ଶେଷରେ ଶୁଣିଲା ପ୍ରଶାସନ, ଲଖିମପୁର ଯିବାକୁ ରାହୁଲଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ୪ କୃଷକଙ୍କ ସମେତ ୮ ଜଣଙ୍କ ହତ୍ୟାର ବିବାଦ ଏବେ ବି ଥମିନାହିଁ । ଏହାରି ମଧ୍ୟରେ ଲଖିମପୁର ଓ ସୀତାପୁର ଯିବାକୁ ରାହୁଲ ଗାନ୍ଧୀଙ୍କୁ ଅନୁମତି ଦେଇଛନ୍ତି ଯୋଗୀ ସରକାର । ରାହୁଲ ଓ ପ୍ରିୟଙ୍କା ସମେତ ୩ ଜଣଙ୍କୁ ଲଖିମପୁର ଯିବାକୁ ଅନୁମତି ଦିଆଯାଇଛି । ମୋଟ ୫ ଜଣଙ୍କୁ ଯିବାକୁ ଅନୁମତି ଦେଇଛନ୍ତି ୟୁପି ସରକାର । ସେଠାରେ ୨ ପୀଡିତଙ୍କ ପରିବାରକୁ ଭେଟିବେ ରାହୁଲ ଗାନ୍ଧୀ ।

ତେବେ ଚାଷୀଙ୍କୁ ହତ୍ୟା ଏବଂ ହିଂସାକାଣ୍ଡ ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, କୃଷକଙ୍କୁ ସରକାର ଆକ୍ରମଣ କରୁଛନ୍ତି । କୃଷକଙ୍କୁ ଗାଡି ଚଢାଇ ହତ୍ୟା କରାଯାଉଛି । ପ୍ରଧାନମନ୍ତ୍ରୀ ଲଖନଉ ଗଲେ କିନ୍ତୁ ଲଖିମପୁର ଖେରି ଯାଇ ପାରିଲେ ନାହିଁ ବୋଲି ରାହୁଲ କ୍ଷୋଭ ପ୍ରକାଶ କରି କରିଥିଲେ ।

ପ୍ରିୟଙ୍କା ଗାନ୍ଧୀଙ୍କ ସହ ହୋଇଥିବା ଧସ୍ତାଧସ୍ତି ବିଷୟରେ ରାହୁଲ କହିଥିଲେ, ଏହା କୃଷକଙ୍କ ପ୍ରସଙ୍ଗ । ପ୍ରିୟଙ୍କାଙ୍କ ସହିତ ଧସ୍ତାଧସ୍ତି ହେବା କିଛି ଫରକ ପଡେ ନାହିଁ । ଆମକୁ ମାରି ଦେଲେ କି ପୋତି ଦେଲେ ଏଥିରେ କୌଣସି ଫରକ ପଡେ ନାହିଁ । ଏହା କେବଳ କୃଷକଙ୍କ ହିତର ପ୍ରସଙ୍ଗ । ମୁଁ ଲଖନଉ ଯାଇ ଘଟଣାର ବାସ୍ତବତା ଜାଣିବାକୁ ଚାହୁଁଛି ବୋଲି ରାହୁଲ ଗାନ୍ଧୀ କହିଥିଲେ ।