fbpx

ଆଜିଠୁ କଳିଙ୍ଗ ଷ୍ଟାଡିୟମ୍‌ରେ ହକି ମହାକୁମ୍ଭ, ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍‌: ରାତି ୮ଟାରେ ଭାରତ-ଫ୍ରାନ୍ସ ମୁକାବିଲା

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍‌): ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ । ହକି ମହାକୁମ୍ଭ ପାଇଁ ପ୍ରସ୍ତୁତ ହୋଇ ରହିଛି କଳିଙ୍ଗ ଷ୍ଟାଡିୟମ୍‌ । ଉଦଘାଟନୀ ଦିବସରେ ୫ଟି ମ୍ୟାଚ୍‌ ରହିଥିବା ବେଳେ ପ୍ରଥମ ମ୍ୟାଚରେ ବେଲଜିୟମକୁ ଭେଟିବ ଦକ୍ଷିଣ ଆଫ୍ରିକା । ତେବେ କରୋନା କଟକଣା ପାଇଁ ବିନା ଦର୍ଶକରେ ସମସ୍ତ ମ୍ୟାଚ୍‌ ଖେଳାଯାଉଥିବାରୁ ହକି ପ୍ରେମୀ ନିରାଶ ହୋଇଛନ୍ତି । ଅପରପକ୍ଷରେ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।

ମଙ୍ଗଳବାର ଦିନ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । ସେ କହିଛନ୍ତି ଯେ ପୁରୁଷ ଜୁନିଅର ହକି ବିଶ୍ୱକପ୍‌ ପାଇଁ ୨୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ । ସୁରକ୍ଷା ଦାୟିତ୍ୱରେ ରହିବେ ଭୁବନେଶ୍ୱର ଡିସିି । ଖେଳାଳି ରହିବାକୁ ଥିବା ହୋଟେଲ, ଷ୍ଟାଡିୟମ ଓ ରୁଟ୍‌ ଲାଇନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ । କଡ଼ା ସୁରକ୍ଷା ଭିତରେ ଖେଳାଳିଙ୍କ ବସ୍‌ ହୋଟେଲରୁ ଷ୍ଟାଡିୟମ୍‌ ଆସିବ । ଜୁନିଅର ହକି ବିଶ୍ୱକପ୍‌ ରେ ଆୟୋଜକ ଭାରତ ସମେତ ମୋଟ ୧୬ ଟିମ୍‌ ଭାଗ ନେବେ । ପ୍ରଥମ ଥର ପାଇଁ ଭାରତୀୟ ଜୁନିଅର ହକି ଦଳରେ ୩ ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି । ସେମାନେ ହେଲେ ସୁଦୀପ୍‌ ଚିରାମାକୋସୁନିଲ ଜୋଜୋ ଓ ଅଭିଷେକ ଲାକ୍ରା । ଉଦଘାଟନୀ ଦିବସରେ ଗତ ଥରର ଟାଇଟଲ ବିଜେତା ଭାରତ ପ୍ରଥମ ମୁକାବିଲାରେ ଫ୍ରାନ୍ସ ସହିତ ଲଢ଼େଇ କରି ଆରମ୍ଭ କରିବ ବିଶ୍ୱକପ ଅଭିଯାନ । ଘରୋଇ ପରିବେଶରୁ ଫାଇଦା ଉଠାଇ ଭାରତ ପୁଣି ଚାମ୍ପିଅନ ହେବା ଲକ୍ଷ୍ୟ ରଖିବାରୁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି ଭାରତୀୟ ଦଳ । ବିବେକ ପ୍ରସାଦ ସାଗରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଅଛନ୍ତି ସଂଖ୍ୟାଧିକ ମ୍ୟାଚ ବିଜୟୀ ଖେଳାଳି ।

