଧି ପାଇଥାଏ । ଅଧିକାଂଶ ବୟସ୍କ ଲୋକଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖାଯାଏ । କିନ୍ତୁ ବେଳେ ବେଳେ ଅତ୍ୟାଧିକ ମାତ୍ରାରେ ଭିଟାମିନର ସେବନ କରିବା ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଡ଼ାକ୍ତରଙ୍କ କହିବା ଅନୁଯାୟୀ ଭିଟାମିନ୍ ‘ଏ’ ମାତ୍ରା ଅଧିକ ଥିବା ଫଳ ବା ପନିପରିବାର ସେବନ କମ କରିବା ଉଚିତ । ତେବେ ଆସନ୍ତୁ ଜାଣଇବା ବୋନ୍ ଫ୍ରାକ୍‌ଚରର ଆଶଙ୍କାକୁ କମ କରିବା ପାଇଁ କ’ଣ ଖାଇବା ଉଚିତ:

– ଫିଶ୍ ଲିଭର ତେଲ: ମାଛର ସେବନ ଅସ୍ଥି ପାଇଁ ଉତ୍ତମ ଅଟେ । ଏଥିରେ ଭରପୁର ମାତ୍ରାରେ କ୍ୟାଲସିୟମ ଥାଏ । କିନ୍ତୁ ଅନେକ ମାଛରେ ତେଲ ଅଧିକ ଥାଏ । ଏହାର ଅର୍ଥ ମାଛର ଯକୃତରେ ବହୁତ ଚର୍ବି ରହିଛି । ଅନେକ ରୋଗର ଚିକିତ୍ସା ପାଇଁ ମାଛ ଚର୍ବିରୁ ତିଆରି ତେଲ ବାହାର କରାଯାଇଥାଏ । ଅଧିକ ତେଲ ଯୁକ୍ତ ମାଛ ଖାଇବା ଠାରୁ ଦୂରେଇ ରୁହନ୍ତୁ । ଏହା ବୋନ୍ ଫ୍ରେକ୍‌ଚର ଏବଂ ଅସ୍ଟିଓପୋରୋସିସ୍ ହେବାର ଆଶଙ୍କାରୁ ବୃଦ୍ଧି କରିଥାଏ ।

ଅଧିକାଂଶ ଲୋକମାନେ ମଟନ ବା ଚିକେନ ଖାଇବା ପସନ୍ଦ କରିଥାନ୍ତି । କିନ୍ତୁ ଏମାନଙ୍କ ଯକୃତ ଅଧିକ ଖାଇବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ନ୍ୟାସନାଲ ହେଲ୍‌ଥ ସର୍ଭିସ (ଏନ୍‌ଏଚ୍‌ଏସ) ପକ୍ଷରୁ କୁହାଯାଇଛି । ପଶୁମାନଙ୍କ ଯକୃତରେ ଅଧିକ ମାତ୍ରାରେ ଭିଟାମିନ ‘ଏ’ ଥାଏ । ଏହାର ସେବନ ଅଳ୍ପ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇନଥାଏ କିନ୍ତୁ ନିୟମିତ ଭାବରେ ଏହାର ସେବନ ବୃଦ୍ଧାବସ୍ଥାରେ ବୋନ୍ ଫ୍ରାକ୍‌ଚରର ଆଶଙ୍କା ଦେଖାଦେଇଥାଏ ।

– ଅଣ୍ଡା: ଏହା ପ୍ରୋଟିନ୍‌ର ଏକ ଉତ୍ତମ ଉତ୍ସ ଭାବେ ଜଣା । ଅଣ୍ଡାରେ ଅଧିକ ମାତ୍ରାରେ ଭିଟାମିନ ‘ଏ’ ରହିଛି । ତେଣୁ ଏହାର ଅତ୍ୟାଧିକ ସେବନ କରିବା ଉଚିତ ନୁହେଁ । ଆପଣ ଚାହିଁଲେ ଦିନରେ ୨-୩ଟି ଅଣ୍ଡା ଖାଇପାରିବେ ।

ତେବେ ଯେଉଁମାନେ ନିରାମିଷ ସେମାନଙ୍କୁ ପଚୁର ମାତ୍ରାରେ ପାଳଙ୍ଗ, ଗାଜର, ଆମ୍ବ, ପାଚିଲା ଭଣ୍ଡା ଆଦି ସେବନ କରିବା ଉଚିତ । ଆମ ଶରୀରକୁ ସନ୍ତୁଳିତ ମାତ୍ରାରେ ଭିଟାମିନର ଆବଶ୍ୟକତା ହୋଇଥାଏ । ଦୈନିକ ଜଣେ ବ୍ୟକ୍ତିକୁ ୧.୫ ମିଲିଗ୍ରାମ ବା ୧୫୦୦ ମାଇକ୍ରୋଗ୍ରାମ ଭିଟାମିନ୍ ‘ଏ’ର ସେବନ କରିବା ଉଚିତ । ଅଧିକ ମାତ୍ରାରେ ଭିଟାମିନ୍ ‘ଏ’ର ସେବନ କରିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ କାରଣ ଏହା ଶୀଘ୍ର ପାଣିରେ ମିଶି ନଥାଏ । ଏହା ଚର୍ବିରେ ମିଶିବା କାରଣରୁ ପାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିଥାଏ ।