ଆରମ୍ଭ ହେଲା ମୋହନଙ୍କ ୩୬୦ ଡିଗ୍ରୀ ମେଗା ପ୍ଲାନ୍: ୩୬୫ ଦିନ ପାଇଁ ୩୬୫ ପ୍ରକଳ୍ପ ଭେଟି ଦେବେ ସରକାର

ସମସ୍ତଙ୍କ ପାଖରେ ପହଁଞ୍ଚିବେ ସରକାର । ଲୋକସଭା ଭବନରେ ଚାଲିଛି କସରତ ।

ଭୁବନେଶ୍ୱର: ଗତବର୍ଷ ଜୁନ ୫ରେ ନବୀନଙ୍କ 24 ବର୍ଷର ଦୁର୍ଗକୁ ଭାଙ୍ଗିଥିଲା ବିଜେପି । ରାଜ୍ୟରେ ଆରମ୍ଭ ହୋଇଥିଲା ନୂଆଯୁଗ । ଜୁନ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ବଡ ଧୂମଧାମରେ ଶପଥ ନେଇଥିଲେ ମୋହନଙ୍କ ଟିମ୍ । ଆଉ ବର୍ଷେ ପରେ ଠିକ ସେମିତି ପାଳିବାକୁ ଯୋଜନା କରିଛନ୍ତି ବିଜେପି ସରକାର ।

ଆସନ୍ତା ଜୁନ ୧୨ ତାରିଖରେ ମୋହନ ସରକାରଙ୍କର ଗୋଟିଏ ବର୍ଷ ପୂରିବ । ଏହାକୁ ସ୍ମରଣୀୟ ଓ ଐତିହାସିକ କରିବାକୁ ସାରା ଓଡ଼ିଶା ପାଇଁ ୩୬୦ ଡିଗ୍ରି ପ୍ଲାନ୍ କରିଛି ବିଜେପି ସରକାର । ପିଲାଠାରୁ ବୁଢ଼ା, ସବୁ ବର୍ଗଙ୍କୁ ଛୁଇଁବାକୁ ଦିଲ୍ଲୀଠାରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଜୋରସୋରରେ ପ୍ରସ୍ତୁତି ଚାଲିଛି ।

ଲୋକସେବା ଭବନରେ ବସିଥିବା ସଚିବସ୍ତରୀୟ ବୈଠକରେ ବର୍ଷ ପୂର୍ତ୍ତି ପାଳନର ନକ୍ସା ପ୍ରସ୍ତୁତି ହୋଇଛି । ଜୁନ ୧୨ ତାରିଖରୁ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବଡ ଇଭେଣ୍ଟ୍ ଆୟୋଜନ କରିବେ ସରକାର ।

ବିକାଶର ହିସାବ କିତାବ ରାଜ୍ୟବାସୀଙ୍କ ପାଖରେ ରଖି ଉତ୍ତରଦାୟିତ୍ୱ କଥା କହିବେ ମୋହନ ସରକାର । ତେବେ ବର୍ଷ ପୂର୍ତ୍ତି ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସାମିଲ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

୨୫ ବର୍ଷର ବିଜେଡି ସରକାରକୁ ଗାଦିଚ୍ୟୁତ କରି ବିଜେପି ସରକାରକୁ ଆସିବା ପରେ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ସରକାର ପାଇଁ ବଡ଼ ଚ୍ୟାଲେଞ୍ଜ ଥିଲା । ତେବେ ୧୧ ମାସ ଭିତରେ ସୁଭଦ୍ରା, ଚାଷୀଙ୍କୁ ଧାନ ଉପରେ ୮ଶହ ଟଙ୍କାର ବୋନସ୍, ରତ୍ନଭଣ୍ଡାର ଖୋଲିବା, ଆୟୁଷ୍ମାନ ଲାଗୁ କରିବା ସରକାରଙ୍କ ପାଇଁ ବଡ ଉପଲବ୍ଧି ହୋଇଛି ।