India Startup Layoffs: ଭାରତୀୟ ଷ୍ଟାର୍ଟଅପରେ ଚାକିରୀ ହରାଇଲେଣି ୨୭ ହଜାର କର୍ମଚାରୀ, ଜାଣନ୍ତୁ ଚଳିତ ବର୍ଷ ହେଲାଣି କେତେ ଛଟେଇ
ନୂଆଦିଲ୍ଲୀ: ବିଭିନ୍ନ ପ୍ରତିକୂଳ ପରିସ୍ଥିତି କାରଣରୁ ଗତ ଏକ ବର୍ଷ ହେବ ବିଶ୍ୱର ଅନେକ ଦେଶରେ ଛଟେଇ ଜାରି ରହିଛି। ଏହାର ପ୍ରଭାବରେ ପ୍ରାତୟଃ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି। ତେବେ ଷ୍ଟାର୍ଟଅପ ଏଥିରେ କିଛି ଅଧିକ ପ୍ରଭାବିତ ହୋଇଛି। ଭାରତରେ ମଧ୍ୟ ଏହି ଟ୍ରେଣ୍ଡ ଦେଖିବାକୁ ମିଳିଛି। ଏକ ରିପୋର୍ଟ ଅନୁସାରେ ଏହି ଛଟେଇ ଧାରାରେ ଭାରତୀୟ ଷ୍ଟାର୍ଟଅପରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ହଜାର ଟେକ୍ କର୍ମଚାରିଙ୍କ ଛଟେଇ ହୋଇଛି।
ଆଇଏଏନ୍ଏସ୍ ରିପୋର୍ଟ ଅନୟଯାୟୀ ଷ୍ଟାର୍ଟଅପ ନ୍ୟୁଜ୍ Inc42 ସୁତ୍ରରୁ ଏହି ଛଟେଇ ସମ୍ପର୍କିତ ସଂଖ୍ୟା ଜାରି କରାଯାଇଛି। ରିପୋର୍ଟ ଅନୁସାରେ ଗତବର୍ଷଠାରୁ ଫଣ୍ଡିଂ ସମସ୍ୟାର ସମ୍ମୁଖିନ ହେଉଥିବା ଷ୍ଟାର୍ଟଅପ କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ୨୭ ହଜାର ଲୋକଙ୍କୁ ଛଟେଇ କରିସାରିଲେଣି। ଛଟେଇ ପ୍ରକ୍ରିୟାର ଏହି ଗତୀ ଏବେ ମଧ୍ୟ ଧିମା ପଡ଼ିନାହିଁ ଏବଂ ଚଳିତ ବର୍ଷ ୨୦୨୩ରେ ମଧ୍ୟ ବଡ଼ ସଂଖ୍ୟାରେ ଛଟେଇ ଜାରି ରହିଛି।
ରିପୋର୍ଟରେ କୁହାଯାଇଛି ଯେ, ଛଟେଇର ଏହି ପର୍ଯ୍ୟାୟରେ ୯୮ ଷ୍ଟାର୍ଟଅପ ନିଜର ୨୬,୮୬୮ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏହି ଛେଟଇ ମାମଲାରେ ଏଡୁଟେକ୍ ଷ୍ଟାର୍ଟଅପ ଆଗରେ ରହିଛି, ଯେଉଁଥିରେ ଷ୍ଟାର୍ଟଅପ କମ୍ପାନୀ ମଧ୍ୟ ସାମିଲ ରହିଛନ୍ତି। ରିପୋର୍ଟ ମୁତାବକ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ ଏଡୁଟେକ୍ ଷ୍ଟାର୍ଟଅପ ଛଟେଇ କରିସାରିଲେଣି। ଯେଉଁଥିରେ ୯,୭୮୧ କର୍ମଚାରୀ ଚାକିରି ହରାଇଛନ୍ତି।
ଚଳିତ ବର୍ଷ କଥା କହିଲେ ଏବେ ସୁଦ୍ଧା ୮ ହଜାରୁ ଅଧିକ କର୍ମଚାରୀ ଚାକିରି ହରାଇ ସାରିଛନ୍ତି। ୨୦୨୩ରେ ବର୍ତ୍ତମାନ ପର୍ଯ୍ୟନ୍ତ ୫୦ ପ୍ରତିଶତ ଭାରତୀୟ ଷ୍ଟାର୍ଟ ଅପ ଛଟେଇ କରିଛନ୍ତି। ବର୍ଷ ୨୦୨୩ ଟେକ୍ ସେକ୍ଟର ପାଇଁ ଖୁବ୍ ନିରାଶାଜନକ ରହିଛି। ଛଟେଇ କରୁଥିବା କମ୍ପାନୀ ମଧ୍ୟରେ ପେସ୍ୱୁକ୍ ପ୍ୟାରେଣ୍ଟ କମ୍ପାନୀ ମେଟା, ଗୁଗୁଲ୍, ମାଇକ୍ରୋସଫ୍ଟ, ଭୋଡାଫୋନ୍ ପରି କମ୍ପାନୀ ରହିଛନ୍ତି। ଛଟେଇ ସମ୍ପର୍କିତ ରିପୋର୍ଟ କରୁଥିବା ଲେ ଅଫ୍ ଡଟ୍ ଏଫବିଇଆଇ ଅନୁସାରେ ଚଳିତ ବର୍ଷ ୬୯୫ କମ୍ପାନୀ ଛଟେଇ କରିଛନ୍ତି ଯେଉଂଥିରେ ୧.୯୮ ଲକ୍ଷ କର୍ମଚାରୀ ନିଯୁକ୍ତି ହରାଇଛନ୍ତି।