ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ନେତା-ମନ୍ତ୍ରୀଙ୍କ ମିଶ୍ରଣ ପର୍ବ ଚର୍ଚ୍ଚାରେ ରହିଛି । ଗୋଟିଏ ଦଳର ନେତା ଆଉ ଏକ ଦଳରେ ମିଶି ରାଜନୀତି କରିବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ବିଜେପି ଏହି ମିଶ୍ରଣ ପର୍ବରେ ଅଧିକ ଲାଭବାନ୍ ହୋଇଛି । ମହିଳାଙ୍କ ବିକାଶ ଦିଗରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇଛି ଭାରତୀୟ ଜନତା ପାର୍ଟି । ତେଣୁ ଅନେକ ଲୋକଙ୍କ ଆସ୍ଥାଭାଜନ ମଧ୍ୟ ହୋଇପାରିଛି । ତେବେ ଏହି ବିକାଶ ଧାରାରେ ନିଜକୁ ସାମିଲ କରିଛନ୍ତି ଆଉ ଦୁଇ ନୂଆ ଏବଂ ଚିହ୍ନ ଚେହେରା । ଭୁବନେଶ୍ୱରରେ ‘କାର୍-ଖାନା’ କରି ଚର୍ଚ୍ଚାରେ ରହିଥିବା ଦୁଇ ଭାଉଜ ଏବେ ବିଜେପିରେ ସାମିଲ ହୋଇଛନ୍ତି ।
କାରଖାନା ଭାଉଜ ଏବେ ରାଜନୀତି କରିବେ । ମଇଦାନ ଉପରେ ରହି ବିଜେଡି ସହ ଲଢ଼େଇ କରିବେ । ସାଧାରଣ ନିର୍ବାଚନରେ ତିଆରି କରିବେ ନିଜର ସ୍ୱାତନ୍ତ୍ର ପରିଚୟ । କାରଣ ସେ ଜାଣିସାରିଛନ୍ତ କାରଖାନାରେ ଲୋକଙ୍କୁ ଖାଇବାକୁ ଦେଇ କିଛି ଲାଭ ହେବ ନାହିଁ । ଯଦି ପ୍ରଭାବଶାଳି ହେବାର ଅଛି ତେବେ ରାଜନୀତିକୁ ଓହ୍ଲାଇବାକୁ ପଡ଼ିବ । ହଁ ଆଜ୍ଞା ଲୋକଙ୍କୁ ଖାଇବାକୁ ଦେବା ବହୁତ ହୋଇଗଲା । ଯେତିକି ହୋଟେଲ କଲେ ସେତିକି ହଇରାଣ ମଧ୍ୟ ହେଲେ । ଏବେ ଆଉ ହୋଟେଲରେ ଯାଇ ରୋଷଇ କରିବା ବନ୍ଦ । ଏବେ ଦୁଇ ଜା ମିଶି ରାଜନୀତି କରିବେ । ନିର୍ବାଚନରେ ବିଜେପିକୁ ଜିତାଇବାକୁ କରିବେ ପ୍ରୟାସ । କାରଣ ବିଜେପିରେ ମିଶିଛନ୍ତି କାରଖାନା ଭାଉଜ ।
ଭାରତୀୟ ଜନତା ପାର୍ଟିର ସଦସ୍ୟ ବସନ୍ତ ପଣ୍ଡା ଏବଂ ସମିର ମହାନ୍ତି ନବାଗତା ନେତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ମୁଣ୍ଡରେ ବିଜେପି ଟୋପି ବେକରେ ପକାଇଛନ୍ତି ବିଜେପି ଗାମୁଛା । ଯେଉଁ ମାନେ ବେକରେ ଆଫ୍ରୋନ ପକାଇ ଗରାଖ ମାନଙ୍କୁ ଖାଇବା ପରଷୁଥିଲେ ସେମାନଙ୍କ ବେକରେ ଏବେ ପଡ଼ିଛି ବିଜେପି ପତାକା । ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛନ୍ତି କାରଖାନା ଭାଉଜ । ଏବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଯାହା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି । ଏମିତି ଅଚାନ କାରଖାନା ଭାଉଜଙ୍କ ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଖାଇବାକୁ ଆସିଥିବା ଗରାଖ ମାନେ । ଭଲ ଖାଇବା ମିଳିବକି ନାହିଁ ସେ ଚିନ୍ତାରେ ଏବେ ରହିଛନ୍ତି ।
କାରଖାନା ଭାଉଜ ରାଜଧାନୀରେ ମାତ୍ର ଅଳ୍ପ ଦିନରେ ଆକର୍ଶଣର କେନ୍ଦ୍ର ପାଲଟିଥିଲେ । ମାତ୍ର ଅଳ୍ପ ମୂଲ୍ୟରେ ସୁସ୍ୱାଦୁ ଖାଦ୍ୟ ପରଶିଦେବା ଥିଲା କାରଖାନାର ଲକ୍ଷ । ଯେଉଁଥିପାଇଁ ପ୍ରତିଦିନ ଶହ ଶହ ଲୋକଙ୍କର ଭିଡ଼ ଦୋକାନ ଆଗରେ ଜମୁଥିଲା । ତେବେ ଅନେକ ଥର କାରଖାନାକୁ ରାସ୍ତା ଉପରେ ଗହଳି ପାଇଁ ନୋଟିସ କରାଯାଇଛି । ଦୋକାନ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଉଠାଇ ଦିଆଯାଇଥିଲା । ଆଉ ଏବେ କିନ୍ତୁ ବିଜେପିରେ ସାମିଲ ହୋଇଛନ୍ତି କାରଖାନା ଭାଉଜ । ଯେଉଁ ହାତରେ ଲୋକଙ୍କୁ ଖୁଆଉଥିଲେ ସେହି ହାତରେ ଏବେ ରାଜନୀତି ପରସିବେ ।