fbpx

ଚେନ୍ନାଇ ପାଇଁ ଧୋନୀ ଆଉ କେତେ ବର୍ଷ ଖେଳିବେ ? ସିଏସକେ ଫ୍ରାଞ୍ଚାଇଜି ଦେଲେ ବଡ ବୟାନ

ନୂଆଦିଲ୍ଲୀ : ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲ ୨୦୨୧ର ପ୍ଲେଅଫରେ ପହଞ୍ଚି ସାରିଛି । ସିଏସକେକୁ ତିନି ଥର ଆଇପିଏଲ ଟ୍ରଫି ଜିତାଇଥିବା ମହେନ୍ଦ୍ର ସିଂହ ଧୋନୀ ଚଳିତ ସିଜିନରେ ବ୍ୟାଟିଂରେ ବିଫଳ ହେଲେ ମଧ୍ୟ ଟିମ୍ ମାଲିକଙ୍କ ଭରସା ତାଙ୍କ ପ୍ରତି ତିଳେ ହେଲେ କମି ନାହିଁ । ଗୋଟିଏ ଦିନ ପୂର୍ବେ ଧୋନୀ କହିଥିଲେ ଯେ, ସେ ନିଜର ଅନ୍ତିମ ମୁକାବିଲା ଚେନ୍ନାଇ ମଇଦାନରେ ଖେଳିବାକୁ ଚାହାନ୍ତି । ଏହା ପରେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ଯେ, ଆଇପିଏଲ ୨୦୨୨ ଧୋନୀଙ୍କ ଶେଷ ସିଜିନ ହେବ । ଆସନ୍ତା ବର୍ଷ ଧୋନୀ ୪୧ ବର୍ଷରେ ପଦାର୍ପଣ କରିବେ । କିନ୍ତୁ ସିଏସକେ ଫ୍ରାଞ୍ଚାଇଜି ସ୍ପଷ୍ଟ କରିଛନ୍ତି ଯେ, ଧୋନୀ ଆଉ କିଛି ବର୍ଷ ଦଳ ପାଇଁ ଖେଳି ପାରନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସର ମାଲିକାନା ରଖିଥିବା ଇଣ୍ଡିଆ ସିମେଣ୍ଟ୍ସର ଜଣେ ଅଧିକାରୀ କହିଛନ୍ତି, ଆମେ ଧୋନୀଙ୍କୁ ଆଇପିଏଲ ୨୦୨୨ ପାଇଁ ରିଟେନ୍ କରିବାକୁ ଯାଉଛୁ । ସେ ଆଗାମୀ ବର୍ଷ ରହିବେ ଏବଂ ବୋଧହୁଏ ଆଉ କିଛି ବର୍ଷ ଦଳ ପକ୍ଷରୁ ଖେଳି ପାରନ୍ତି । ବର୍ତ୍ତମାନ କିଛି ସ୍ଥିର ହୋଇ ନାହିଁ । ସେ କହିଛନ୍ତି ପ୍ରଶଂସକ ଚେନ୍ନାଇରେ ତାଙ୍କ ବିଦାୟୀ ମ୍ୟାଚ୍ ଦେଖି ପାରନ୍ତି । ଏହି ନିଷ୍କର୍ସ କାଢିବା ଆଦୌ ଉଚିତ୍ ନୁହେଁ ଯେ, ୨୦୨୨ ଆଇପିଏଲ ତାଙ୍କର ଶେଷ ସିଜିନ ହେବ ।

ଧୋନୀ ଇଣ୍ଡିଆ ସିମେଣ୍ଟ୍ସର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଶଂସକଙ୍କୁ କହିଥିଲେ ଯେ, ଯେବେ ବିଦାୟ କଥା ଉଠିଥାଏ ତେବେ ଆପଣ ଷ୍ଟାଡିୟମ ଆସି ପାରିବେ ଏବଂ ମୋତେ ସିଏସକେ ପକ୍ଷରୁ ଖେଳୁଥିବା ଦେଖି ପାରିବେ । ଆପଣଙ୍କୁ ମୋତେ ବିଦାୟ ଦେବାର ସୁଯୋଗ ମିଳିବ । ଆଶା କରୁଛି ମୁଁ ଚେନ୍ନାଇ ଆସିବି ଏବଂ ନିଜର ଶେଷ ମ୍ୟାଚ୍ ଖେଳିବି । ସମସ୍ତ ପ୍ରଶଂସକଙ୍କୁ ମଧ୍ୟ ଭେଟିବି । ଧୋନୀ ୨୦୨୦ ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ ।

୨୦୧୯ ପରଠୁ ଧୋନୀ ଚେନ୍ନାଇ ମାଟିରେ ଖେଳି ପାରି ନାହାନ୍ତି । ଗତ ସିଜିନର ପୂରା ମୁକାବିଲା ୟୁଏଇରେ ଆୟୋଜନ ହୋଇଥିଲା । ଚଳିତ ସିଜିନର ଆରମ୍ଭ ଭାରତରେ ହୋଇଥିଲେ ମଧ୍ୟ କୌଣସି ଦଳକୁ ଘରୋଇ ପଡିଆରେ ଖେଳିବାକୁ ସୁଯୋଗ ମିଳିନଥିଲା । ଧୋନୀ ଚଳିତ ସିଜିନରେ ୧୩ଟି ମ୍ୟାଚରେ ମାତ୍ର ୧୪ ହାରରେ ୮୪ ରନ କରିଛନ୍ତି ।

Get real time updates directly on you device, subscribe now.