ମତଦାନ ଆରମ୍ଭରୁ ‘ଖେଲା’ ଆରମ୍ଭ, ମମତାଙ୍କ ବିଧାୟକଙ୍କ ଉପରେ ଲାଗିଲା ଇଭିଏମ୍ ବନ୍ଦ କରିବା ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ଭବାନୀପୁର ବିଧାନସଭା ଆସନରେ ସକାଳ ୭ଟାରୁ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ତେବେ ମତଦାନ ଆରମ୍ଭ ରୁ ହିଁ ଦୁଇ ଦଳ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଯାଇଛି । ତେବେ ଭବନୀପୁର ଆସନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲଙ୍କ ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଛି । ତେବେ ଇତି ମଧ୍ୟରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ଅଭିଯୋଗ ଆଣିଛନ୍ତି ଯେ, ଟିଏମସି ବିଧାୟକ ମଦନ ମିତ୍ରା ଜାଣିଶୁଣି ଗୋଟିଏ ବୁଥ୍ ଇଭିଏମ୍ ବନ୍ଦ କରିଛନ୍ତି ।

ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବ୍ରେୱାଲ ଏହି ପରିପ୍ରେକ୍ଷୀରେ ଭବାନୀପୁରର ପୋଲିଂ ବୁଥ୍ ଭ୍ରମଣ କରିବା ସମୟରେ ଏଭଳି ଅଭିଯୋଗ ଆଣିଛନ୍ତି । ତେବେ ଏହି ହାଇ ଭୋଲଟେଜ୍ ନିର୍ବାଚନରେ ମମତାଙ୍କ ସାମନା ପ୍ରିୟଙ୍କା କରୁଛନ୍ତି । ସେ କହିଛନ୍ତି ଯେ, ମଦନ୍ ମିତ୍ରା ଜାଣିଶୁଣି ଏଠାରେ ଇଭିଏମ୍ ମେସିନ୍ ବନ୍ଦ କରିଛନ୍ତି କାରଣ ସେ ବୁଥ୍ କ୍ୟାପଚର୍ କରିବାକୁ ଚାହୁଁଛନ୍ତି । ସେ ଆହୁରି ବି କହିଛନ୍ତି ଯେ, ହାରିବା ଭୟରେ ମମତା ସରକାର ହାରିବା ଭୟରେ ଡରି ଯାଇଛନ୍ତି ।

ସୂଚନା ଯୋଗ୍ୟ, ଭବାନୀପୁର ସହିତ ପଶ୍ଚିମବଙ୍ଗର ଅନ୍ୟ ଆସନରେ ବି ମତଦାନ ଜାରି ଆରମ୍ଭ ହୋଇଯାଇଛି । ଗୁରୁବାର ଦିନ ସକାଳ ୭ଟା ସମୟରୁ ଉପନିର୍ବାଚନ ଆରମ୍ଭ ହୋଇଯାଇଛି । ଭବାନୀପୁର ବ୍ୟତୀତ ମୁର୍ସିଦାବାଦ୍ ଜିଲ୍ଲାର ଜଙ୍ଗୀପୁର ଏବଂ ସମସେରଗଞ୍ଜ ଆସନରେ ବି ଉପନିର୍ବାଚନ ହେଉଛି । ଭୋଟ ଗଣତି ଅକ୍ଟୋବର ୩ ତାରିଖରେ ହେବ ।