ଇସଲାମାବାଦ,୨ା୭: ଭାରତ ବିରୋଧରେ ବିଷ ଓଗାଳିଥିବା ପୂର୍ବତନ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ତାଙ୍କ ସ୍ୱରକୁ ନରମ କରିଛନ୍ତି। ବୁଧବାର ବିଲାୱଲ ଭାରତକୁ ଆତଙ୍କବାଦ ବିରୋଧରେ ଲଢ଼େଇରେ ସାମିଲ ହେବାକୁ କହିଛନ୍ତି। ଭାରତ ଦୀର୍ଘ ସମୟ ଧରି ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଆସୁଛି, କିନ୍ତୁ ସେ ପ୍ରତ୍ୟେକ ଥର ଏହାକୁ ଏଡ଼ାଇ ଦେଉଥିଲା।
ଇସଲାମାବାଦ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ବିଲାୱଲ କହିଛନ୍ତି ଯେ, ଆମେ ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଭାରତ ସହିତ ଏକ ଐତିହାସିକ ଏବଂ ଅଭୂତପୂର୍ବ ସହଭାଗୀତା ଗଠନ କରିବାକୁ ପ୍ରସ୍ତୁତ। ସେ ଜୋର ଦେଇ କହିଛନ୍ତି ଯେ, ଭାରତ-ପାକିସ୍ତାନ ପରସ୍ପରର ବିରୋଧୀ ନୁହନ୍ତି।
ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ କହିଛନ୍ତି, ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ରହିବା ଉଚିତ ଏବଂ ଆତଙ୍କବାଦୀଙ୍କଠାରୁ ଲୋକଙ୍କୁ ରକ୍ଷା କରିବା ପାଇଁ ଆଗକୁ ଆସିବା ଉଚିତ। ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ଯୋଗୁଁ ବିଲାୱଲ ଅନେକ ଥର ଭାରତ ବିରୋଧରେ କଠୋର ଶବ୍ଦ ବ୍ୟବହାର କରିଥିଲେ, କିନ୍ତୁ ବର୍ତ୍ତମାନ ସେ ସମସ୍ତ ବିଚାରାଧୀନ ବିବାଦର ସମାଧାନ ପାଇଁ ଭାରତ ସମ୍ମୁଖରେ ହାତ ଯୋଡିଛନ୍ତି।
ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ସେ କହିଛନ୍ତି, ଜଳକୁ ଅସ୍ତ୍ର କରିବା ଉଚିତ୍ ନୁହେଁ ଏବଂ ହିମାଳୟ ପରି ଦୃଢ଼ ଶାନ୍ତିର ମୂଳଦୁଆ ସ୍ଥାପନ କରାଯିବା ଉଚିତ୍। ସେ କହିଛନ୍ତି, ସିନ୍ଧୁ ଉପତ୍ୟକା ସଭ୍ୟତାର ସହଭାଗୀ ଐତିହ୍ୟକୁ ଫେରିବା ଏକ ଦୁର୍ବଳତା ନୁହେଁ, ବରଂ ଏକ ଦୃଷ୍ଟିକୋଣ। ଏହା କେବଳ ଏକ ସ୍ଥାନୀୟ କିମ୍ବା ଆଞ୍ଚଳିକ ସଙ୍କଟ ନୁହେଁ, ବରଂ ଏକ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ।
ବିଲାୱାଲ ତାଲିବାନକୁ ଟାର୍ଗେଟ କରି କହିଥିଲେ, ଆମେ କାବୁଲକୁ ରକ୍ଷା କରିଥିଲୁ ଏବଂ ଏବେ ଆଫଗାନ ତାଲିବାନକୁ ଏହାର ଦାୟିତ୍ୱ ପାଳନ କରିବା ଉଚିତ। ଏହାକୁ ଅସ୍ତ୍ରଶସ୍ତ୍ରର ଚୋରା ଚାଲାଣ ବନ୍ଦ କରିବାକୁ ପଡିବ, ଆତଙ୍କବାଦୀଙ୍କ ଗତିବିଧି ବନ୍ଦ କରିବାକୁ ପଡିବ।
୨୨ ଏପ୍ରିଲରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ସମେତ ଅନେକ ବଡ଼ ନିଷ୍ପତ୍ତି ନେଇଥିଲା, ଯାହା ଫଳରେ ପାକିସ୍ତାନ କ୍ରୋଧିତ ହୋଇ ସିମଲା ଚୁକ୍ତିନାମାକୁ ବାତିଲ କରିଦେଇଥିଲା। ଭାରତର କାର୍ଯ୍ୟାନୁଷ୍ଠାନ ପରେ ବିଲାୱଲ ଭୁଟ୍ଟୋ କହିଥିଲେ ଯେ, ପାଣି କିମ୍ବା ସେମାନଙ୍କର ରକ୍ତ ସିନ୍ଧୁ ନଦୀରେ ପ୍ରବାହିତ ହେବ।