ବରିଷ୍ଠଙ୍କୁ ବାହାରର ରାସ୍ତା ଦେଖାଇବାକୁ ଯାଇ ନବୀନଙ୍କୁ ଗୌଣ କରିଦେଲେ କନିଷ୍ଠ

ଭୁବନେଶ୍ୱର: ଗତ କାଲି ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଥିଲା । ବହୁ ବର୍ଷ ପରେ ନବୀନ ତାଙ୍କ ଜନ୍ମଦିନ ଦଳୀୟ କର୍ମକର୍ତ୍ତା, ଶୁଭେଚ୍ଛୁଙ୍କ ସହ ମନାଇଥିଲେ । କାରଣ ସେ ଏବେ ଶାସନରେ ନାହାନ୍ତି କି ରାଜ୍ୟବାସୀଙ୍କ କୌଣସି ସମସ୍ୟା ପାଇଁ ଜନ୍ମଦିନ ପାଳନ ଏଡାଇ ମହାନ ହେବେ, ତଥା ଚଳିତ ବର୍ଷ ମଧ୍ୟ ଭଗବାନଙ୍କ ଦୟାରୁ ରାଜ୍ୟରେ ସେମିତି କୌଣସି ପ୍ରାକୃତିକ ବା ମନୁଷ୍ୟକୃତ ଅଘଟଣ ଘଟିନାହିଁ । ତେଣୁ ଚଳିତ ଜନ୍ମଦିନ ପାଳନରେ କିଛି ଅସୁବିଧା ନ ଥିଲା । ହେଲେ ଦଳୀୟ ନେତା ନବୀନଙ୍କ ଜନ୍ମଦିନ ପାଳନ କରିବେ କଣ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ମେଘନାଦ ପାଚେରୀ ପରି ଠିଆହୋଇଥିଲେ ।

ତେବେ ଏମାନଙ୍କ କାନ୍ଦଣା ଦେଖି ପ୍ରସିଦ୍ଧ ହିନ୍ଦୀ ଚଳଚିତ୍ର ଲୈଲା ମଜନୁର ଗୀତଟି ମନେପଡୁଛି । କୋଇ ପଥର ସେ ନା ମାରେ ମେରେ ଦିବାନେ କୋ … । ଲୈଲା ଦିବାନା କହିଥିଲେ ଆଉ ଏହି ନେତାମାନେ କହୁଛନ୍ତି ସାର । ଆମ ସାରଙ୍କୁ କେହି କିଛି କୁହନ୍ତୁ ନାହିଁ ।

ଗତକାଲି ନବୀନ ନିବାସରେ ବହୁ ଦଳୀୟ ନେତା, ନେତ୍ରୀ, କର୍ମୀମାନେ ପହଞ୍ଚି ଦଳାଧିପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଦଳ ପାଇଁ ଏକ ବଡ ଦିନ ମଧ୍ୟ ଥିଲା । କାରଣ ଦଳ କହିଲେ ଆଜିବି ରାଜ୍ୟବାସୀ ନବୀନଙ୍କୁ ବୁଝନ୍ତି ଓ ନବୀନ କହିଲେ ବିଜେଡିକୁ ବୁଝାଯାଏ । ଏ କଥା ଦଳୀୟ କର୍ମକର୍ତ୍ତା ମଧ୍ୟ ବହୁବାର କହିଛନ୍ତି । ତେଣୁ ଏକ ବଡ ଉତ୍ସବର ଦିନ ବିଜେଡି ପାଇଁ ଥିଲା ଗତକାଲି । ଏହା ସତ୍ତେ୍ୱ ଦୁଇ ନେତା ନବୀନଙ୍କୁ ଗୌଣ କରିଦେଲେ ସେମାନଙ୍କ ବୟାନ ଦେଇ । କିଛି ଦିନ ହେଲା ଅମର ଲଗାଇଥିବା ନିଆଁରେ ଜଳୁଛି ବିଜେଡି । ତାପରେ ପୁଣି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଦଳର ଜୁନିୟର ଦଳପତି ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ଖୋଲାଖୋଲି ଯେଉଁ ବୟାନ ଦେଲେ ତାକୁ ସମ୍ଭାଳି ପାରିନାହାନ୍ତି ପାଣ୍ଡିଆନ ଗୋଷ୍ଠୀ । ତେଣୁ ନବୀନଙ୍କ ଜନ୍ମଦିନ ଅବସରରେ ଦୁଇ ନେତା ପାଣ୍ଡିଆନଙ୍କ ପାଇଁ ଏମିତି ଛଟପଟ ହୋଇଛନ୍ତି କି ଏହାକୁ ନେଇ ରାଜନୈତିକ ସମୀକ୍ଷ କରୁଛନ୍ତି ଆଲୋଚନା, ପର୍ଯ୍ୟାଲୋଚନା ।

