ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ରାଜ୍ୟର ଅଭୟାରଣ୍ୟ, ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳକୁ ପ୍ଲାଷ୍ଟିକ ମନା । ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ଉପରେ ଆଜିଠୁ ଲାଗୁହେଲା କଟକଣା । ତେବେ ରାଜ୍ୟର ସମସ୍ତ ଜାତୀୟ ଉଦ୍ୟାନ ତଥା ଅଭୟାରଣ୍ୟ, ଇକୋ ଟୁରିଜିମ୍ ସ୍ଥଳୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ଲାଗି ପିଇବା ପାଣିର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଜଣାପଡ଼ିଛି। ଏହି କ୍ରମରେ ସୁନାବେଡ଼ା ଅଭୟାରଣ୍ୟରେ ବି ବନବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ। ଅଭୟାରଣ୍ୟର ୩ ପ୍ରବେଶ ପଥ ଚେରେଚୁଆଁ, ଭରୁଆମୁଣ୍ଡା ଓ କେରମେଲି ଚେକ ଗେଟରେ କଡ଼ାକଡ଼ି ଯାଞ୍ଚ ଆରମ୍ଭ ହୋଇଛି।
ସୂଚନା ଥାଉକି, ଅଭୟାରଣ୍ୟରେ ପ୍ଲାଷ୍ଟିକ ବ୍ୟାନକୁ ନେଇ ଗତ ମାର୍ଚ୍ଚ ୪ ତାରିଖ ଦିନ ବନ୍ୟପ୍ରାଣୀ ପିସିସିଏଫ୍ଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଚଳିତ ଏପ୍ରିଲ ୧ ତାରିଖରୁ ଏହି କଟକଣା ଲାଗୁ ହେବା ବୋଲି ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଥିଲା। ତେଣୁ ଏହି ନିର୍ଦ୍ଦେଶନାମା ଅନୁସାରେ ଆଜିଠୁ ପ୍ଲାଷ୍ଟିକ ବ୍ୟାନ ନେଇ କଟକଣା ଲାଗୁ କରାଯାଇଛି । ତେବେ ଅଭୟାରଣ୍ୟ ଭିତରକୁ ଯାଆସ କରୁଥିବା ଗାଡ଼ିଗୁଡ଼ିକର ଯାଞ୍ଚ କରିବା ସହ ପଲିଥିନ ବ୍ୟବହାର ନକରିବାକୁ ବନ କର୍ମଚାରୀ ସଚେତନ କରାଉଛନ୍ତି। ପୂର୍ବରୁ ପର୍ଯ୍ୟଟକମାନେ ଅଭୟାରଣ୍ୟରେ ଏଣେତେଣେ ପଲିଥିନ୍ ଫିଙ୍ଗି ଦେଉଥିବାରୁ ବନ୍ୟଜନ୍ତୁ ମାନେ ପଲିଥିନ୍ ଖାଇ ମୃତ୍ୟୁ ମୁଖରେ ପଡୁଥିଲେ। ଏଣୁ ପଲିଥିନ ବ୍ୟବହାର ବନ୍ଦ କରିବା ସହ ଅଭୟାରଣ୍ୟ ମଧ୍ୟରେ ଥିବା ଡଷ୍ଟବିନର ବ୍ୟବହାର କରିବାକୁ ବନବିଭାଗ ପରାମର୍ଶ ଦେଇଛି।