fbpx

ଏମ୍ସ ମୁଖ୍ୟଙ୍କ ସୂଚନା: ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଦିଆଯାଇପାରେ କୋଭିିଡ୍ ଟିକା

ନୂଆଦିଲ୍ଲୀ, (ଭାସ୍କର ନ୍ୟୁଜ୍) : ଭାରତ ବାୟୋଟେକ୍‌ ପକ୍ଷରୁ ଆରମ୍ଭ ହୋଇଥିବା ଛୋଟ ପିଲାଙ୍କ ଉପରେ ଟିକାକରଣ ପରୀକ୍ଷାର ଫଳଫଳ ସେପ୍ଟେମ୍ବର ମାସ ସୁଦ୍ଧା ସମସ୍ତଙ୍କ ସାମ୍ନାକୁ ଆସିଯିବ । ତେଣୁ ସେପ୍ଟେମ୍ବର ସୁଦ୍ଧା ଭାରତରେ କରୋନା ବିରୋଧରେ ଛୋଟ ପିଲାମାନଙ୍କ ଟିକାକରଣ ଆରମ୍ଭ ହୋଇପାରେ । ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ମୁଖ୍ୟ ଡ. ରଣଦୀପ ଗୁଲେରିଆ ଶନିବାର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କରୋନା ସଂକ୍ରମଣର ଚେନ୍‌କୁ ଭାଙ୍ଗିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ । ଶିଶୁଙ୍କୁ ଖୁବ୍‌ଶୀଘ୍ର ଟିକାକରଣ କରିବା ଦିଗରେ କେନ୍ଦ୍ର ସରକାର ଆଗ୍ରହ ପ୍ରକାଶ କରି ଅନେକ ପଦକ୍ଷେପ ନେଉଛନ୍ତି । ଏ ଦିଗରେ ସମସ୍ତ କାର୍ଯ୍ୟ ମଧ୍ୟ ଆଗେଇ ଚାଲିଛି । ଖୁବ୍‌ଶୀଘ୍ର ଭଲ ଖବର ମିଳିବ ବୋଲି ସେ କହିଛନ୍ତି।

ଏମ୍ସ ମୁଖ୍ୟଙ୍କ ସୂଚନା ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କୁ ଦିଆଯାଇପାରେ ଟିକା ଡ. ଗୁଲେରିଆ କହିଛନ୍ତି ଯେ ଜାୟଡସ କାଡିଲା ଛୋଟ ପିଲାମାନଙ୍କ ଉପରେ ଟିକାର ପରୀକ୍ଷଣ ଶେଷ କରି ସାରିଛି । ସେମାନେ କେବଳ ଜରୁରୀକାଳୀନ ବ୍ୟବହାର ପାଇଁ ମିଳିବାକୁ ଥିବା ଅନୁମତିକୁ ଅପେକ୍ଷା କରିଛନ୍ତି । ସେହିପରି ଭାରତ ବାୟୋଟେକର କୋଭାକ୍ସିନର ପରୀକ୍ଷା ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ । ଏହି ସମୟରେ ଆମେ ଟିକାର ବ୍ୟବହାର ଛୋଟ ପିଲାମାନଙ୍କ ଉପରେ କରିବାକୁ ଅନୁମତି ପାଇ ସାରିଥିବୁ । ଫାଇଜର ଟିକାକୁ ଆମେରିକାର ଏଫ୍‌ଡିଏ ଛୋଟ ପିଲାମାନଙ୍କ ଉପରେ ବ୍ୟବହାର କରିବାକୁ ଅନୁମତି ଦେଇ ସାରିଛି । ତେଣୁ ତାହା ଉପରେ ମଧ୍ୟ ନଜର ରଖାଯାଇଛି । ତେଣୁ ସେପ୍ଟେମ୍ବରରୁ ଦେଶରେ ଛୋଟ ପିଲାମାନଙ୍କର ଟିକାକରଣ ଆରମ୍ଭ କରାଯାଇପାରେ ବୋଲି ସେ କହିଛନ୍ତି । ଆମକୁ ଛୋଟ ପିଲାମାନଙ୍କର ଟିକାକରଣ ପାଇଁ ଦେଶରେ ତିଆରି ହେଉଥିବା ଟିକା ଉପରେ ଅଧିକ ଫୋକସ୍‌ କରିବାକୁ ପଡ଼ିବ ।

ଶିଶୁଙ୍କ ଟିକାକରଣ ଆରମ୍ଭ ହେଲେ ପର୍ଯ୍ୟାପ୍ତ ପରିମାଣର ଟିକା ଆବଶ୍ୟକ । ଏଥିପାଇଁ ଜାୟଡସ ଓ ଭାରତ ବାୟୋଟେକ୍‌ ବେଶ ଗୁରୁତ୍ୱପୂର୍ଣ୍ଣ । ଫାଇଜର ଟିକା ମଧ୍ୟ ସୁରକ୍ଷିତ ବୋଲି ଅନେକ ତଥ୍ୟ ମିଳିଛି । କିନ୍ତୁ ଏହା ବିଦେଶୀ କମ୍ପାନୀ ହୋଇଥିବାରୁ ଆମକୁ ପର୍ଯ୍ୟାପ୍ତ ପରିମାଣର ଡୋଜ୍‌ ମିଳିବ ବୋଲି ଆଶା କରାଯାଇ ନପାରେ । ତେବେ ଦେଶରେ ଉତ୍ପାଦିତ ଟିକା ଓ କେତେକ ବିଦେଶୀ ଟିକାକୁ ଆଣି ଶିଶୁଙ୍କ ଟିକାକରଣ କରିବାକୁ ପାଇଁ ଲକ୍ଷ୍ୟ ରଖାଯାଇଛି । ତଥାପି ସେପ୍ଟେମ୍ବର ସୁଦ୍ଧା ଆମ ପାଖରେ ଏକାଧିକ ଟିକା ରହିଥିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ସେହିପରି ଆଉ ଏକ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଇ ଏମ୍ସ ମୁଖ୍ୟ ଡ. ଗୁଲେରିଆ କହିଛନ୍ତି ଯେ ନୂଆ ଭାରିଏଣ୍ଟ ଦେଖାଦେଲେ ଲୋକଙ୍କ ପାଇଁ ବୁଷ୍ଟର୍‌ ଡୋଜ୍‌ର ଆବଶ୍ୟକତା ପଡ଼ିପାରେ ।

Get real time updates directly on you device, subscribe now.