fbpx

ଦିନିକିଆ ପରେ ଟି-୨୦ରେ ବି ଭାରତ ହାରିଲା: ଦୁଇଟି ଯାକ ଫର୍ମାଟରେ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ପରାଜୟବରଣ କରିଛି ଟିମ୍ ଇଣ୍ଡିଆ । ପ୍ରଥମେ ଦିନିକିଆ ସିରିଜରେ ହାରିଥିଲା ଆଉ ଏବେ ଟି-୨୦ ସିରିଜକୁ ହାତଛଡ଼ା କଲା । ଭାରତୀୟ ମହିଳା କ୍ରିକେଟ ଟିମର ପ୍ରଦର୍ଶନକୁ ନେଇ ଏବେ ପ୍ରଶଂସକଙ୍କ ମଧ୍ୟରେ ନିରାଶା ଖେଳିଯାଇଛି । ଆଜି ଭାରତ ପ୍ରଥମେ ବ୍ୟାଟିଂ କରି ୧୪୭ ରନ୍ ସଂଗ୍ରହ କରିଥିବା ବେଳେ ଅଷ୍ଟ୍ରେଲିଆ ମାତ୍ର ୩ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା ।

ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୨୯ ରନ୍ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ଅନ୍ନାବେଲ ସୁଥରଲାଣ୍ଡ ଓ ଜିଓର୍ଜିଆ ୱାରେହାମ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ୧୮.୪ ଓଭରରେ ମାତ୍ର ୩ ୱିକେଟ ହରାଇ ୧୪୯ ରନ୍ କରି ବିଜୟୀ ହୋଇଥିଲା । ଭାରତ ପକ୍ଷରୁ ପୂଜା ଭଷ୍ଟ୍ରାକର ସର୍ବାଧିକ ୨ଟି ୱିକେଟ ଅକ୍ତିଆର କରିଥିଲେ ।

ତେବେ ଏହି ପରାଜୟ ଫଳରେ ଅଷ୍ଟ୍ରେଲିଆ ୨-୧ରେ ସିରିଜ୍ ବିଜୟୀ ହୋଇଛି । ପୂର୍ବରୁ ଦୁଇ ଟିମ୍ ଗୋଟିଏ ଲେଖାଏଁ ମ୍ୟାଜ ଜିତିଥିବା ବେଳେ ସିରିଜ ୧-୧ରେ ବରାବର ରହିଥିଲା । ଆଜିର ମ୍ୟାଚ ଉଭୟ ଟିମ୍ ପାଇଁ ନିର୍ଣ୍ଣାୟକ ରହିଥିଲା । ତେବେ ଏହା ପୂର୍ବରୁ ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ମଧ୍ୟ ହାତଛଡ଼ା କରିଥିଲା । ଅଷ୍ଟ୍ରେଲିଆ ୩-୦ରେ ଦିନିକିଆ ସିରିଜକୁ ମୂଳପୋଛ କରିନେଇଥିଲା । ଏହାଫଳରେ ଅଷ୍ଟ୍ରେଲିଆ ଉଭୟ ଦିନିକିଆ ଓ ଟି-୨୦ ସିରିଜକୁ ହାତେଇବାରେ ସକ୍ଷମ ହୋଇଛି ।

Get real time updates directly on you device, subscribe now.