fbpx

ହାତ ମିଳାଇଲେ ହେଲେ ମନ ମିଶିବ କେବେ ? ପ୍ରଥମ ଥର ପରସ୍ପରକୁ ଭେଟିଲେ ପୁଟିନ-ବାଇଡେନ୍

ଜେନେଭା : ସ୍ଵିଜରଲାଣ୍ଡର ଜେନେଭାରେ ଚିର ପ୍ରତିଦ୍ଵନ୍ଦୀ ଆମେରିକା ଓ ରୁଷ ମଧ୍ୟରେ ଆରମ୍ଭ ହୋଇ ଯାଇଛି ଜିନେଭା ଶିଖର ସମ୍ମିଳନୀ। ତେବେ ସଭିଙ୍କ ନଜର ଥିଲା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ। ବିଶ୍ଵ ରାଜନୀତିରେ ପରସ୍ପରର ଘୋର ବିରୋଧୀ ଏହି ଦୁଇ ନେତା ହସ ହସ ଚେହେରାରେ ପରସ୍ପର ସହ ହାତ ମିଳାଇ ସମ୍ମିଳନୀ ଆରମ୍ଭ କରିଛନ୍ତି। ପୂରା ଦୁନିଆର ନଜର ଏବେ ବିଶ୍ଵର ଏହି ଦୁଇ ମହାଶକ୍ତିଙ୍କ ବୈଠକ ଉପରେ ରହିଛି। ଆଶା କରାଯାଉଛି ଏହି ସମ୍ମିଳନୀରେ ଦୁଇ ନେତା ଅନେକ ବିବାଦୀୟ ପ୍ରସଙ୍ଗରେ ସମାଧାନର ମାର୍ଗ ଏବଂ ବିକଳ୍ପ ବାହାର କରିବାକୁ ଚେଷ୍ଟା କରିବେ।
ସୂଚନାଯୋଗ୍ୟ, ଆମେରିକାର ରାଷ୍ଟ୍ରପତି ହେବା ପରେ ଜୋ ବାଇଡେନଙ୍କ ପୁଟିନଙ୍କ ସହ ଏହା ପ୍ରଥମ ସାକ୍ଷାତ। ଏହା ପୂର୍ବରୁ ବାଇଡେନ ବାରାକ ଓବାମାଙ୍କ ଶାସନ କାଳରେ ଉପ ରାଷ୍ଟ୍ରପତି ଥିବା ସମୟରେ ୨୦୧୧ରେ ହୋଇଥିବା ପୁଟିନଙ୍କୁ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ବେଳେ ପୁଟିନ ରୁଷର ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ବି ବାଇଡେନ୍ ପୁଟିନଙ୍କ ସମାଲୋଚନା କରିଥିଲେ। ଏହି ବୈଠକ ଏମିତି ସମୟରେ ହେଉଛି, ଯେଉଁ ସମୟରେ ଦୁଇ ଦେଶ ସଂପର୍କରେ ତିକ୍ତତା ଭରି ରହିଛି। ବିଶେଷ କରି କ୍ଷେତ୍ରୀୟ ରାଜନୀତିକୁ ନେଇ ଦୁଇ ଦେଶ ମଧ୍ୟରେ ଖୁବ୍ ମତଭେଦ ରହିଛି।
ଶିଖର ସମ୍ମିଳନୀର କାର୍ଯ୍ୟକ୍ରମ
ଜିନେଭା ଶିଖର ସମ୍ମିଳନୀର ପ୍ରଥମ ପର୍ଯ୍ୟାୟରେ ଆମେରିକା ରାଷ୍ଟ୍ରପତି ବାଇଡେନ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି କ୍ଲିଣ୍ଟନ ଓ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକ ହେବ। ଏହା ପରେ ଦୁଇ ପକ୍ଷରୁ ପାଞ୍ଚ ଜଣ ଲେଖାଏଁ ବରିଷ୍ଠ ସହଯୋଗୀ ବୈଠକରେ ସାମିଲ ହେବେ। କିନ୍ତୁ ବାଇଡେନ୍ ଓ ପୁଟିନଙ୍କ ବୈଠକର ସମସ୍ତ ସୂଚନା ସାର୍ବଜନୀନ କରାଯିବ ନାହିଁ।
ଏହି ବୈଠକ ସମୟରେ ଆମେରିକା ଓ ରୁଷ ମଧ୍ୟରେ ବାଣିଜ୍ୟ, ଅସ୍ତ୍ର ଶସ୍ତ୍ର ନିୟନ୍ତ୍ରଣ, ସାମରିକ ସ୍ଥିରତା, ଜଳବାୟୁ ପରିବର୍ତ୍ତନ, କରୋନା ଭାଇରସ୍ ମହାମାରୀ ମୁକାବିଲା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରେ। ପୁଟିନ ଓ ବାଇଡେନ୍ ଇରାନ ପରମାଣୁ କାର୍ଯ୍ୟକ୍ରମ ଓ ଆଫଗାନିସ୍ତାନରେ ତାଲିବାନ ସଂପର୍କ ଉପରେ ମଧ୍ୟ ବିଚାର ବିମର୍ଶ କରି ପାରନ୍ତି।

Get real time updates directly on you device, subscribe now.