fbpx

ଜୁନିୟର ହକି ବିଶ୍ୱପରେ ଦର୍ଶକଙ୍କୁ ମନା, କିନ୍ତୁ ବଡ଼ବଡ଼ିଆଙ୍କ ପରିବାର ଦେଖିପାରିବେ: ପାତରଅନ୍ତର ନୀତିକୁ ନେଇ ଓଡ଼ିଶା ନିନ୍ଦିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଳିଙ୍ଗ ଷ୍ଟାଡିୟମରେ ବର୍ତ୍ତମାନ ଚାଲୁଥିବା ଜୁନିୟର ହକି ବିଶ୍ୱକପକୁ ନେଇ ଆସିଛି ଏକ ସାଙ୍ଘାତିକ ଅଭିଯୋଗ । କୋଭିଡ୍ ଦୃଷ୍ଟିରୁ ଷ୍ଟାଡିୟମ ଭିତରକୁ ଦର୍ଶକଙ୍କୁ ପ୍ରବେଶ ନିଷେଧ କରାଯାଇଥିବା ବେଳେ ତାହା ପାଳନ ହେଉନଥିବା କୁହାଯାଉଛି । ଗୋଟିଏ ପଟେ ଖେଳାଳିଙ୍କ ଠାରୁ ଆରମ୍ଭ କରି ସାମ୍ବାଦିକ, ସୁରକ୍ଷାକର୍ମୀ, ସ୍ୱେଚ୍ଛାସେବୀଙ୍କର ୪୮ ଘଣ୍ଟାରେ ଥରେ କୋଭିଡ୍ ଟେଷ୍ଟ କରାଯାଉଛି । ଅନ୍ୟପଟେ ବଡ଼ ବଡ଼ିଆଙ୍କ ପରିବାରକୁ ଷ୍ଟାଡିୟମ୍ ଭିତରକୁ ଅବାଧରେ ପ୍ରବେଶ କରାଇ ଦିଆଯାଉଛି । ଏହାକୁ ନେଇ ବର୍ତ୍ତମାନ ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି, ଏଥିପାଇଁ ଦାୟୀ କିଏ?

ତେବେ ସରକାର, ହକି ଇଣ୍ଡିଆ, ଏଫଆଇଏଚ ଚଳିତ ବିଶ୍ୱକପକୁ କରୋନା ମୁକ୍ତ ରଖିବାକୁ ଯଥାସାଧ୍ୟ ପ୍ରୟାସ ଚଳାଇଥିବା ବେଳେ ତାହା ଫସର ଫାଟି ଯାଇଛି । ଅନ୍ୟ ମ୍ୟାଚ ଗୁଡ଼ିରେ ସିଟ୍ ଖାଲି ପଡ଼ୁଥିବାଳେ ଭାରତର ମ୍ୟାଚ ସମୟରେ ଷ୍ଟାଡିୟମର ପଶ୍ଚିମ ଗ୍ୟାଲେରି ଅଧାରୁ ଅଧିକ ଭର୍ତ୍ତି ହୋଇଯାଉଛି । ଏତେ ମାତ୍ରାରେ ଦର୍ଶକଙ୍କୁ ଅନୁମତି ଦେଉଛନ୍ତି କିଏ, ସେମାନେ କୁଆଡ଼ୁ ଆସୁଛନ୍ତି ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଏହି ଗ୍ୟାଲେରିରେ ୭ ବର୍ଷର ପିଲାଙ୍କଠାରୁ ଆରମ୍ଭ କରି ୭୦ ବର୍ଷୀୟ ଲୋକ ମ୍ୟାଚର ମଜା ନେଉଥିବା ଦେଖାଯାଉଛି । ଏଠାରେ କହିବା ଯୋଗ୍ୟ ଯେ, ଯଦି ଟିକେଟ କି ପାସର ବ୍ୟବସ୍ଥା ନାହିଁ, ତେବେ ଏତେ ସଂଖ୍ୟାରେ ଲୋକ ଆସୁଛନ୍ତି କେଉଁଠୁ? । ଏହା କ’ଣ ଖେଳ ଘର? ବର୍ତ୍ତମାନ ଭୟଙ୍କର ନୂଆ ଭାରିଆଣ୍ଟ ମାଡ଼ି ଚାଲିଥିବା ବେଳେ ଷ୍ଟାଡିୟମରେ ଏ ପ୍ରହସନ କ’ଣ ପାଇଁ । ଅଯଥାରେ ଷ୍ଟାଡିମୟରେ କରୋନା ମଞ୍ଜି ବୁଣାଯାଉନି ତ? ନିୟମ ସମସ୍ତଙ୍କ ପାଇଁ ସମାନ, ବଡ଼ ବଡ଼ିଆ ତାଙ୍କ ଘରେ ବଡ଼ବଡ଼ିଆ । ନିଜେ ତ ମରିବେ, ରାଜ୍ୟବାସୀଙ୍କୁ ମାରିବେ । ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଓଡ଼ିଶା ସରକାରଙ୍କ ଖାମଖିଆଲି କାର୍ଯ୍ୟଶୈଳୀକୁ ନେଇ ପ୍ରଶ୍ନ ଉଠଛି, ଯାହାକି ପରୋକ୍ଷରେ ରାଜ୍ୟର ସମ୍ମାନକୁ ତଳେ ପକାଉଛି । ତେଣୁ ସରକାର ଏହାକୁ ଗୁରୁତ୍ୱର ସହ ନେଇ ଉପଯୁକ୍ତ ତଦନ୍ତ କରି ଦୋଷୀକୁ ଦଣ୍ଡ ବିଧାନ କରିବାର ପ୍ରୟାସ କରିବାକୁ ଅନୁରୋଧ ।

Get real time updates directly on you device, subscribe now.