ନୂଆଦିଲ୍ଲୀ: ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ରହିଥିବା ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ କିଏ ଅଧିକ ସଶକ୍ତ । ଏଭଳି ଏକ ପ୍ରଶ୍ନର ସମ୍ମୁଖୀନ ହୋଇଥିଲେ ଅଭିନେତା ଅଜୟ ଦେବଗନ । ଅଜୟ ବର୍ତ୍ତମାନ ନିଜ ଫିଲ୍ମ ଭୁଜ: ଦ ପ୍ରାଇଡ ଅଫ୍ ଇଣ୍ଡିଆର ପ୍ରମୋଶନରେ ବ୍ୟସ୍ତ ରହିଛନ୍ତି । ପ୍ରମୋଶନ ସମୟରେ ନ୍ୟୁଜ ଆଙ୍କରଙ୍କ ଏଭଳି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ଚାଲାକିର ସହିତ ରଖିଥିଲେ ଅଜୟ ଦେବଗନ।
ଅଜୟଙ୍କ ଫିଲ୍ମ ଭୁଜ୍ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ଉପରେ ପର୍ଯ୍ୟବେସିତ । ଉକ୍ତ ସମୟରେ ଇନ୍ଦିରା ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଏହି କାରଣରୁ ଅଜୟଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା । ୧୯୭୧ରେ ଇନ୍ଦିରା ପାକିସ୍ତାନ ଉପରେ ଆକ୍ରମଣ କରିଥିବା ବେଳେ ମୋଦୀଙ୍କ ନେତୃତ୍ୱରେ ଥରେ ସର୍ଜିକାଲ ଷ୍ଟ୍ରାଇକ୍ ଓ ଥରେ ଏୟାର ଷ୍ଟ୍ରାଇକ ହୋଇ ସାରିଛି । ଏହାର ଉତ୍ତର ରଖି ଅଜୟ କହିଥିଲେ ଏହି ଦୁଇ ଜଣ ନେତା ସ୍ୱତନ୍ତ୍ର । ଉଭୟ ଭିନ୍ନ ଭିନ୍ନ ସମୟଓ ପରସ୍ଥିତିରେ ଦେଶର ନେତୃତ୍ୱ ନେଇଛନ୍ତି । ତେଣୁ ଉଭୟଙ୍କ ମଧ୍ୟରେ ତୁଳନା କରିବା ଠିକ୍ ନୁହେଁ । ଦୁଇଟି ଭିନ୍ନ ପରସ୍ଥିତି ଏବଂ ଦୁଇଟି ଅଲଗା ବ୍ୟକ୍ତିତ୍ୱ ମଧ୍ୟରେ ତୁଳନା କରାଯିବା ଗ୍ରହଣୀୟ ନୁହେଁ ବୋଲି ଅଜୟ କହିଥିଲେ । ଗୋଟିଏ ନିର୍ଦ୍ଧାରିତ କାର୍ଯ୍ୟ ଦୁଇ ଜଣଙ୍କୁ ଦିଆଗଲେ ହିଁ କିଏ ଶ୍ରେଷ୍ଠ ଆମେ ତୁଳନା କରିପାରିବା ବୋଲି ଅଜୟ ମତ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ଓଟିଟିରେ ରିଲିଜ ହୋଇଥିବା ଭୁଜ: ଦ ପ୍ରାଇଡ ଅଫ ଇଣ୍ଡିଆ ୧୯୭୧ ଭୁଜ ଏୟାରବେସରେ ପାକିସ୍ତାନର ଆକ୍ରମଣ କାହାଣୀ ଉପରେ ପର୍ଯ୍ୟବେସିତ । ଏହି ଫିଲ୍ମରେ ଅଜୟ ସ୍କ୍ୱାର୍ଡନ ଲିଡର ବିଜୟ କାର୍ଣ୍ଣିକଙ୍କ ଚରିତ୍ରରେ ନଜର ଆସିଥିଲେ । ଅଜୟଙ୍କ ବ୍ୟତିତ ଏହି ଶରଦ କେଲକର, ସଞ୍ଜୟ ଦତ୍ତ, ଆମି ଭିର୍କ, ସୋନାକ୍ଷୀ ସିହ୍ନା, ନୋରା ଫତେହୀ ଓ ପ୍ରଣିତା ସୁଭାଷ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିଛନ୍ତି ।