ସୂଚନା ଯୋଗ୍ୟ ଯେ ୬ ବର୍ଷ ତଳେ ଲକ୍ଷ୍ନୌରେ ଆୟୋଜିତ କନିଷ୍ଠ ପୁରୁଷ ଜୁନିର ବିଶ୍ୱକପ୍‌ ଫାଇନାଲରେ ବେଲଜିୟମକୁ ହରାଇ ଭାରତ ଜାମ୍ପିଅନ ହୋଇଥିଲା । ପୁଣି ଏଠାରେ ପୂର୍ବ ସଫଳତା ଦୋହରାଇବା ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଆ । ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ଭିନ୍ନ ଗ୍ରୁପ୍‌ରେ ଥିଲେ ମଧ୍ୟ ପ୍ରତିଯୋଗିତାର କୌଣସି ପର୍ଯ୍ୟାୟରେ ଉଭୟ ଦଳ ମଧ୍ୟରେ ଲଢ଼େଇ ଦେଖିବାକୁ ଭାରତୀୟ ପ୍ରଶଂସକ ଆଶା ରଖିଛନ୍ତି । ବେଲଜିୟମ, ଆର୍ଜେଣ୍ଟିନା, ଚିଲି, ନେଦରଲାଣ୍ଡ, ଫ୍ରାନ୍ସ, କାନାଡା, ପୋଲାଣ୍ଡ, ସ୍ପେନ୍‌, ନେଦରଲାଣ୍ଡ୍ସ ଓ ଦକ୍ଷିଣ କୋରିଆ ସହ ପ୍ରତିଯୋଗିତାର ସବୁଠାରୁ ସଫଳ ଦଳ ଜର୍ମାନୀ ପରି ଶକ୍ତିଶାଳୀ ଟିମଙ୍କ ପ୍ରଦର୍ଶନ ଦେଖିବାକୁ ମିଳିବ । ତେଣୁ ଭାରତୀୟ ଦଳ ପ୍ରାରମ୍ଭରୁ କଡା ମୁକାବିଲା କରିବା ପାଇଁ ପଡିବ । । ଏଣୁ ଏହି ବିଶ୍ୱକପକୁ ନଭେମ୍ବର ୨୪ରୁ ଡିସେମ୍ବର ୫ତାରିଖ ପର୍ଯ୍ୟନ୍ତ ଓଡ଼ିଶା, ଭାରତ ଓ ସର୍ବୋପରି ବିଶ୍ୱ ହକିପ୍ରେମୀଙ୍କ ହୃତସ୍ପନ୍ଦନ ପାଲଟିବ ବୋଲି ଆଶା କରାଯାଉଛି । କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ର ଏଥରର ଫର୍ମାଟ୍‌ ସମସ୍ତଙ୍କୁ ସୁହାଇଲା ଭଳି ହୋଇଛି । ଏଥିରେ ଅଂଶ ଗ୍ରହଣ କରୁଥିବା ୧୬ ଦଳକୁ ୪ ପୁଲ୍‌ରେ ବିଭକ୍ତ କରାଯାଇଛି । ପୁଲ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦଳ ଅନ୍ୟ ବିରୋଧରେ ତିନି ଲେଖାଏଁ ମ୍ୟାଚ୍‌ ଖେଳିବେ । ପ୍ରତି ଗ୍ରୁପ ର ଶ୍ରେଷ୍ଠ ୨ ଦଳ କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହେବେ ।

ସେହିପରି ପ୍ରତି ଗ୍ରପର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିବା ଦଳ ନବମରୁ ଷୋଡ଼ଶ ସ୍ଥାନ ପାଇଁ ବିଭିନ୍ନ କ୍ଲାସିଫିକେସନ୍‌ ମ୍ୟାଚ୍‌ ଖେଳିବେ । କ୍ୱାର୍ଟର ଫାଇନାଲ୍‌ର ଚାରିଟି ବିଜୟୀ ଦଳ ସେମିଫାଇନାଲ୍‌ ଏବଂ ସେମିଫାଇନାଲ୍‌ ମ୍ୟାଚର ଦୁଇ ବିଜେତା ଦଳଙ୍କୁ ନେଇ ଆସନ୍ତା ଡିସେମ୍ବର ୫ ତାରିଖ ଦିନ ମେଗା ଫାଇନାଲ ଖେଳାଯିବ । ଭାରତ ପୁଲ-ବି’ରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ସହ ରହିଛି । ସେହିପରି ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ପୁଲ୍‌-ଡି’ରେ ଜର୍ମାନି, ଆର୍ଜେଣ୍ଟିନା ଓ ଇଜି୍ଟ ସହିତ ରହିଛି ବେଲଜିୟମ-ଦକ୍ଷିଣ ଆଫ୍ରିକା ପୁଲ୍‌ ଏ’ ମ୍ୟାଚ୍‌ରୁ ଆରମ୍ଭ ହେବ ବିଶ୍ୱକପ ଅଭିଯାନ । ନଭେମ୍ବର ୨୪ରୁ ୨୮ର ପୁଲ୍‌ ପର୍ଯ୍ୟାୟରେ ପ୍ରତ୍ୟେକ ଦିନ ୫ ଲେଖାଏ ମ୍ୟାଚ୍‌ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.