fbpx

ଅଭିନେତା ଦିଲୀପ କୁମାରଙ୍କ ଦେହାନ୍ତ

Advertisement

ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ଆଜି ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସକାଳ ୭.୩୦ ମିନିଟ ସମୟରେ ଦିଲୀପଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ସହ ତାଙ୍କର ଦେହାନ୍ତ ହୋଇଥିଲା । ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । କିଛିଦିନ ଧରି ସେ ଛାତି ରୋଗରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ । ସେ ବଲିଉଡର ଶ୍ରେଷ୍ଠ ଅଭିନେତା ଭାବେ ସର୍ବାଧିକ ଫିଲ୍ମ ଫେୟାର ପୁରସ୍କାର ହାସଲ କରିଥିଲେ । ୧୯୯୪ ମସିହାରେ ସେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିଲେ । ଗତ ଜୁନ୍ ମାସ ୩୦ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ସେ ପରାଧୀନ ଭାରତର ପେଶାୱାରରେ ଜନ୍ମଗ୍ରହଣ କରିଥିଲେ । ବିଗତ ୫ ଦଶନ୍ଧି ଧରି ସେ ଦର୍ଶକଙ୍କ ହୃଦୟର ରାଜ କରିବା ସହ ପ୍ରାୟ ୬୫ଟି ଫିଲ୍ମରେ ଅଭିନୟ କରିଥିଲେ । ସେ ନିଜ ଅଭିନୟ ଜୀବନରେ ଅନେକ ଫିଲ୍ମ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ, କାରଣ ସେ ବାସ୍ତବ ଅଭିନୟକୁ ଅଧିକ ଗୁରୁତ୍ୱ ଦେଉଥିଲେ ।

୧୯୪୪ ମସିହାରେ ‘ଜ୍ୱାର୍ ଭଟ୍ଟା’ ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରତିମା, ମିଲନ, ଜୁଗ୍ନୁ, ମେଲା, ଶବନମ, ଅନ୍ଦାଜ, ବବୁଲ, ହଲଚଲ, ଦାଗ୍, ସୌଦାଗର ପରି ଫିଲ୍ମରେ ଅଭିନୟ କରିଥିଲେ । ୧୯୯୮ ମସିହାରେ ସେ କିଲା ଚଳଚ୍ଚିତ୍ରରେ ଶେଷ ଥର ପାଇଁ ଅଭିନୟ କରିଥିଲେ । ଦିଲୀପଙ୍କ ମୃତ୍ୟୁରେ ଭାରତୀୟ ଚଳଚ୍ଚିତ୍ର ଜଗତ ଏକ ଉଜ୍ଜ୍ୱଳ ତାରକାଙ୍କୁ ହରାଇଲା, ଯେଉଁ ସ୍ଥାନ ଯୁଗ ଯୁଗ ପାଇଁ ଅପୂରଣୀୟ ହୋଇ ରହିବ । ତାଙ୍କର ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ରାଜନେତା, ଅଭିନେତା, କ୍ରୀଡ଼ାବିତ ତଥା ବିଶିଷ୍ଟ ବ୍ୟକ୍ତିମାନେ ଅମର ଆତ୍ମାର ସଦଗତି ନିମନ୍ତେ ଶୋକବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.