fbpx

ତାତିଲେ ଛାତ୍ରଛାତ୍ରୀ; ଦାବି ପୂରଣ ନହେଲେ ନବୀନ ନିବାସ ଘେରାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଗଷ୍ଟ ମାସ ଶେଷ ସୁଦ୍ଧା ଡି.ଇଏଲ୍.ଇଡି. ଶେଷ ବର୍ଷ ପରୀକ୍ଷା ଓ ପରୀକ୍ଷାଫଳ ପ୍ରକାଶନ ନକଲେ ନବୀନ ନିବାସ ଘେରାଉର ଧମକ ଦେଇଛି ନିଖିଳ ଓଡ଼ିଶା ଡି.ଇଏଲ୍. ଇଡି. ଛାତ୍ର ସଂଘ । ଆସନ୍ତା ୨୧ ସୁଦ୍ଧା ପରୀକ୍ଷା ତାରିଖମ ଘୋଷଣା କରାନଗଲେ ୨୩ ଜୁଲାଇରେ ନିଖିଳ ଓଡ଼ିଶା ଡି.ଇଏଲ୍. ଇଡି. ଛାତ୍ର ସଂଘ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବ ବୋଲି କୁହାଯାଇଛି । ଏହି ପ୍ରସଙ୍ଗରେ ନିଖିଳ ଓଡ଼ିଶା ଡି.ଇଏଲ୍. ଇଡି. ଛାତ୍ର ସଂଘ ପକ୍ଷରୁ ସୋମବାର ୟୁନିଟ୍-୬ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
ଗତ ଜାନୁଆରୀ ୬ତାରିଖରେ ଏସ୍.ସି.ଇ.ଆର.ଟି. ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ନଂ ୬୪ ଅନୁଯାୟୀ ୩୦ ଜୁନ୍ ମଧ୍ୟରେ ଶିକ୍ଷକ ଶୈକ୍ଷିକ ଶିକ୍ଷାଦାନ ଓ ଇଣ୍ଟର୍ଣ୍ଣସିପ୍ ଶେଷ କରି ଜୁଲାଇ ମଧ୍ୟରେ ପରୀକ୍ଷା ଶେଷ କରି ଫଳ ପ୍ରକାଶନ ପାଇଁ ଘୋଷଣା କରାଯାଇଥିଲା । ଜୁନ୍ ୩୦ ପୂର୍ବରୁ ଶିକ୍ଷକ ପ୍ରଶିକ୍ଷଣ ଇଣ୍ଟର୍ଣ୍ଣସିପ୍ କାର୍ଯ୍ୟକ୍ରମ ଶେଷ କରାଯାଇଛି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବରେ ୧୩ ଜୁଲାଇରେ ଏସ୍.ସି.ଇ.ଆର.ଟି. ତରଫରୁ ବିଜ୍ଞପ୍ତି ନଂ- ୪୩୬୭ ଅନୁସାରେ ପୁଣି ୩ ମାସିଆ ଇଣ୍ଟର୍ଣ୍ଣସିପ୍ ପାଇଁ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରାଗଲା । ଏହି ପରିବର୍ଦ୍ଧିତ ଇଣ୍ଟର୍ଣ୍ଣସିପ୍ ଅକ୍ଟୋବର ୧୦ ତାରିଖରେ ଶେଷ ହେଲାପରେ ପରୀକ୍ଷା ଓ ଫଳ ପ୍ରକାଶନ ଅହେତୁକ ଭାବରେ ବିଳମ୍ବିତ ହେବ ।
ୟୁ.ଜି.ସି. ନିର୍ଦ୍ଦେଶାବଳୀ ଅନୁସାରେ ଡିଗ୍ରୀ ଶ୍ରେଣୀରେ ପ୍ରବେଶିକା ପ୍ରକ୍ରିୟା ସେପ୍ଟେମ୍ବର ପହିଲାରୁ ଓ ଅକ୍ଟୋବର ପହିଲାରୁ ଅଧ୍ୟୟନ ପ୍ରକ୍ରିୟା ଆରମ୍ଭ ହେବ । ଡି.ଇଏଲ୍. ଇଡି. ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଫଳ ଅଗଷ୍ଟ ଶେଷ ମଧ୍ୟରେ ପ୍ରକାଶିତ ନହେଲେ ଏମାନେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହେବେ । ଏହି ଉଦ୍ବେଗ ନେଇ ସମଗ୍ର ରାଜ୍ୟରେ ଡି.ଇଏଲ୍.ଇଡି.ର ଶେଷ ବର୍ଷର ଛାତ୍ରଛାତ୍ରୀଙ୍କ ପକ୍ଷରୁ ସରକାରଙ୍କୁ ଦାବିପତ୍ର ମାଧ୍ୟମରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ସରକାର ଏହାକୁ କର୍ଣ୍ଣପାତ କରିନାହାନ୍ତି । ସେହିପରି ଇଣ୍ଟର୍ଣ୍ଣସିପ୍ ନାଁରେ ଘରଘର ବୁଲି ଶିକ୍ଷାଦାନ ମଧ୍ୟ ଛାତ୍ରଛାତ୍ରୀଙ୍କ ପ୍ରତି ଅନ୍ୟାୟ । କରୋନା ସମୟରେ ଏପରି ନିଷ୍ପତ୍ତି ଗ୍ରହଣୀୟ ନୁହେଁ । ସରକାରଙ୍କ ଏତାଦୃଶ ପଦକ୍ଷେପକୁ ସଂଘ ତରଫରୁ ଦୃଢ ନିନ୍ଦା କରାଯାଇ ମାନବାଧିକାର କ୍ଷୁର୍ଣ୍ଣକାରୀ ଏଭଳି ପଦକ୍ଷେପରୁ ସରକାର ବିରତ ରହିବାକୁ ଦାବି କରାଯାଇଛି ।
ଏହି ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ ଛାତ୍ର ସଂଘ ସହବନ୍ଧିତ ନିଖିଳ ଓଡ଼ିଶା ଡି.ଇଏଲ୍.ଇଡି. ଛାତ୍ର ସଂଘର ରାଜ୍ୟ ସଭାପତି ଚନ୍ଦନ କୁମାର ବିଶ୍ୱାଳ ଏ.ଆଇ.ଏସ୍.ଏଫ୍. ରାଜ୍ୟ ସଭାପତି ସଂଘମିତ୍ରା ଜେନା, ସଂଘର ସମ୍ପାଦକ ମଳୟ ରଞ୍ଜନ ସ୍ୱାଇଁଙ୍କ ସମେତ ପର୍ଶୁରାମ ବେହେରା, ଦୁତୀକୃୃଷ୍ଣ ବେହେରା, ସୁଦାମ ସ୍ୱାଇଁ, ବିଶ୍ୱ ବିଜୟୀ ଦେବୀ ପ୍ରସାଦ, ଦୀପ୍ତିରଞ୍ଜନ ପାତ୍ର, ସଂଗ୍ରାମ କୁମାର ମିଶ୍ର, ସରୋଜ କୁମାର ସାହୁ, ଅନୁଶ୍ରୀ ରୀତାପଦ୍ମା, ପୀତବାସ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.