ବୁଦାପେଷ୍ଟ: ଶିଶୁ ଯୌନ ଶୋଷଣ ମାମଲାରେ ଅଭିଯୁକ୍ତ ଜଣଙ୍କୁ ହଙ୍ଗେରିର ରାଷ୍ଟ୍ରପତି କାଟାଲିନ୍ ନୋଭାକ୍(Katalin Novak)ରାଜକ୍ଷମା ଦେଇଥିଲେ । ଏହାକୁ ନେଇ ଲୋକମାନେ ବିରୋଧ କରିଥିଲେ ଏବଂ ଏହି ବିରୋଧ ଯୋଗୁଁ ଶନିବାର ନୋଭାକ୍ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ । ରାଷ୍ଟ୍ରପତି ନୋଭାକ୍ ଇସ୍ତଫା ଦେବା ପରେ ପରେ ପ୍ରଧାନମନ୍ତ୍ରୀ ଭିକ୍ଟୋର ଅର୍ବାନଙ୍କ ଦୃଢ଼ ସମର୍ଥକ ତଥା ପୂର୍ବତନ ନ୍ୟାୟ ମନ୍ତ୍ରୀ ଜୁଡିଟ୍ ଭାଗରା ମଧ୍ୟ ଏହି ଘଟଣାକୁ ନେଇ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି ।
‘ମୁଁ ମୋ ପଦବୀରୁ ଇସ୍ତଫା ଦେଉଛି। ଯେଉଁମାନଙ୍କୁ ଦୁଃଖ ଦେଇଛି, ବିଶେଷ କରି ଯେଉଁ ପୀଡ଼ିତାମାନଙ୍କର ଧାରଣା ଯେ, ତାଙ୍କ ପ୍ରତି ମୋର ଦରଦ ନାହିଁ, ସେମାନଙ୍କୁ ମୁଁ କ୍ଷମାଭିକ୍ଷା କରୁଛି। ଶିଶୁ ଓ ପରିବାରବର୍ଗଙ୍କ ପ୍ରତି ସୁରକ୍ଷାକୁ ମୁଁ ସମର୍ଥନ କରୁଛି, କରୁଥିଲି ଓ କରିବି।’ ଏମିତି କିଛି କହି ନିଜ ଭୁଲ ସ୍ୱିକାର କରିଛନ୍ତି ୪୬ ବର୍ଷୀୟା ନୋଭକ୍ । ସୂଚନାଯୋଗ୍ୟ, ୨୦୨୨ ମାର୍ଚରେ ପ୍ରଥମ ମହିଳା ଭାବେ ନୋଭାକ୍ ହଙ୍ଗେରିର ରାଷ୍ଟ୍ରପତି ହୋଇଥିଲେ । ସୂଚନାରୁ ପ୍ରକାଶ ୨୦୨୩ ମସିହାରେ ‘ଚିଲଡ୍ରେନ୍ସ୍ ହୋମ୍’ର ପୂର୍ବତନ ଉପ ନିର୍ଦ୍ଦେଶକଙ୍କୁ ରାଷ୍ଟ୍ରପତି ନୋଭାକ୍ ଯୌନଉତ୍ପୀଡ଼ନ ମାମଲାରେ ରାଜକ୍ଷମା ପ୍ରଦାନ କରି ବିବାଦୀୟ ହୋଇ ପଡ଼ିଥିଲେ । ବାସ୍ତବରେ ପିଲାମାନଙ୍କ ସହ ହେଉଥିବା ଯୌନଶୋଷଣକୁ ଲୁଚାଇବା ପାଇଁ ସେ ତାଙ୍କ ମାଲିକଙ୍କୁ ସହଯୋଗ କରିଥିଲେ । ଏହାକୁ ନେଇ ଚଳିତ ବର୍ଷ ଫେବୃଆରୀ ୯ରେ ହଙ୍ଗେରିର ରାଷ୍ଟ୍ରପତି ଭବନ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଥିଲା । ବିକ୍ଷୋଭକାରୀମାନେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଥିଲେ । ଏହା ପରେ ବିରୋଧୀଙ୍କ ମଧ୍ୟରେ ହଙ୍ଗେରିର ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଚର୍ଚ୍ଚା ହେଉଛି ।