ଭାଇ ଛାଡିଥିବା ୱାଇନାଡରୁ ନାମାଙ୍କନ ଭରିଲେ ପ୍ରିୟଙ୍କା ଗାନ୍ଧୀ ୱାଡ୍ରା, ସାଙ୍ଗରେ ଥିଲେ ସ୍ୱାମୀ ରବର୍ଟ

ୱାଇନାଡ: ନାମାଙ୍କନ ପତ୍ର ଭରିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । କେରଳର ୱାଇନାଡ ଆସନ ରାହୁଲ ଛାଡିବା ପରେ ଏହି ଆସନ ଖାଲି ଥିବା ବେଳେ ଏଠି ହେବାକୁ ଯାଉଥିବା ଉପନିର୍ବାଚନ ପାଇଁ ପ୍ରୟଙ୍କା ଭାଇ ରାହୁଲ ଗାନ୍ଧୀ, ମାଆ ସୋନିଆ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ଯାଇ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ଆଗରୁ ପ୍ରିୟଙ୍କା ଏକ ବିରାଟ ରୋଡ ସୋରେ ଯାଇଥିଲେ ଓ ଜନସଭାକୁ ଉଦବୋଧନ ଦେଇଥିଲେ ।

ଦିନ ୧୧ଟାରେ ପ୍ରିୟଙ୍କା ଦଳୀୟ ନେତୃତ୍ୱଙ୍କ ସହ ରୋଡ ସୋରେ ବାହାରି ଥିଲେ । ଏହି ସୋ କଲପେଟ୍ଟା ନୂଆ ବସ ଷ୍ଟାଣ୍ଡରୁ ବାହାରି ଥିଲା । ଏହା ପରେ ପ୍ରିୟଙ୍କା ଏକ ଜନସଭାରେ ଉଦବୋଧନ ଦେଇଥିଲେ । ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଜନସଭାରେ ନିଜ ପାଇଁ ଜନସମର୍ଥନ ଲୋଡିଥିଲେ । ନିଜ ଭାଷଣରେ ପ୍ରିୟଙ୍କା କହିଥିଲେ କି, ବିଗତ ୩୫ ବର୍ଷ ହେଲା ମୁଁ ଅଲଗା ଅଲଗା ନିର୍ବାଚନରେ ପ୍ରଚାର କରିଛି ଅନ୍ୟମାନଙ୍କ ପାଇଁ । ଏହା ପ୍ରଥମ, ମୁଁ ମୋ ପାଇଁ ଆପଣମାନଙ୍କ ସମର୍ଥନ ଲୋଡୁଛି । ଏହା ଏକ ଭିନ୍ନ ଅନୁଭୂତି । ଏଥିପାଇଁ ସେ ମଲ୍ଲିକାର୍ଜୁନ ଖଡଗେଙ୍କୁ ତାଙ୍କୁ ପ୍ରାର୍ଥୀ ଚୟନ କରିଥିବାରୁ ଧନ୍ୟବାଦ ଦେଇଥିଲେ ।

ପ୍ରିୟଙ୍କା କହିଥିଲେ, ମୁଁ ମାତ୍ର ୧୭ ବର୍ଷର ଥିଲି, ୧୯୮୯ରେ ପ୍ରଥମ ଥର ପାଇଁ ମୋ ବାପାଙ୍କ ପାଇଁ ପ୍ରଚାର କରିଥିଲି । ଏହାରି ଭିତରେ ୩୫ ବର୍ଷ ଅତିବାହିତ ହୋଇଛି । ମୁଁ ମୋ ଭାଇ ଓ ମାଆଙ୍କ ପାଇଁ ପ୍ରଚାର କରିଛି । ପ୍ରିୟଙ୍କାଙ୍କ ପାଇଁ ହୋଇଥିବା ରୋଡ ସୋ ଓ ନାମାଙ୍କନ ଭରିବା ବେଳେ ସେ ଏକ ବାଇଗଣି ରଙ୍ଗର ଶାଢୀରେ ଦେଖିବାକୁ ମିଳିଥିଲେ । ତାଙ୍କ ସହ ସ୍ୱାମୀ ରବର୍ଟ ଭଦ୍ରା ମଧ୍ୟ ଥିଲେ ।