fbpx

ଖାଇବା ତେଲ ପରେ ଉପର ମୁହାଁ ଡାଲିର ଦର, ୬ମାସରେ ବଢିଲାଣି ୧୮ ଟଙ୍କା

Advertisement

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଅସହ୍ୟ ହେଉଛି ମହଙ୍ଗା ମାଡ଼। ଗତ କିଛି ଦିନ ହେବ ଖାଇବା ତେଲର ଦାମ୍ ସାମାନ୍ୟ ହ୍ରାସ ପାଇଥିବା ବେଳେ ଏବେ ଡାଲିର ଦାମ୍‌ରେ ଅହେତୁକ ବୃଦ୍ଧି ପାଇଛି। ଗତ ୬ ମାସ ମଧ୍ୟରେ ହରଡ଼ ଡାଲିର ଦାମ୍ ୧୫% ବଢିଲାଣି। ଏହାର ପ୍ରମୁଖ କାରଣ ଦେଶର ବିଭିନ୍ନ ପ୍ରାନ୍ତରେ ଲାଗି ରହିଥିବା ବର୍ଷା କାରଣରୁ ଫସଲ ହାନୀ ଓ ଚଳିତ ଖରିଫ୍ ସିଜନ୍ ଅମଳରେ ହ୍ରାସ।

ମହାରଷ୍ଟ୍ର ଡାଲି ଉତ୍ପାଦନରେ ଏକ ଅଗ୍ରଣି ରାଜ୍ୟ। ରାଜ୍ୟରେ ଭଲ କ୍ୱାଲିଟିର ହରଡ଼ ଡାଲି କିଛି ଦିନ ତଳେ ୯୭ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୧୧୫ରେ ପହଞ୍ଚିଛି। ନିକଟରେ କୃଷି ମନ୍ତ୍ରଳାୟ ଦ୍ୱାରା ଜାରି ହୋଇଥିବା ସୂଚନା ମୁତାବକ ଏହି ଦର ଏକ ବର୍ଷ ପୁର୍ବରୁ ୪.୬ କମ୍ ଥିଲା। ସେହିପରି ବିରି ଡାଲିର ମୂଲ୍ୟ ୨% କମ୍ ଥିଲା। ମହାରାଷ୍ଟ୍ର ଡାଲି ଉତ୍ପାଦନର ଏକ ପ୍ରମୁଖ ରାଜ୍ୟ ହୋଇଥିବା ବେଳେ ବର୍ଷା କାରଣରୁ ରାଜ୍ୟରେ ପୁର୍ବ ଭଳି ଉତ୍ପାଦନ ହ୍ରାସ ପାଇଛି।

ଜଣେ ଆମଦାନୀକାରୀଙ୍କ କହିବା ମୁତାବକ ଆଫ୍ରିକାରୁ ଆସିବାକୁ ଥିବା ୫,୦୦,୦୦୦ ଟନ୍ ଡାଲି ଅଗଷ୍ଟ କିମ୍ବା ସେପ୍ଟମ୍ବର ସୁଦ୍ଧା ଆସିଯିବ। ଭାରତରେ କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ଗୁଜୁରାଟ ଭଳି ରାଜ୍ୟରୁ ସର୍ବାଧିକ ଡାଲି ଉତ୍ପାଦନ ହୋଇଥାଏ। କିନ୍ତୁ ଚଳିତ ବର୍ଷ ପ୍ରବଳ ମୌସୁମି ବର୍ଷା କାରଣରୁ ପ୍ରବଳ ମାତ୍ରାରେ ଫସଲ ହାନୀ ହୋଇଛି। ତେବେ ଦ୍ୱିତୀୟ ସର୍ବାଧିକ ଉତ୍ପାଦକ ରାଜ୍ୟ ମଧ୍ୟପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଭଲ ଉତ୍ପାଦନ ହୋଇଛି। ତେଣୁ ଆଶା କରାଯାଉଛି ଯେ, ଫସଲ ହାନୀ ପରେ ମଧ୍ୟ ଡାଲିର ଦର ନିୟନ୍ତ୍ରଣରେ ରହିବ।

ଅନ୍ୟପକ୍ଷରେ ଉତ୍ପାଦକମାନଙ୍କୁ ମସୁର ଡାଲିର ଦର ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। ୨୯ ଜୁନ୍ ବେଳକୁ ମସୁର ଡାଲି ୭୧.୫୦ ପ୍ରତି କେଜି ଥିବା ବେଳେ ୮ଅଗଷ୍ଟ ବେଳକୁ ଏହାର ଦାମ୍ ହ୍ରାସ ପାଇ ୬୭ ରହିଛି । ସେହିପରି ଚଣା ଏବଂ ମୁଗ ଡାଲିର ଦାମ୍ ମଧ୍ୟ ସ୍ଥିର ରହିଛି। କିଛି ଦିନ ତଳେ ଭାରତୀୟ ବଜାରରେ ଖାଇବା ତେଲର ଦାମ୍‌ରେ ଅହେତୁକ ବୃଦ୍ଧି ଯୋଗୁ ଲୋକଙ୍କ ପକେଟରେ ବଡ଼ ପ୍ରଭାବ ପଡିଥିଲା। ତେବେ ବର୍ତ୍ତମାନ ସୋରିସ ତେଲ ଦାମ୍ ପ୍ରାୟ ୩୦ ଟଙ୍କା ହ୍ରାସ ପାଇଲାଣି। ସେହିପରି ସୂର୍ଯ୍ୟମୁଖୀ ତେଲର ଦାମ୍ ୨୦ରୁ ୨୫ ଏବଂ ପାମୋଲିନ୍ ତେଳର ଦାମ୍ ପ୍ରତି ଲିଟର ୧୬ ଟଙ୍କା ଯାଏଁ ଶସ୍ତା ହେଲାଣି।

Get real time updates directly on you device, subscribe now.