ଆଜି ହେଉଛି ପବିତ୍ର ଇଦ୍ ପର୍ବ

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ଆଜି ଓଡିଶା ସମେତ ଏକାଧିକ ରାଜ୍ୟରେ ପବିତ୍ର ଇଦ୍ ପର୍ବ ପାଳନ ହେଉଛି । ମୁସଲିମ ସମ୍ପ୍ରଦାୟଙ୍କ ଏହି ମହାନ ପର୍ବ ଶୁକ୍ରବାରରେ ପଡିଥିବାରୁ ଅଧିକ ଉତ୍ସାହ ଦେଖାଦେଇଛି । କିନ୍ତୁ କରୋନା କଟକଣା ଓ ଲକଡାଉନ ଯୋଗୁଁ ପର୍ବର ମାହୋଲ ପୁରା ଫିକା ପଡିଛି । କଟକଣା ଯୋଗୁଁ ସାଧାରଣ ଶ୍ରଦ୍ଧାଳୁଙ୍କୁ ମସଜିଦ ପ୍ରବେଶ ବାରଣ ରହିଛି । ମସଜିଦରେ ସମୂହ ନମାଜପାଠ ବାରଣ ହୋଇଥିବା ବେଳେ ଲୋକମାନେ ନିଜ ଘରେ ଇଦ୍ ପାଳନ କରୁଛନ୍ତି । କିଛି ନିର୍ଦ୍ଦିଷ୍ଟ ଶ୍ରଦ୍ଧାଳୁଙ୍କୁ ନେଇ ମସଜିଦରେ କେବଳ ନମାଜ ପାଠ ହେଉଛି । ଗତକାଲି ଜମ୍ମୁକାଶ୍ମୀର ଓ କେରଳରେ ଇଦ୍ ପର୍ବ ପାଳନ ହୋଇଯାଇଛି ।

ତେବେ ରମଜାନ୍ ମାସର ଶେଷ ଦିନ ସନ୍ଧ୍ୟା ପରେ ଆକଶରେ ଚାନ୍ଦ୍ ଦେଖିଲା ପରେ ଯାଇ ପାଳନ ହୋଇଥାଏ ‘ଇଦ୍- ଉଲ୍- ଫିତର୍’। ଯାହାକୁ ସଂକ୍ଷେପରେ ଇଦ୍ କୁହାଯାଏ। ଏହା ରମଜାନ୍ ମାସର ଶେଷ ଦିନ ପାଳନ କରାଯାଏ। ରମଜାନ୍, ଇଦ୍ ଅଲ୍- ଆଧା ଇଦ୍ ଏକ ଆରବୀ ଶବ୍ଦ ଯାହାର ଅର୍ଥ ହେଲା ଆନନ୍ଦ ଉତ୍ସବ ଓ ଫିତର୍ ଅର୍ଥ ହେଲା ଉପବାସ ଭାଙ୍ଗିବା। ଏଇ ପର୍ବଟି ୨୯ ଦିନ ବା ୩୦ ଦିନ ଯାଏଁ ମାସ ସାରା ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ କରାଯାଉଥିବା ଉପବାସର ଉପସଂହାର। ସେଥିପାଇଁ ଇଦର ପ୍ରଥମ ଦିନ ମାସର ପ୍ରଥମ ଦିନ ହୋଇଥାଏ। ଏହି ଦିନ ସାରା ବିଶ୍ୱ ମୁସଲମାନ ମାନେ ଏକତାର ସାମୁହିକ ଲକ୍ଷ୍ୟକୁ ଉପସ୍ଥାପିତ କରିବାର ପ୍ରୟାସ କରିଥାନ୍ତି। ଏହି ଦିନକୁ ଆଲ୍ଲା (ଈଶ୍ୱର)ଙ୍କର ପରିଚୟ ଦିବସ ବୋଲି ବିବେଚନା କରାଯାଏ।