ବିମାନରେ ବୋମା ଗୁଜବ: ଆଇନରେ ସଂଶୋଧନ ପାଇଁ ବିଭାଗ ଚିନ୍ତା କରୁଛି କହିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ବିଗତ କିଛି ଦିନ ହେବ ବିମାନରେ ବୋମା ନେଇ ଗୁଜବ ଚିନ୍ତାର କାରଣ ହୋଇଛି । ଏହାକୁ ଗମ୍ଭୀରତା ସହ ନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ମନ୍ତ୍ରଣାଳୟ ତରଫରୁ ଆଜି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ସହ ଆଲୋଚନା କରାଯାଇଛି । ଯେଉଁ ମାଧ୍ୟମରେ ଏପରି ଅପପ୍ରଚାର କରାଯାଉଛି । ବିଭାଗର ଜଏଣ୍ଟ ସେକ୍ରେଟାରୀ ସଙ୍କେତ ଏସ ଭୋଣ୍ଡବେ ଏକ୍ସ, ମେଟା ଓ ଏୟାରଲାଇନ୍ସର ପ୍ରତିନିଧିଙ୍କ ସହ ଭର୍ଚୁଆଲ ବୈଠକ କରିଛନ୍ତି ।

ସୂତ୍ରରୁ ପ୍ରକାଶ କି, ଏଥିରେ ମେଟା ଓ ଏକ୍ସର ପ୍ରତିନିଧି ଏମିତି ଗୁଜବର ପ୍ରସାରଣ ଉତ୍ସ ଉପରେ ପ୍ରତିବନ୍ଧକ ଲଗାଇ ଏହାର ପ୍ରସାରଣ ବନ୍ଦ କରିବାକୁ କି ପ୍ରକାର ପଦକ୍ଷେପ ନେଇଛନ୍ତି ବୋଲି ଅଧିକାରୀ ପ୍ରଶ୍ନ କରିଛନ୍ତି । ବିଗତ କିଛି ଦିନରେ ଭାରତୀୟ ବିମାନ କମ୍ପାନୀ ଦ୍ୱାରା ୧୨୦ରୁ ଅଧିକ ବିମାନକୁ ବୋମା ଧମକ ଦିଆଯାଇଛି । ଗତକାଲି ଇଣ୍ଡିଗୋ, ବିସ୍ତରା, ଏୟାର ଇଣ୍ଡିଆର ୩୦ ବିମାନକୁ ଏମିତି ଧମକ ମିଳିଛି । ଏୟାର ଇଣ୍ଡିଆ କହିଛି କି,

ସେମାନେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜୁଅର ଅନୁପାଳନ କରିଛନ୍ତି । କର୍ତ୍ତୃପକ୍ଷ ସତର୍କ ରହିବା ସହ ସୁରକ୍ଷା ନିୟମର ପାଳନ କରିଛନ୍ତି ।
ଏହାକୁ ନେଇ ସୋମବାରର ପରିସ୍ଥିତି ଉପରେ ସମ୍ୟକ ବିବରଣୀ ଦେବା ଅବସରରେ ସିଭିଲ ଆଭିଏସନ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଥିଲେ କି, ଯାତ୍ରୀଙ୍କ ସୁରକ୍ଷା ସହ କୌଣସି ବୁଝାମଣା ନ କରି ସରକାର ଏହାର ମୁକାବିଲା ପାଇଁ ଚେଷ୍ଟା ଜାରି ରଖିଛି । ଏମିତି ଗୁଜବ ପ୍ରସାର କରୁଥିବା ବ୍ୟକ୍ତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ନୋ ଫ୍ଲାଇଂ ଲିଷ୍ଟଭୁକ୍ତ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

ସରକାର ସିଭିଲ ଆଭିଏସନ ଆକ୍ଟର ଉଲ୍ଳଙ୍ଘନ କରି ବେଆଇନ କାମର ଦମନ ପାଇଁ ଆକ୍ଟରେ ସଂଶୋଧନ କରିବାକୁ ପ୍ରସ୍ତୁତି କରୁଛି, ଯେମିତି ବିମାନ ଉଡାଣ ଭରିବା ଆଗରୁ ଅପରାଧୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇପାରିବ । ବର୍ତ୍ତମାନ ଆଭିଏସନ ସିକ୍ୟୁରିଟି ମାନଦଣ୍ଡ ବ୍ୟାପକ ଭାବେ ଉଡାଣ କାଳରେ କାମ କରୁଛି । ନିୟମରେ ସଂଶୋଧନ ପାଇଁ ଆଇନଜ୍ଞ କାମ କରୁଛନ୍ତି । ଏହା ଉପରେ ଅନ୍ୟାନ୍ୟ ବିଭାଗର ମନ୍ତ୍ରୀମାନଙ୍କ ସହ ଆଲୋଚନାର ଆବଶ୍ୟକତା ରହିଛି ।

ତେବେ ଏହା ପଛରେ କୌଣସି ଗହନ ଷଡଯନ୍ତ୍ର ରହିଛି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ କି, ଏହା ଉପରେ ତଦନ୍ତ ଜାରି ରହିଛି । ବିନା ଯାଞ୍ଚରେ ଏହା ଉପରେ କିଛି କହିବା ଆମ ପକ୍ଷରେ ସମ୍ଭବ ନୁହେଁ । ଏପରି ଧମକ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ସହ ସୁରକ୍ଷା ଏଜେନ୍ସିଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛିି । ଏଥିପାଇଁ ବହୁ ଅନ୍ତର୍ଜାତୀୟ ଉଡାଣ ପରିବାର୍ତ୍ତନ କରିବାକୁ ହୋଇଛି । ଆମର କାମକୁ ଗତିଶୀଳ ରଖିଥିଲେ ମଧ୍ୟ କଠୋର ହୋଇନୁ । ଏଥିରୁ ଶିକ୍ଷା ଗ୍ରହଣ କରିବାକୁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ।

ଆମେ ନିୟମିତ ଭାବେ ଆଇନ ପ୍ରବର୍ତ୍ତନ ସଂସ୍ଥାଗୁଡିକ ସହ ଆଲୋଚନା କରୁଛୁ । କାର୍ଯ୍ୟଧାରାକୁ ତ୍ୱରାନ୍ୱିତ କରୁଛୁ । ଆମେ ଏହାକୁ ଦକ୍ଷତାର ସହ ମୁକାବିଲା କରିବା ସହ ଯାତ୍ରୀଙ୍କ ସୁରକ୍ଷା ସହ କୌଣସି ବି ବିଝାମଣା କରିବାକୁ ଚାହୁଁ ନାହୁଁ । ସେ ଆହୁରି କହିଛନ୍ତି କି, ଯଦିଓ ଏସବୁ ଗୁଜବପୂର୍ଣ୍ଣ ଧମକ, ଏହାକୁ ସେମାନେ ଗମ୍ଭୀରତା ସହ ନେଉଛନ୍ତି । ବିମାନ ବନ୍ଦରରେ ସୁରକ୍ଷାକୁ କଡା କରାଯାଇଛି ଓ ଚେକିଂ ଓ ଚେକପୋଷ୍ଟରେ ଯାଞ୍ଚକୁ ବ୍ୟାପକ କରାଯାଇଛି । ବିମାନ ବନ୍ଦରରେ ସିସିଟିଭି କ୍ୟାମେରା ସଂଖ୍ୟା ବଢାଇ ପ୍ରତି ଘଟଣାକୁ ତନତନ କରି ଯାଞ୍ଚ କରୁଛୁ ।