fbpx

ଭୁବନେଶ୍ୱରରେ ଉପରମୁହାଁ କରୋନା ଗ୍ରାଫ୍: ଚିନ୍ତା ବଢ଼ାଉଛି ସ୍ଥାନୀୟ ସଂକ୍ରମଣ

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ସାଂଘାତିକ ହେବାରେ ଲାଗିଛି କୋଭିଡ୍ ସ୍ଥିତି । ଦୈନିକ ରେକର୍ଡ ସଂଖ୍ୟକ ସଂକମ୍ରିତ ଚିହ୍ନଟ ହେଉଛନ୍ତି । ଏହାପରେ ବି ରାଜଧାନୀବାସୀ ସାବଧାନତା ଅବଲମ୍ବନ କରୁନାହାନ୍ତି । ଯାହାର ଫଳସ୍ୱରୁପ ସଂକ୍ରମିତଙ୍କ ସଂଖ୍ୟା ଏବେ ୮୦୦ ମୁହାଁ ହେବାକୁ ବସିଲାଣି । ସରକାର ଏବଂ ଗଣମାଧ୍ୟମ କର୍ମଚାରୀ ଅହରହ ସଚେତନ କରୁଥିଲେ ମଧ୍ୟ ଲୋକେ ଏହାକୁ ବେଖାତିର କରି ସନ୍ଧ୍ୟା ହେବା ମାତ୍ରେ ବଜାର ହାଟରେ ମାଳ ମାଳ ହୋଇ ବୁଲୁଛନ୍ତି । କିଏ କାନରେ ମାସ୍କକୁ ଝୁଲେଇ ବୁଲୁଛି ତ କିଏ ମୁହଁକୁ ମୁହଁ ଯୋଡି ପରିବା କିଣୁଛି । ବିଏମସି ପକ୍ଷରୁ ବାରମ୍ବାର ପ୍ରଚାର ମାଧ୍ୟମରେ ସତର୍କତା ଅବଲମ୍ବନ କରିବାକୁ କହୁଥିଲେ ମଧ୍ୟ ଲୋକେ ମାନିବାକୁ ନାରାଜ୍ । ଅପରପକ୍ଷରେ ନୁତନ ଗାଇଡଲାଇନ୍ ଅନୁସାରେ ରାସ୍ତାରେ ଗଡୁଥିବା ଅଟୋ ଟ୍ୟାକ୍ସିରେ ଦୁଇ ଜଣରୁ ଅଧିକ ଲୋକଙ୍କୁ ଯିବା ବାରଣ ହୋଇଥିଲେ ସୁଦ୍ଧା ଗୋଟିଏ ଅଟୋରେ ୫ ରୁ ୬ ଜଣଙ୍କୁ ବସି ଯାଉଥିବା ଦେଖିବାକୁ ମିଳୁଛି । ସ୍ଥିତି ଦିନକୁ ଦିନ ନିୟନ୍ତ୍ରଣ ବାହାରକୁ ଚାଲିଯାଉଥିବା ବେଳେ କିଛି ସ୍ଥାନରେ କେବଳ ପୋଲିସ୍ ଡରରେ କୋଭିଡ୍ ନିୟମ ପାଳୁଥିବା ପରିଲକ୍ଷିତ ହେଉଛି ।

ତେବେ ଗତକାଲି ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ନୁଆ ସଂକମ୍ରିତ ସଂଖ୍ୟା ୭୭୩ ରହିଥିଲା । ସେଥିମଧ୍ୟରୁ କ୍ୱାରେନଣ୍ଟାଇନରୁ ୧୪୦ ରହିଥିବା ବେଳେ ଲୋକାଲ୍ କଣ୍ଟାକ୍ଟ ୬୩୨ ରହିଥିଲା । ବର୍ତ୍ତମାନ ଚିହ୍ନଟ ହେଉଥିବା ମାମଲାରେ ଲୋକାଲ୍ କଣ୍ଟାକ୍ଟ ଅଧିକ ରହିଥିବା ଦେଖିବାକୁ ମିଳୁଛି । ସେହିପରି ୨୬ ତାରିଖରେ ମଧ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୦୮ ରହିଥିଲା । ସେଥିମଧ୍ୟରୁ କ୍ୱାରେନଣ୍ଟାଇନରୁ ବାହାରିଥିଲେ ୧୫୧ ଏବଂ ଲୋକାଲ୍ କଣ୍ଟାକ୍ଟ ରହିଥିଲା ୫୫୭ । ଏଥିସହିତ ୨୫ ତାରିଖରେ ମଧ୍ୟ ଚିହ୍ନଟ ହୋଇଥିବା ୬୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୭ କ୍ୱାରେନଣ୍ଟାଇନ୍ ରୁ ହୋଇଥିବା ବେଳେ ୫୭୬ ରହିଥିଲା ଲୋକାଲ୍ କଣ୍ଟାକ୍ଟ । ଲଗାତର ଭାବେ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ୧୮୪୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୧୦୦୦ ଟପିପାରେ ବୋଲି ଆଶଙ୍କା କରାଯାଉଛି ।

ନିକଟରେ ବିଏମସି ପକ୍ଷରୁ ସ୍ୱେଶାଲ୍ ଡ୍ରାଇଭ୍ ଆରମ୍ଭ କରାଯାଇଥିଲା । ପୋଲିସ୍ ଗଳି ଗଳି ବୁଲି ଚେକିଂ କୁ କଡାକଡି କରିଥିଲା । କିନ୍ତୁ ଏତେ ସବୁ ପରେ ସ୍ଥାନୀୟ ସଂକମ୍ରଣ ଦୈନିକ ଶୀର୍ଷରେ ରହୁଥିବା ଦେଖାଯାଉଛି । ତେଣୁ ସମୟ ଥାଉ ଥାଉ ସଜାଗ ନ ହେଲେ ପୁଣି ଲକଡାଉନ୍ ଲାଗୁ କରିବା ସ୍ଥିତି ଉପୁଜିବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.