ଓଡ଼ିଶା ଭାସ୍କର: ଦୁନିଆରେ ଆମେ ଅନେକ ଲୋକଙ୍କ ସହ ଭେଟି ଥାଉ । ଏତେ ଲୋକଙ୍କ ମଧ୍ୟରେ ଉତ୍ତମ ଜୀବନସାଥିଟିଏ ବାଛିବା କଷ୍ଟକର ହୋଇଥାଏ । ସେଥିପାଇଁ ଆଜିକାଲିର ଡିଜିଟାଲ ଯୁଗରେ ଡେଟିଂ ପ୍ରତି ବିଶେଷ କରି ଯୁବପିଢ଼ିମାନେ ବେଶି ଅକର୍ଷିତ ହେଉଛନ୍ତି । କାରଣ ଡେଟିଂ ସମୟରେ ସେମାନେ ପାର୍ଟନରଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ଅଧିକାଂଶ ଲୋକଙ୍କ ଇଚ୍ଛା ଥାଏ ଯେ ସେମାନଙ୍କୁ ପରଫେକ୍ଟ ପାର୍ଟନର ବା ଜୀବନସାଥିଟିଏ ମିଳୁ । କିନ୍ତୁ ସବୁବେଳେ ଏହା ସମ୍ଭବପର ହୋଇନଥାଏ । ଏପରି କିଛି ସଙ୍କେତ ଅଛି ଯଦ୍ୱାରା ଜାଣିପାରିବେ ଯେ ଆପଣ ଡେଟ୍ କରୁଥିବା ପାର୍ଟନର ଆପଣଙ୍କ ପାଇଁ କେତେ ପରଫେକ୍ଟ ।
୧. ସପୋର୍ଟ ଏବଂ ପ୍ରୋତ୍ସାହିତ କରିବା: ଆପଣଙ୍କୁ ଭଲ କାର୍ଯ୍ୟରେ ସପୋର୍ଟ ଏବଂ ଜୀବନରେ କିଛି ନୂଆ ଶିଖିବା ପାଇଁ ଆପଣଙ୍କୁ ପ୍ରୋତ୍ସାହିତ କରୁଥିବା ଏକ ଉତ୍ତମ ପାର୍ଟନରର ଲକ୍ଷଣ ଅଟେ । ସେ ଆପଣଙ୍କ ଭଲ ଏବଂ ମନ୍ଦ ସମୟରେ ସବୁବେଳେ ପାଖେ ପାଖେ ରହିଥିବେ । ତାଙ୍କ ସହ ଆପଣ କ୍ୟାରିୟର ଏବଂ ଜୀବନରେ ଅଗ୍ରଗତି କରିଥାନ୍ତି ।
୨. କମ୍ୟୁନିକେସନ୍ ସ୍କିଲ୍: ଏକ ସୁସ୍ଥ ସମମ୍ପର୍କରେ ଉତ୍ତମ ଯୋଗାଯୋଗ ରହିବା ନିହାତି ଆବଶ୍ୟକ । ଏହା ଦ୍ୱାରା ଆପଣ ପରସ୍ପର ସହ ଜଡ଼ିତ ରହିଥାନ୍ତି । ଏକ ଉତ୍ତମ ପାର୍ଟନର ଆପଣଙ୍କ କଥାକୁ ଶୁଣିବା ସହ ବୁଝିବା ପାଇଁ ମଧ୍ୟ ଚେଷ୍ଟା କରିଥାଏ । ସବୁ କଥାକୁ ବୁଝି ବିଚାରି କୌଣସି ନିଷ୍ପତ୍ତି ନେଇଥାଏ । ଯେତେ ରାଗିଥିଲେ ବି କଥାବାର୍ତ୍ତା ବନ୍ଦ କରିଦେଲେ ଭୁଲ ବୁଝାମଣା ବୃଦ୍ଧି ପାଇଥାଏ । ତେଣୁ ଏକ ଉତ୍ତମ ପାର୍ଟର କେବେ ବି ଆପଣଙ୍କ ଠାରୁ ଦୂରେଇଯିବା ପାଇଁ ଚାହିଁନଥାଏ ।
୩. ସମ୍ମାନ: କୌଣସି ସମ୍ପର୍କରେ ସମ୍ମାନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏକ ଉତ୍ତମ ପାର୍ଟନର ଆପଣଙ୍କ ଏକାନ୍ତ ଏବଂ ସମସ୍ତଙ୍କ ସାମ୍ନାରେ ସମ୍ମାନ କରିଥାଏ । ସେ ଆପଣଙ୍କ ପର୍ସନାଲ ସ୍ପେସ୍ ସହ ଆପଣଙ୍କ ଇଚ୍ଛା ଏବଂ ପସନ୍ଦକୁ ମଧ୍ୟ ସମ୍ମାନ ଦେଇଥାଏ । ଏକ ଉତ୍ତମ ସମ୍ପର୍କରେ ପାରସ୍ପରିକ ସମ୍ମାନ ରହିବା ଜରୁରୀ ଅଟେ ।
୪. ଶାନ୍ତିରେ ଝଗଡ଼ାର ସମାଧାନ କରିବା: ପ୍ରତି ସମ୍ପର୍କରେ ଛୋଟ ବଡ଼ ରାଗ, ରୁଷା, ମାନ ଅଭିମାନ ରହିଥାଏ । ଏକ ଉତ୍ତମ ପାର୍ଟନର ଏହି ସବୁ ଝଗଡ଼ାକୁ ଅଧିକ ନ ବଢ଼େଇ ଆପଣଙ୍କୁ ମନେଇବା ପାଇଁ ଚେଷ୍ଟା କରିଥାଏ । ସେ ଶାନ୍ତିର ସହ ସବୁ ଝଗଡ଼ା ସମାଧାନ କରିବା ପାଇଁ ଚେଷ୍ଟା କରିଥାଏ । ପ୍ରତି ଛୋଟ କଥାରେ ପାର୍ଟନରଙ୍କ ସହ ଝଗଡ଼ା କରିବା ଠାରୁ ଦୂରେଇ ରୁହନ୍ତୁ । ଏହା ଅପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । ତେଣୁ ଦୁହିଙ୍କ ମଧ୍ୟରେ ଆପୋସ ବୁଝାମଣା ରହିବା ନିଆତି ଆବଶ୍ୟକ ।
୫. ଇମୋସନାଲ ସପୋର୍ଟ: ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଉତ୍ଥାନ ପତନ ଆସିଥାଏ । ଜୀବନରେ ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ପାର୍ଟନରଙ୍କ ଇମୋସନାଲ ସପୋର୍ଟ ଆବଶ୍ୟକ ହୋଇଥାଏ । ଏକ ଉତ୍ତମ ପାର୍ଟନର ସବୁ ପରିସ୍ଥିତିରେ ଆପଣଙ୍କୁ ସହଯୋଗ କରିଥାଏ । ଆପଣଙ୍କୁ ସାହସ ଦେବା ସହ ସକାରାତ୍ମକତା ଦିଗକୁ ନେଇଥାଏ ।