fbpx

ଜାଭେଦ ଅଖତାରଙ୍କୁ ଶିବସେନାର ଦୃଢ ଜବାବ: ଆପଣ ଯାହା କୁହନ୍ତୁ, କିନ୍ତୁ ତାଲିବାନ ସହ ଆରଏସଏସର ତୂଳନା ସ୍ୱୀକାର ନୁହେଁ

ନୂଆଦିଲ୍ଲୀ : ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘକୁ ତାଲିବାନ ସହ ତୂଳନା କରି ବିବାଦ ଘେରରେ ଏବେ ଜାଭେଦ ଅଖତାର । ଅଖତାରଙ୍କ ଏହି ପରି ବିବାଦୀୟ ବୟାନକୁ ନେଇ ଏବେ ଖପ୍ପା ଶିବସେନା । ନିଜର ମୁଖପତ୍ର ସାମନା ଜରିଆରେ ଜାଭେଦଙ୍କୁ ଶିବସେନା ଦେଇଛି ଦୃଢ ଜବାବ  । ଶିବସେନା ଲେଖିଛି ଯେ, ତାଲିବାନ ସହ ଆରଏସଏସର ତୂଳନା ଠିକ୍ ନୁହେଁ । ଆରଏସଏସ ଯଦି ତାଲିବାନ ବିଚାରଧାରାର ହୋଇଥାନ୍ତା ତେବେ ତିନି ତଲାକ ବିରୋଧରେ ଆଇନ ହୋଇନଥାନ୍ତା । ଲକ୍ଷାଧିକ ମୁସଲିମ ମହିଳାଙ୍କୁ ତିନି ତଲାକର ବ୍ୟଭିଚାରରୁ ସ୍ୱାଧୀନତା ମିଳିନଥାନ୍ତା ।

ଶିବସେନା ଏହା ମଧ୍ୟ ଲେଖିଛି, ଦେଶରେ ବହୁସଂଖ୍ୟକ ହିନ୍ଦୁଙ୍କ ସ୍ୱର ଚପା ନଯାଉ । ଆମ ଦେଶକୁ ହିନ୍ଦୁ ରାଷ୍ଟ୍ରରେ ନିର୍ମାଣ କରିବା ପାଇଁ ପ୍ରୟାସରତ ସଂଗଠନଙ୍କ ହିନ୍ଦୁ ରାଷ୍ଟ୍ର ଅବଧାରଣା ସୌଭ୍ୟ ଅଟେ । ସାମନାରେ ଲେଖା ହୋଇଛି ଯେ, ଜାଭେଦ ଅଖତାର ନିଜର ମୁଖର ମନ୍ତବ୍ୟ ପାଇଁ ଜଣାଶୁଣା । ଦେଶରେ ଯେବେ ଯେବେ ଦେଶଦ୍ରୋହୀ ବିକୃତି ସାମ୍ନାକୁ ଆସେ, ଜାଭେଦ ଅଖତାର ସେହି ଲୋକଙ୍କ ମୁଖା ଖୋଲିଥାନ୍ତି । କଠୋରପନ୍ଥୀଙ୍କ ଭୟ ନକରି ସେ ବନ୍ଦେ ମାତରମ ଗାନ କରିଛନ୍ତି । ତଥାପି ସଂଘର ତୂଳନା ତାଲିବାନ ସହ କରିବା ଆମକୁ ସ୍ୱୀକାର ନୁହେଁ ।

ଶିବସେନା କହିଛି, ତାଲିବାନୀ ଶାସନ ସମାଜ ଓ ମାନବ ଜାତି ପାଇଁ ସବୁଠୁ ବଡ ବିପଦ । ପାକିସ୍ତାନ ଓ ଚୀନ ପରି ଦେଶ ଏହାକୁ ସମର୍ଥନ କରିଛି । ହିନ୍ଦୁସ୍ତାନର ମାନସିକତା ସେମିତି ନୁହେଁ । ଆମେ ସହିଷ୍ଣୁ ଦେଶ । ଗଣତନ୍ତ୍ରର ବୁରଖାରେ କିଛି ଲୋକ ଏକଛତ୍ରବାଦ ଶାସନ ଆଣିବାକୁ ଉଦ୍ୟମ ଚଳାଇଛନ୍ତି । ତଥାପି ସେମାନଙ୍କର ଏକ ସୀମା ରହିଛି । ଏଥିପାଇଁ ଏହି ଧରଣର ତୂଳନା ଉଚିତ୍ ନୁହେଁ । ତାଲିବାନ ଆଫଗାନିସ୍ତାନକୁ ନର୍କ କରି ସାରିଛି । ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଛି । ଲକ୍ଷାଧିକ ଲୋକ ଦେଶ ଛାଡି ପଳାୟନ କରିଛନ୍ତି । ଆମର ହିନ୍ଦୁସ୍ତାନ ସେମିତି ନୁହେଁ ବୋଲି ସାମନା କହିଛି ।

 

Get real time updates directly on you device, subscribe now.