ଗୁଜରାଟ: ଦେଶରେ କରୋନାର ଦ୍ୱିତୀୟ ଲହର କମିବାରେ ଲାଗିଥିବା ବେଳେ ଏଭଳି କିଛି ମାମଲା ସାମ୍ନାକୁ ଆସୁଛି, ଯାହା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି । କରୋନାରେ ବୟସ୍କ ଓ ଯୁବପିଢିମାନଙ୍କର ମୃତ୍ୟୁ ହୋଇଥିବା ବେଳେ କରୋନା ପଜିଟିଭ ମାଙ୍କ କୋଳରୁ ଜନ୍ମ ହୋଇ କରୋନାକୁ ମାତ୍ ଦେଇଛି ନବଜାତ ଶିଶୁ । ଗୁଜରାଟର ସ୍ଥାନୀୟ ସରକାରୀ ମେଡିକାଲରେ କରୋନା ପଜିଟିଭ ମା’ କୋଳରୁ ଜନ୍ମ ହୋଇ ଗୁରୁତର ଅବସ୍ଥାରେ ୧୯ ଦିନ ପର୍ଯ୍ୟନ୍ତ ମୃତ୍ୟୁ ସହ ଲଢି ସୁସ୍ଥ ହୋଇଛି ଏକ ନବଜାତ ଶିଶୁ । ଜନ୍ମ ସମୟରେ ମା’କୁ ହରାଇଥିବା ଏହି ଶିଶୁକୁ ବଞ୍ଚାଇବାକୁ ଡାକ୍ତରମାନେ ନିଜର ସମସ୍ତ ଚେଷ୍ଟା କରିଥିଲେ । ଡେଲିଭରୀ ସମୟରେ ମା’ ସବୁଦିନ ପାଇଁ ଆଖିବୁଜିଥିବା ବେଳେ ବଞ୍ଚିଯାଇଥିଲା ନବଜାତ ଶିଶୁ । କରୋନା ସହ ୧୯ ଦିନ ଲଢି ସୁସ୍ଥ ହୋଇଥିବା ଶିଶୁର ନାମ ‘ଅଭୟ’ ରଖିବା ନେଇ ପରିବାର ଲୋକେ ବିଚାର କରୁଛନ୍ତି ।
ତେବେ ସ୍ଥାନୀୟ ମେଡିକାଲରୁ ମିଳିଥିବା ସୂଚନା ମୁତାବକ, ମାଙ୍ଗରୋଲ ଅଞ୍ଚରେ ରହୁଥିବା ୨୮ ବର୍ଷୀୟ ରୁଚି ପାଞ୍ଚାଳଙ୍କୁ ନିଃଶ୍ୱାସ ନେବାରେ ଅସୁବିଧା ହେଉଥିଲା । ତାଙ୍କୁ ମେ’ ୬ରେ ସିଭିଲ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଟେଷ୍ଟ ପରେ ରୁଚିଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ମେ’ ୧୧ରେ ଅଧିକ ଯନ୍ତ୍ରଣା ହେବାରୁ ଡାକ୍ତରମାନେ ଶିଶୁକୁ ବଞ୍ଚାଇବା ପାଇଁ ସିଜରିଆନ୍ ଡେଲିଭରୀ କରାଇଥିଲେ । ସିଜରିଆନ୍ ଡେଲିଭରୀ ଯୋଗୁଁ ଅପରେସନ ସମୟରେ ରୁଚିଙ୍କର ମୁତ୍ୟୃ ହୋଇଥିଲା । ଅପରେସନ ସମୟରେ ରୁଚି ସବୁଦିନ ପାଥଇଁ ଆଖିବୁଜିଥିଲେ ବି ନବଜାତ ଶିଶୁକୁ ବଞ୍ଚାଇଥିଲେ ଡାକ୍ତର । କିନ୍ତୁ ଜନ୍ମ ସମୟରେ ଶିଶୁଟି କାନ୍ଦୁ ନଥିବାରୁ ତାକୁ କ୍ଷୀର ପିଇବା ସହ ଭେଣ୍ଟିଲେଟରରେ ରଖାଯାଇଥିଲା । ଶେଷରେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲା ଶିଶୁ ।