ରାଗରେ ନିଆଁବାଣ ହେଲେ ହରଭଜନ: କହିଲେ ”କୁକୁର…”, ସୋସିଆଲ ମିଡିଆରେ ଆସିଲା ଝଡ଼

ହରଭଜନ ସିଂହ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ'ରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ତାଙ୍କର ପୋଷ୍ଟରେ ଏପରି ଲେଖିଥିଲେ, ଯାହା ସମସ୍ତଙ୍କୁ କିଛି ଭାବିବାକୁ ବାଧ୍ୟ କରିଥିଲା।

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ ରାଗରେ ନିଆଁବାଣ ହୋଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ହରଭଜନ ତାଙ୍କର ପୋଷ୍ଟରେ ଏପରି ଲେଖିଥିଲେ, ଯାହା ସମସ୍ତଙ୍କୁ କିଛି ଭାବିବାକୁ ବାଧ୍ୟ କରିଥିଲା। ହରଭଜନଙ୍କ ପୋଷ୍ଟ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇ ଦେଇଥିଲା ଯେ, ସେ ଏହି ବାକ୍ୟ କାହା ପାଇଁ ବ୍ୟବହାର କରିଥିଲେ। ତେବେ ଆସନ୍ତୁ ଜାଣିବା ଭଜି ସୋସିଆଲ ମିଡିଆରେ କ’ଣ ଲେଖିଥିଲେ ଏବଂ କାହା ପାଇଁ ଲେଖିଥିଲେ।

ହରଭଜନ ସିଂହ ଏକ୍ସରେ ଲେଖିଛନ୍ତି, “ହାତୀ ବଜାରରେ ଚାଲିଲେ, ହଜାର କୁକୁର ଭୁକନ୍ତି।” ତେବେ, ଭଜି ଏହି ପୋଷ୍ଟ କାହିଁକି ଏବଂ କାହା ବିଷୟରେ କରିଥିଲେ ତାହା ସ୍ପଷ୍ଟ ଜଣ ପଡ଼ିନାହିଁ। ପ୍ରଶଂସକମାନେ କମେଣ୍ଟ ମାଧ୍ୟମରେ ଭଜିଙ୍କ ଏହି ପୋଷ୍ଟ ପଛର କାରଣ ଜାଣିବାକୁ ଚେଷ୍ଟା କରିଥିଲେ, କିନ୍ତୁ କିଛି ସ୍ପଷ୍ଟ ହୋଇନଥିଲା। ତଥାପି, ଏହା ଉଲ୍ଲେଖନୀୟ ଯେ ଭଜିଙ୍କ ଏହି କଥା ୨୦୨୪-୨୫ ବର୍ଡର-ଗାଭାସ୍କର ଟ୍ରଫିରେ ଟିମ୍ ଇଣ୍ଡିଆ ୧-୩ରେ ପରାଜୟବରଣ କରିବା ପରେ ଆସିଛି।

ସୁପରଷ୍ଟାର ଧାରା ଉପରେ ହରଭଜନ ସିଂହଙ୍କ ମନ୍ତବ୍ୟ

କହି ରଖୁଛୁ ଯେ ହରଭଜନ ବର୍ଷ ଆରମ୍ଭରେ ଦଳର ସୁପରଷ୍ଟାର ଧାରା ବିଷୟରେ ନିଜର ମତ ଦେଇଥିଲେ। ସେ ବିସିସିଆଇକୁ ଅନୁରୋଧ କରିଥିଲେ ଏବଂ କହିଥିଲେ ଯେ ଦଳରୁ ସୁପରଷ୍ଟାର ସଂସ୍କୃତି ଶେଷ ହେବା ଉଚିତ। କେବଳ ଭଲ ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ ଦଳରେ ସୁଯୋଗ ମିଳିବା ଉଚିତ।

ଭଜି ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ କହିଥିଲେ, “ସୁପରଷ୍ଟାର ସଂସ୍କୃତି ବିକଶିତ ହୋଇଛି। ଆମକୁ ସୁପରଷ୍ଟାରଙ୍କ ଆବଶ୍ୟକତା ନାହିଁ, ବରଂ ପ୍ରଦର୍ଶନକାରୀଙ୍କ ଆବଶ୍ୟକତା ଅଛି। ଯଦି ଦଳରେ ସେମାନେ (ପ୍ରଦର୍ଶକ) ଅଛନ୍ତି, ତେବେ ଏହା ଆଗକୁ ବଢ଼ିବ। ଯିଏ ସୁପରଷ୍ଟାର ହେବାକୁ ଚାହେଁ, ସେ ଏହା କରିବା ଉଚିତ।” “ଘରେ ରହି ସେଠାରେ କ୍ରିକେଟ୍ ଖେଳିବା ଉଚିତ।”

ଇଂଲଣ୍ଡ ଗସ୍ତ ବିଷୟରେ ଆହୁରି ମଧ୍ୟ ହରଭଜନ ସିଂହ କହିଥିଲେ, ” ଆଗକୁ ଇଂଲଣ୍ଡ ଗସ୍ତ ଆସୁଛି। ଏବେ ସମସ୍ତେ ଆଲୋଚନା ଆରମ୍ଭ କରିଦେଲେଣି ଯେ, ଇଂଲଣ୍ଡରେ କ’ଣ ହେବ, କିଏ ଯିବ ଏବଂ କିଏ ଯିବ ନାହିଁ। ତେବେ ମୋ ପାଇଁ ଏହା ସରଳ। ପ୍ରଦର୍ଶନ କରୁଥିବା ଖେଳାଳିମାନଙ୍କୁ ହିଁ ସୁଯୋଗ ମିଳିବା ଆବଶ୍ୟକ। ଆପଣ ଖେଳାଳିମାନଙ୍କୁ ସେମାନଙ୍କ ଖ୍ୟାତି ଆଧାରରେ ବାଛିପାରିବେ ନାହିଁ।”