ସଡ଼କ ଦୁର୍ଘଟଣାରେ ଆଧ୍ୟାତ୍ମିକ ଗୁରୁ କୃପାଳୁ ମହାରାଜଙ୍କ ବଡ଼ ଝିଅଙ୍କ ମୃତ୍ୟୁ: ଅନ୍ୟ ଦୁଇ ଝିଅ ଗମ୍ଭୀର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଯମୁନା ଏକ୍ସପ୍ରେସୱେରେ ଆଜି ସକାଳୁ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ କୃପାଳୁ ମହାରାଜଙ୍କ ବଡ଼ ଝିଅ ବିଶାଖା ତ୍ରିପାଠୀଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଅନ୍ୟ ଦୁଇ ଝିଅଙ୍କ କୃଷ୍ଣା ତ୍ରିପାଠୀ ଓ ଶ୍ୟାମା ତ୍ରିପାଠୀଙ୍କ ଅବସ୍ଥା ଗମ୍ଭୀର ରହିଛି । ଦୁହେଁ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଦନକୌର ଥାନା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିଲା । ସିଙ୍ଗାପୁର ଯିବା ପାଇଁ ଦିଲ୍ଲୀ ଏୟାରପୋର୍ଟ ଅଭିମୂଖେ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।
ଖବର ମୁତାବକ, ଦନକୌର ଥାନା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ୮ କିମି ବୋର୍ଡ ନିକଟରେ ଏକ କଣ୍ଟେନର ୩ ଭଉଣୀଙ୍କ ଇନେଭା ହାୟ କ୍ରସ ଓ ଟୟୋଟା କେମରୀକୁ ପଛଆଡ଼ୁ ଜୋରରେ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ମୋଟ ୮ ଜଣ ଆହତ ହୋଇଥିଲା । ଦୁର୍ଘଟଣା ପରେ ସଙ୍ଗେସଙ୍ଗେ ଆହତଙ୍କୁ କୈଲାଶ ହସ୍ପିଟାଲରେ ନିଆଯାଇଥିଲା ଓ ସେଠାରୁ ଦିଲ୍ଲୀର ଆପୋଲୋ ହସ୍ପିଟାଲକୁ ରେଫର କରାଯାଇଥିଲା । ସେଠାରେ କୃପାଳୁ ମହାରାଜଙ୍କ ବଡ଼ ଝିଅ ବିଶାଖାଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟଦୁଇ ଝିଅ ଶ୍ୟାମା ଓ କୃଷ୍ଣାଙ୍କ ଅବସ୍ଥା ଗମ୍ଭୀର ରହିଛି । ଏହି ଦୁର୍ଘଟଣା ପରେ ଜଗଦଗୁରୁ କୃପାଳୁ ମହାରାଜ ଟ୍ରଷ୍ଟ ପକ୍ଷରୁ ଏକ ଶୋକ ସନ୍ଦେଶ ଜାରି କରାଯାଇଛି । ବିଶାଖା କୃପାଳୁ ପରିଷଦ (କୃପାଳୁ ଧାମ, ମାନଗଡ଼)ର ଅଧ୍ୟକ୍ଷ ଥିଲେ । ଏଥିସହିତ ସେ ଟ୍ରଷ୍ଟର ଶିକ୍ଷା ସଂସ୍ଥା ଓ ହସ୍ପିଟାଲଗୁଡ଼ିକର କାମ ମଧ୍ୟ ଦେଖୁଥିଲେ ।