କଟକରେ ଦଳ ସୁପ୍ରିମୋଙ୍କ ଜନ୍ମଦିନ ଅବସରରେ ବିଜେଡିର ରାଜନୈତିକ ସଚିବ ହୋଇଥିବା ସଂତୃପ୍ତ ମିଶ୍ର ଅମର, ପ୍ରସନ୍ନ ଓ ଅନ୍ୟ ଅସନ୍ତୁଷ୍ଟ ଦଳୀୟ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି କି, ପତ୍ରଝଡା ଦେଲେ ମହାଦ୍ରୁମ ଦୁର୍ବଳ ହୁଏନାହିଁ । ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ଛାଡି ପାରନ୍ତି । ଏଥିରେ ଦଳରେ କୌଣସି ଫରକ ପଡିବ ନାହିଁ ଓ ସେମାନେ ନିଜ ସ୍ୱାର୍ଥ ସାଧନ ପାଇଁ ଏମିତି କରୁଛନ୍ତି । ଏଥିସହ ପାଣ୍ଡିଆନଙ୍କୁ ଆକ୍ଷେପ କରୁଥିବା ନେତାଙ୍କୁ ଅନ୍ୟ ଦଳ ଟ୍ରକ୍, ଟ୍ରେନ ଲଗାଇ ବୋହି ନେବାକୁ କହିଥିବା ଚର୍ଚ୍ଚା ହେଉଛି । ସେହିପରି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ ସମାନ କଥା କହିଛନ୍ତି ଅସନ୍ତୁଷ୍ଟଙ୍କ ଉଦ୍ଦେଶ୍ୟରେ । ଦଳ ଛାଡିବାକୁ ସେ ମଧ୍ୟ ଦେଉଛନ୍ତି ନିର୍ଦ୍ଦେଶ । ଏହା ପୂର୍ବରୁ ଲେନିନ ବି ସମାନ କଥା କହିଥିଲେ ।

ତେବେ ଏହି ଯୁବ ନେତାମାନଙ୍କ ଏମିତି ବୟାନ ବାଜିକୁ ନେଇ କୁହାଯାଉଛି କି, ପାଣ୍ଡିଆନଙ୍କ ପ୍ରତି ଅମରଙ୍କ ହେୟଜ୍ଞାନ ଓ ପ୍ରସନ୍ନଙ୍କ ସିଧା ଆକ୍ରମଣ ବିଜେଡିର କିଛି ନେତାଙ୍କୁ ଗଭୀର ଆଘାତ ଦେଇଛି ବା ପାଣ୍ଡିଆନଙ୍କ ନିର୍ଦ୍ଦେଶରେ ଏମାନେ ଦଳର ପୁରୁଖାଙ୍କୁ ବାହାର କରି ତାଙ୍କ ପାଇଁ ଦଳକୁ ସୁରକ୍ଷିତ କରୁଛନ୍ତି । ଯେଉଁଥି ପାଇଁ ନବୀନଙ୍କ ଜନ୍ମଦିନ ପରି ଦିନରେ ନବୀନଙ୍କୁ ଗୁରୁତ୍ୱ ଦେବା ବଦଳରେ ସଂତୃପ୍ତ ଓ ଦେବାଶିଷ ପାଣ୍ଡିଆନଙ୍କ ପାଇଁ ବାହୁନୁଥିବା କହୁଛନ୍ତି ରାଜନୈତିକ ବିଶାରଦ ।

ସମସ୍ତ ନେତା କହୁଛନ୍ତି ଯାହା ଆକ୍ରମଣ କରିବା କଥା ନବୀନଙ୍କୁ କରନ୍ତୁ, କିନ୍ତୁ ପାଣ୍ଡିଆନଙ୍କୁ ନୁହେଁ । ଯଦି ସତ ସାହସ ଅଛି ଯାହା ପଚାରିବା କଥା ନବୀନଙ୍କୁ ପଚାରନ୍ତୁ, । ଏଥିରେ ପାଣ୍ଡିଆନଙ୍କୁ ଅଯଥା ଟାଣନ୍ତୁ ନାହିଁ । ଏହି ୩ ନେତାଙ୍କ ପାଣ୍ଡିଆନଙ୍କ ପାଇଁ ବିଳାପ ଦେଖି ଲୋକେ କହୁଛନ୍ତି, ଏଥିରୁ ପ୍ରମାଣିତ ହେଉଛି, ଏମାନଙ୍କ ପାଇଁ ନବୀନଙ୍କର କୌଣସି ଗୁରୁତ୍ୱ ନାହିଁ । ପାଣ୍ଡିଆନ ହିଁ ସବୁକିଛି । ତାଙ୍କ ପ୍ରତି କେହି କିଛି କହିଲେ କନିଷ୍ଠମାନେ ସହ୍ୟ କରିପାରୁ ନାହିଁ ।

Get real time updates directly on you device, subscribe now.