ପାଟନା: ନିକଟରେ ବିହାର ରାଜନୀତିକୁ ନେଇ ବେଶ ହଟଚମଟ ଦେଖିବାକୁ ମିଳିଥିଲା । ବିହାରରେ ଏନଡିଏ ସମର୍ଥନରେ ନୀତିଶ କୁମାର ନବମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ସହ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନା ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ । ବର୍ତ୍ତମାନ ଏହି ୨ ଉପ ମୁଖ୍ୟମନ୍ତ୍ରୀଙ୍କୁ Z ପ୍ଲସ୍ ସୁରକ୍ଷା ଦିଆଯାଇଛି । ଏହା ପୂର୍ବରୁ ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ Y ଶ୍ରେଣୀର ସୁରକ୍ଷା ଦିଆଯାଇଥିଲା । କହିରଖୁଛୁ Z ପ୍ଲସ୍ ସୁରକ୍ଷାକୁ ସର୍ବୋଚ୍ଚ ସୁରକ୍ଷା ଘେରା ଭାବରେ ବିବେଚିତ କରାଯାଇଛି । ଏଥିରେ ୧୦ରୁ ଉର୍ଦ୍ଧ୍ୱ NSG କମାଣ୍ଡୋ ଏବଂ ପୋଲିସକର୍ମୀଙ୍କ ସମେତ ୫୫ ଜଣ ତାଲିମପ୍ରାପ୍ତ ଜବାନମାନେ ନିୟୋଜିତ ଥାନ୍ତି । ଏମାନଙ୍କ କାର୍ଯ୍ୟ ହେଉଛି ସମ୍ପୃକ୍ତ ବ୍ୟକ୍ତିଙ୍କୁ ୨୪ ଘଣ୍ଟା ସୁରକ୍ଷା ଦେବା । ତେବେ ବିହାରର ନୂତନ ସରକାରରେ ବିଜେପି କୋଟାରେ ସମ୍ରାଟ ଚୌଧୁରୀ ଏବଂ ବିଜୟ ସିହ୍ନାଙ୍କୁ ଉପ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି ।
ତେବେ ଆସନ୍ତୁ ଜାଣିବା Z ପ୍ଲସ୍ ସୁରକ୍ଷା ବିଷୟରେ
– Z ପ୍ଲସ୍ ସୁରକ୍ଷା କେବଳ ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ
– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଏହି ସୁରକ୍ଷା ମିଳିଛି
– Z ପ୍ଲସ୍ ସୁରକ୍ଷାରେ ନିୟୋଜିତ ଥିବା କମାଣ୍ଡୋ ଏବଂ ତାଲିମପ୍ରାପ୍ତ ଜବାନମାନେ କୌଣସି ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାନ୍ତି
– ଏମାନେ ଆଧୁନିକ ଟେକ୍ନୋଲୋଜି ବିଶିଷ୍ଟ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଥାନ୍ତି