fbpx

ଜୁନିୟର ହକି ବିଶ୍ୱକପ୍‌ରେ ପଶିଲା କରୋନା, ଜଣେ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗତ ମାସ ୨୪ ତାରିଖରୁ ଶୁକ୍ରବାର ପର୍ଯ୍ୟନ୍ତ ଅତି ଶୃଙ୍ଖଳିତ ଭାବେ ଜୁନିୟର ହକି ବିଶ୍ୱକପ ଅନୁଷ୍ଠିତ ହୋଇ ଆସିଥିବା ବେଳେ ଜନୈକ ସୋସିଆଲ ମିଡିଆ ଟିମ୍‌ ସଦସ୍ୟଙ୍କର କରୋନା ପାରୀକ୍ଷା ରିପୋର୍ଟ ପଜିଟିଭ ଆସିବାରୁ ଭୟ ବାତାବରଣ ସୃଷ୍ଟି ହୋଇଛି ।ସ୍ଥାନୀୟ ବିଶ୍ୱକପ ଆୟୋଜକ କମିଟିର ସୂଚନା ମୁତାବକ କରୋନାରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ଓଡିଶ। ସରକାରଙ୍କ କ୍ରୀଡା ଓ ଯୁବ ସେବା ବ୍ୟାପାର ବିଭାଗ ସୋସିଆଲ ମିଡିଆ ଟିମର ଅନ୍ୟତମ ସଦସ୍ୟ । ଏହି ଖବର ଜଣା ପଡିବା ପରେ ବିଶ୍ୱକପ ଆୟୋଜକ କମିଟିର ଚିନ୍ତା ବଢ଼ି ଯାଇଛି । ତେଣୁ ଶୁକ୍ରବାର ଦିନ କରୋନା ଆରଟି- ପିସିଆର ପରୀକ୍ଷାକୁ ପୁଣି ଥରେ କଡାକଡି କରା ଯାଇଛି । ତେଣୁ ଏହି ବିଶ୍ୱକପର ଟିକିନିଖି ବିବରଣୀ ସଂଗ୍ରହ କରୁଥିବା ସମସ୍ତ ମିଡିଆ ପର୍ସନଙ୍କର କୋଭିଡ ପରୀକ୍ଷା କରାଯାଇଛି । ଯେଉଁମନେ ଏହି ଆରଟି- ପିସିଆର ଟେଷ୍ଟ କରି ନାହାନ୍ତି ସେମାନଙ୍କୁ ଅବଶିଷ୍ଟ ମ୍ୟାଚର ରିପୋର୍ଟ ସଂଗ୍ରହ ପାଇଁ ମିଡିଆ ସେଣ୍ଟର ମଧ୍ୟରେ ପ୍ରବେଶ ସୁଯୋଗ ମିଳିବ ନାହିଁ ।

