ନୂଆଦିଲ୍ଲୀ: ପୁଣିଥରେ ଆରମ୍ଭ ହୋଇଯାଇଛି କୃଷକ ଆନେ୍ଦାଳନ । ଦାବି ପୂରା କରାଯିବା ନେଇ ସୋମବାର ଆରମ୍ଭ କରିଛନ୍ତି ଦିଲ୍ଲୀ ଚଲୋ ମାର୍ଚ୍ଚ । ଯେଉଁ କାରଣରୁ ଦିଲ୍ଲୀରୁ ନୋଏଡା ଅଭିମୁଖେ ଯାତ୍ରା ବାଧାପ୍ରାପ୍ତ ହୋଇଛି । ରାସ୍ତାରେ ଟ୍ରାଫିକ୍ ଜାମ୍ କାରଣରୁ ସାଧାରଣ ଲୋକଙ୍କୁ ଗମନାଗମନଜନିତ ଅସୁବିଧା ଭୋଗିବାକୁ ପଡ଼ିଛି । ଗତ ୨୭ ତାରିଖରେ କୃଷକ ଗ୍ରେଟର ନୋଏଡା ପ୍ରାଧିକରଣ ଏବଂ ୨୮ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଯମୁନା ପ୍ରାଧିକରଣରେ ଧାରଣାରେ ବସିଥିଲେ । ସୋମବାର ଆନେ୍ଦାଳନର ଶେଷ ଦିନରେ କୃଷକମାନେ ସଂସଦ ଆଭିମୁଖେ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଅପ୍ରିତିକର ପରିସ୍ଥିତିକୁ ନଜରରେ ରଖି ଦିଲ୍ଲୀ ପୋଲିସ ପକ୍ଷରୁ ସ୍ଥାନେସ୍ଥାନେ ବ୍ୟାରିକେଟ୍ ଲଗାଯିବା ସହ ପୋଲିସ ମୁତୟନ କରାଯାଇଥିଲା । କିନ୍ତୁ ଏତେସବୁ ପରେ ମଧ୍ୟ ଆନେ୍ଦାଳନକାରୀ କୃଷକ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । କୃଷକମାନେ ବ୍ୟାରିକେଟ୍ ଭାଙ୍ଗିବା ସହ ଦିଲ୍ଲୀ ଭିତରକୁ ପ୍ରବେଶ କରିଛନ୍ତି । ଏହାଛଡ଼ା ଦିଲ୍ଲୀର ଅନ୍ୟ ସୀମାଗୁଡ଼ିକୁ ବ୍ୟାରିୟର ଦେଇ ବନ୍ଦ କରିଦିଆଯାଇଛି ।
କୃଷକଙ୍କ ପକ୍ଷରୁ କରାଯାଉଥିବା ଏହି ମାର୍ଚ୍ଚରେ ପାଖାପାଖି ୧୪ କୃଷକ ସଙ୍ଗଠନ ସାମିଲ ଅଛନ୍ତି । ଯେଉଁଥିରେ ୪୦ରୁ ୪୫ ହଜାର କୃଷକ ଉତ୍ତରପ୍ରଦେଶ ଗୌତମବୁଦ୍ଧ ନଗର, ବୁଲନ୍ଦ ସହର ଅଲ୍ଲୀଗଡ଼, ଆଗ୍ରା ସମେତ ଅନେକ ଜିଲାରେ ଆନେ୍ଦାଳଦ ଜାରି ରଖିଛନ୍ତି । କୃଷକ ଆନେ୍ଦାଳନ ପଛରେ ସେମାନଙ୍କ ପ୍ରମୁଖ ୫ ଦାବି ରହିଛି ସେଗୁଡ଼ିକ ହେଲା, ପୂର୍ବରୁ ସରକାର କରିଥିବା ଭୂମି ଅଧିଗ୍ରହଣ ଅନ୍ତର୍ଗତ ୧୦% ସମ୍ପୂର୍ଣ୍ଣ ଏବଂ ୬୪.୭% ଅଧିକ କ୍ଷତିପୂରଣ ଦିଅନ୍ତୁ । ୧ ଜାନୁୟାରୀ ୨୦୧୪ ପରେ ଅଧିଗ୍ରହଣ ଭୂମି ଉପରେ ବଜାର ମୂଲ୍ୟଠାରୁ ୪ ଗୁଣା କ୍ଷତିପୂରଣ ସାଙ୍ଗକୁ ୨୦% ସମ୍ପୂର୍ଣ୍ଣ ରାଶି ଦିଆଯାଉ । ଭୂମିହୀନ କୃଷକଙ୍କ ପିଲାମାନଙ୍କୁ ରୋଜଗାର ସୁବିଧା ମିଳୁ । ହାଇ ପାୱାର କମିଟି ଦ୍ୱାରା ପାସ୍ ହୋଇଥିବା ମୁଦ୍ଦା ଉପରେ ସରକାରୀ ଆଦେଶ ଜାରି କରାଯାଉ ଇତ୍ୟାଦି । ରାସ୍ତାକୁ ଓହ୍ଲାଇଥିବା କୃଷକଙ୍କ ପାଇଁ ସଡ଼କ ଜାମ୍ ହେବା କାରଣରୁ କୃଷକମାନେ ଦଳିତ ପ୍ରେରଣା ସ୍ଥଳ ଭିତରେ ଆନେ୍ଦାଳନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ୟା ଭିତରେ ମୁଖ୍ୟ ସଚିବ କୃଷକଙ୍କ ସହ ଆଲୋଚନା ପାଇଁ ପ୍ରସ୍ଥାବ ଦେଇଥିବାବେଳେ ଏ ନେଇ ସଙ୍ଗଠନ ମଧ୍ୟରେ ଆଲୋଚନା ହୋଇ ନିଷ୍ପତ୍ତି ନିଆଯିବା । ଯାହାପରେ ଦୁଇ ପକ୍ଷ ଭିତରେ କଥାବାର୍ତ୍ତା ହେବ ବୋଲି କୁହାଯାଉଛି ।