ବିଧାୟକଙ୍କର କଟିଲା ଟ୍ରାଫିକ୍ ଚାଲାଣ: କଥା ନ ମାନିବାରୁ ଗାଡ଼ିର ଡ୍ରାଇଭରଙ୍କ ଚାକିରି ଗଲା

ନୂଆଦିଲ୍ଲୀ: ଅନେକ ସମୟରେ ଟ୍ରାଫିକ୍ ନିୟମ ଅବମାନନା କାରଣରୁ ଅନେକ ଲୋକଙ୍କର ଚାଲାଣ କଟିଥାଏ । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଜଣେ ବିଜେପି ବିଧାୟକଙ୍କର ଗାଡ଼ିର ଟ୍ରାଫିକ୍ ଚାଲାଣ କାଟିଛି ଟ୍ରାଫିକ୍ ପୋଲିସ । ପାଟନାର ବିଜେପି କାର୍ଯ୍ୟାଳୟ ବାହାରେ ନୋ-ପାର୍କିଂରେ ଗାଡ଼ି ରଖିବା କାରଣରୁ ୨୩ଟି ଗାଡ଼ିର ଚାଲାଣ କାଟିଛି ପୋଲିସ । ସେଥିମଧ୍ୟରେୁ କିଛି ବିଧାୟକ ଓ କାର୍ଯ୍ୟକର୍ତ୍ତାଙ୍କ ଗାଡ଼ି ସାମିଲ ଥିଲା । ଟ୍ରାଫିକ ଏସପିଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ତେବେ ଦାୟିତ୍ୱହୀନତା କାରଣରୁ ଜଣେ ବିଧାୟିକା ଡ୍ରାଇଭରଙ୍କୁ ଚାକିରିରି ବାହାର କରିଦେଇଛନ୍ତି ।

ପାଟନାର ବୀରଚନ୍ଦ ପଟେଲ ରୋଡ଼ରେ ବିଜେପି କାର୍ଯ୍ୟାଳୟ ବାହାରେ ନୋ-ପାର୍କିଂରେ ୨୩ଟି ଗାଡ଼ି ରହିଥିଲା । ସେହିସବୁ ଗାଡ଼ି ଉପରେ ଟ୍ରାଫିକ ପୋଲିସ ଚାଲାଣ କାଟିଛି । ଗତ ୨୬ ତାରିଖ ରାତିରେ ବିଜେପି ବିଧାନ ମଣ୍ଡଳ ଦଳର ବୈଠକ ସମୟରେ ଅନେକ ବିଧାୟକ ଓ କାର୍ଯ୍ୟକର୍ତ୍ତା ନିଜର ଗାଡ଼ିକୁ ସଡ଼କରେ ପାର୍କିଂ କରିଥିଲେ । ଫଳରେ ସେହି ଅଞ୍ଚଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା । ଜାମ୍ ସୂଚନା ପାଇ ଟ୍ରାଫିକ ଏସପି ଘଟଣାସ୍ଥଳରେ ପହଞ୍ଚି ୨୩ଟି ଗାଡ଼ିର ଚାଲାଣ କରିବାକୁ ଆଦେଶ ଦେଇଥିଲେ । ସେଥିମଧ୍ୟରେ ବିଜେପିର ମୋହନିୟା ବିଧାୟିକା ସଙ୍ଗୀତା କୁମାରୀଙ୍କ ଗାଡ଼ି ମଧ୍ୟ ସାମିଲ ଥିଲା । ତେବେ ଏହାପରେ ବିଧାୟିକା ତ୍ୱରିତ ଭାବେ ଡ୍ରାଇଭରକୁ ଚାକିରିରୁ ବାହାର କରିଦେଇଥିଲେ । ସେ ଗାଡ଼ିକୁ ଘରକୁ ନେବାକୁ କହିଥିଲେ, ମାତ୍ର ଡ୍ରାଇଭର ତାଙ୍କ କଥା ମାନି ନଥିବା ବିଧାୟିକା କହିଥିଲେ । ଗାଡ଼ିକୁ ହଟାଇବା ପାଇଁ ପୋଲିସ ଯେତେବେଳେ କ୍ରେନ ଆଣିଥିଲା, ସେତେବେଳେ ବିଜେପି ନେତାଙ୍କ ଅନୁରୋଧ କ୍ରମେ ଗାଡ଼ି ଉଠାଇବା ବଦଳରେ ଚାଲାଣ କଟିଥିଲା ।