ସୂଚନା ଯୋଗ୍ୟ ଯେ ବିଶ୍ୱକପ କରୋନା ନିୟମ ଅନୁଯାୟୀ ପ୍ରତି ୪୮ ଘଣ୍ଟା ଅନ୍ତରରେ ଗଣମାଧ୍ୟମ ପ୍ରତିନିଧିଙ୍କର ଆରଟି-ପିସିଆର ପରୀକ୍ଷା ନିୟମିତ କରାଯାଉଛି । ତେବେ ସବୁଠାରୁ ଉଦବେଗର ବିଷୟ ହେଲା ଯେ କରୋନାରେ ଆକ୍ରାନ୍ତ ବ୍ୟକ୍ତି ଜଣକ ପ୍ରତିଦିନ ମିଡିଆ ସେଣ୍ଟରକୁ ଯାଇ ସମସ୍ତଙ୍କ ସହିତ ଅବାଧ ମିଳାମିଶା କରୁଥିଲେ । ଅନ୍ୟଏକ ଚର୍ଚ୍ଚାର ବିଷୟ ହେଲା ଯେ କରୋନା ଆତଙ୍କ ଯୋଗୁ ଚଳିତ ଜୁନିୟର ହକି ବିଶ୍ୱକପ ପାଇଁ କଡା କରୋନା ନିୟମ ଲାଗୁ କରାଯାଇଛି । ଖେଳାଳି ଓ ଜନ ସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ କଳିଙ୍ଗ ଷ୍ଟାଡିୟମ ପରିସରକୁ ସୁରକ୍ଷିତ ପରିବେଶ ବଳୟ ମଧ୍ୟରେ ରଖା ଯାଇଥିବା ବେଳେ ଷ୍ଟାଡିୟମ ପରିସରକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୋକା ଲଗା ଯାଇଛି । ତେଣୁ ଖାଲି ଷ୍ଟାଡିୟମରେ ଅନୁଷ୍ଠିତ ହୋଉଛି ଏହି ବିଶ୍ୱକପ । ତେବେ ଦୁଇ ଦିନ ତଳେ ଅନୁଷ୍ଠିତ  ଭାରତ-ବେଲଜିୟମ କ୍ୱାର୍ଟରଫାଇନାଲ ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ପ୍ରାୟ ତିନି ହଜାରରୁ ଅଧିକ ଲୋକ ମ୍ୟାଚ ଦେଖିବା ସହିତ ଭାରତୀୟ ଦଳକୁ ଉତ୍ସାହିତ କରିଥିଲେ । ମାତ୍ର ଏମାନଙ୍କର କୌଣସି କୋଭିଡ ପରୀକ୍ଷା କରା ନ ଯାଇ କିପରି ମ୍ୟାଚ ଦେଖିବା ସୁଯୋଗ ଦିଆଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ତେବେ ରାଜ୍ୟ ସୂଚନା ଅଧିକାରୀ ସୁଜିତ ରଞ୍ଜନ ସ୍ୱାଇଁ କହିଛନ୍ତି ଯେ,ଉକ୍ତ ଦିନ କେବଳ ଷ୍ଟାଡିୟମ ଭିତରେ ରହୁଥିବା କ୍ରୀଡା ଛାତ୍ରାବାସ ଛାତ୍ରଛାତ୍ରୀ ,ଷ୍ଟାଫ ,କୋଚ ଓ ସେମାନଙ୍କର ପରିବାର ବର୍ଗ ଷ୍ଟାଡିୟମରେ ବସି ମ୍ୟାଚ ଦେଖିଥିଲେ । ସେମାନଙ୍କ ମଧ୍ୟରୁ ଅଧିକାଂଶ ପରିବାର ଷ୍ଟାଡିୟମ ଭିତରେ ରହୁଛନ୍ତି । ସେହିପରି ହକି ଇଣ୍ଡିଆର ପ୍ରତିନିଧି ଓ ସେମାନଙ୍କ ସହିତ ଆସିଥିବା ପରିବାର ଲୋକ କେବଳ ଷ୍ଟାଡିୟମରେ ଭାରତ- ବେଲଜିୟମ କ୍ୱାର୍ଟରଫାଇନାଲ ମ୍ୟାଚ ଦେଖିଥିଲେ । ତେବେ ବିଶ୍ୱକପ ଶେଷ ହେବା ପାଇଁ ଆଉ ଦୁଇ ଦିନ ବାକି ଥିବା ବେଳେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହେବା ପରେ ସମସ୍ତଙ୍କ ମନରେ ଭୟ ଜାତ ହୋଇଛି । ପୁଣି ଥରେ ସୂଚାଇ ଦିଆଯାଇ ପାରେ ଯେ କରୋନା ସଂକ୍ରମଣ ଭୟ ନେଇ ଇଂଲଣ୍ଡ ,ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏହି ବିଶ୍ୱକପରୁ ଓହରି ଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ଅନ୍ୟ ତିନି ଦେଶକୁ ସୁଯୋଗ ଦିଆ ଯାଇଥିଲା ।

Get real time updates directly on you device, subscribe now.