fbpx

ଲଖିମପୁର ହିଂସାକାଣ୍ଡ: ଡେଙ୍ଗୁରେ ଆକ୍ରାନ୍ତ ହେଲେ ଆଶିଷ ମିଶ୍ରା, ହସ୍ପିଟାଲରେ ଭର୍ତ୍ତି

ଲଖିମପୁର: ଜେଲରେ ସଜ୍ଜା କାଟୁଥିବା ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀଙ୍କ ପୁଅ ଆଶିଷ ମିଶ୍ରା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜେଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୁତ୍ରରୁ ମିଳିଥିବା ସୂଚନା ମୁତାବକ, ଆଶିଷ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ଚିକିତ୍ସା ଏବେ ଜିଲ୍ଲା ହସ୍ପିଟାଲରେ ଜାରି ରହିଛି । ଜେଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ, ଲଖିମପୁର ଖେରୀ ହିଂସାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ପୋଲିସ୍ ଶୁକ୍ରବାର ଦିନ ୪୮ ଘଣ୍ଟା ପାଇଁ ରିମାଣ୍ଡରେ ନେଇଥିଲେ । ଆଶିଷ ଯେତେବେଳେ ଜେଲ୍ ରୁ ବାହାରକୁ ଆସିଥିଲେ ପୋଲିସ୍ ତାଙ୍କୁ କ୍ରାଇମବ୍ରାଞ୍ଚକୁ ନେଇଯାଇଥିଲେ ଓ ସେ ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା । ପୋଲିସ୍ କହିବାନୁସାରେ, ଜେଲରୁ ବାହାରକୁ ଆସିବା ପୂର୍ବରୁ ତାଙ୍କର କିଛି ଟେଷ୍ଟ କରାଯାଇଥିଲା । ତାଙ୍କୁ ଜ୍ୱର ହୋଇଥିବା ଜଣାପଡ଼ିଥିଲା । ଶନିବାର ଦିନ ତାଙ୍କ ଟେଷ୍ଟ ରିପୋର୍ଟ ଆସିଥିଲା ଓ ତାଙ୍କୁ ଡେଙ୍ଗୁ ହୋଇଥିବା ଜଣାପଡ଼ିଥିଲା । ପୋଲିସ୍ ପୁଣିଥରେ ଟେଷ୍ଟ କରାଇଥିଲା ଓ ଡେଙ୍ଗୁ ପଜିଟିଭ୍ ଆସିଥିଲା ।

Get real time updates directly on you device, subscribe now.